ଭୁବନେଶ୍ୱର,୧୬/୧୧: ଦ୍ୱାଦଶ ପାସ୍ କରିଥିବା ୧୫ଶହ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ କିଣିବା ପାଇଁ ଆର୍ଥିକ ସହାୟତା ଟଙ୍କା ମିଳିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟତା ଅର୍ଥ ସିଧା ସଳଖ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର(ଡିବିଟି) ମାଧ୍ୟମରେ ଦିଆଯିବ । ପ୍ରତ୍ୟେକ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ୩୦ହଜାର ଟଙ୍କାର ସହାୟତା ମିଳିବ । ତେବେ ଏଥି ପାଇଁ ତାଲିକା ସହିତ ନୂଆ ମାର୍ଗଦର୍ଶିକା ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍ରେ ଜାରି କରାଯାଇଛି ।
ଯୋଗ୍ୟ ଛାତ୍ରଛାତ୍ରୀମାନେ ନିଜର ଆଧାର ନମ୍ବର ଓ ଆଧାର ସହିତ ସଂଯୋଗ ହୋଇଥିବା ମୋବାଇଲ୍ ନମ୍ବର ମାଧ୍ୟମରେ ପଞ୍ଜିକରଣ କରି ନୂଆ ମାର୍ଗଦର୍ଶିକା ଅନୁସାରେ ନିଜର ବିସ୍ତୃତ ବିବରଣୀ ସହ ଆସନ୍ତା ୧୮ ତାରିଖରୁ ଆବେଦନ କରିପାରିବେ । ଡିସେମ୍ବର ୧୭ ତାରିଖ ଆବଦେନର ଶେଷ ଦିବସ ରହିଛି । ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ ୨୦୨୩ ବାର୍ଷିକ ଉଚ୍ଚ ମାଧ୍ୟମିକ ଶିକ୍ଷା ପରୀକ୍ଷା(ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନ)ରେ ପାସ୍ କରିଥିବା ଛାତ୍ରଛାତ୍ରୀ, ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଉପଶାସ୍ତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମଧ୍ୟ ଆବେଦନ କରିପାରିବେ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ ସୂଚନା ଦେଇଛନ୍ତି।