ନୂଆଦିଲ୍ଲୀ,୨୮/୦୯: ପୁଣି ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ। ଫଳରେ ଚାଲିଗଲା ୩ ଜଣଙ୍କ ଜୀବନ। ହରିଆଣାର ସୋନିପତରେ ଘଟିଛି ଏଭଳି କିଛି ଦୁର୍ଘଟଣା। ସୋନିପତିର ରିଢ଼ାଉ ଗାଁରେ ଥିବା ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ହୋଇଛି। ନିଆଁ ଲାଗିବା ଯୋଗୁଁ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ୬ ଜଣ ଗୁରୁତର ହୋଇଛନ୍ତି। ତେବେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ପିଜିଆଇ ରୋହତକ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, କାରଖାନାରେ ୧୦ରୁ ୧୨ ଲୋକ କାମ କରୁଥିଲେ। ଆଜି ସକାଳ ପ୍ରାୟ ୯ଟା ୩୦ ରେ କାରଖାନାରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ବିସ୍ଫୋରଣ ଘଟିଥିଲା। ପ୍ରଚଣ୍ଡ ଶବ୍ଦ ଯୋଗୁଁ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଏହାପରେ ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଥିବା ଏକ ଘରେ ବେଆଇନ୍ ଭାବେ ଏହି ବାଣ କାରଖାନା ଚାଲିଥିଲା। ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସମସ୍ତ ମୃତକ କାରଖାନାରେ କାମ କରୁଥିବା ଶ୍ରମିକ ବୋଲି ଜଣାପଡିଛି। ସେପଟେ ଦୁର୍ଘଟଣାରେ ପୋଡି ଯାଇଥିବା ପାଞ୍ଚରୁ ଛଅ ଜଣଙ୍କୁ ରୋହତକକୁ ପଠାଯାଇଥିବା ବେଳେ ସେଠାରେ ଚିକିତ୍ସା ଜାରି ରହିଛି। ସେପଟେ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।