ଏହିସବୁ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସତର୍କ ସୂଚନା ଜାରି
ନୂଆଦିଲ୍ଲୀ – ଆସନ୍ତା ୫ ଦିନ ଯାଏ ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ଆଏମଡି ସତର୍କ ସୂଚନା ଜାରି କରିଛି। ଏହି ସପ୍ତାହ ଉତ୍ତର ଭାରତର ହିମାଚଳ ପ୍ରଦେଶ , ଉତ୍ତରାଖଣ୍ଡ , ରାଜସ୍ଥାନ , ପଞ୍ଜାବ , ହରିଆଣା, ଚଣ୍ଡିଗଡ଼ , ଦିଲ୍ଲୀ, ଜମ୍ମୁ-କାଶ୍ମୀର ଓ ଉତ୍ତର ପ୍ରଦେଶରେ ବର୍ଷା ଲାଗି ରହିବ।
ଆଇଏମଡି ରାଜସ୍ଥାନ , ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ପାଇଁ ପ୍ରବଳ ବର୍ଷାର ଚେତାବନୀ ଜାରି କରିଛି। ଏହାସହ ଏବେ ମୌସୁମୀ ବର୍ଷା ପ୍ରାଣଘାତୀ ପାଲଟି ଯାଇଛି। ବର୍ଷା ଏବେ ଆତଙ୍କ ଖେଳାଇବା ଆରମ୍ଭ କରି ଦେଇଛି।
ରାଜସ୍ଥାନରେ ଗତ କିଛି ଦିନରୁ ମୂଷଳଧାରାର ବର୍ଷା ଲାଗି ରହିଛି। ଏହି କାରଣରୁ ସେଠାରେ ଏବେସୁଦ୍ଧା ୨୨ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ଆଇଏମଡି ସୂଚନା ଅନୁସାରେ , ଆଗାମୀ ୨୪ ଘଣ୍ଟା ହରିଆଣା , ଦିଲ୍ଲୀ , ପୂର୍ବ ଓ ଉତ୍ତର ରାଜସ୍ଥାନର କିଛି ଭାଗ, ମଧ୍ୟ ପ୍ରଦେଶ , ଉତ୍ତର ପ୍ରଦେଶ , ଝାଡ଼ଖଣ୍ଡର କିଛି ଭାଗ, ଓଡିଶା , ପଶ୍ଚିମବଙ୍ଗ, କେରଳ , ତାମିଲନାଡୁ , ଆନ୍ଧ୍ର ପ୍ରଦେଶ , ଲାକ୍ଷାଦ୍ୱୀପ , ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଦକ୍ଷିଣ କର୍ଣ୍ଣାଟକରେ ମଧ୍ୟମରୁ ନେଇ ପ୍ରବଳ ବର୍ଷା ହୋଇପାରେ।