ନୂଆଦିଲ୍ଲୀ,୧୫।୪: ଗତ ଶନିବାର ଅଯୋଧ୍ୟାରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋର ଏକ ବିମାନ ଅଡୁଆରେ ପଡି ଯାଇଥିଲା। ଖରାପ ପାଣିପାଗ କାରଣରୁ ଇଣ୍ଡିଗୋର ବିମାନ ଦିଲ୍ଲୀ ଏୟରପୋର୍ଟରେ ଲ୍ୟାଣ୍ଡ କରିପାରିନଥିଲା, କିନ୍ତୁ ଆଶ୍ଚର୍ଯ୍ୟର କଥା ଥିଲା ବିମାନରେ ମାତ୍ର ଦୁଇ ମିନିଟ୍ର ଫୁଏଲ୍ ଥିଲା।ଏହି ବିମାନରେ ଥିବା ଜଣେ ଯାତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ଭୟାବହ ଅନୁଭୂତି ସମ୍ପର୍କରେ ସୂଚନା ଦେଇଛି। ସେ କହିଛନ୍ତି, ବିମାନକୁ ଦୁଇଥର ଦିଲ୍ଲୀ ଏୟାରପୋର୍ଟରେ ଲ୍ୟାଣ୍ଡ କରିବାର ଚେଷ୍ଟା କରାଯାଇଥିଲା, କିନ୍ତୁ ସଫଳତା ମିଳିନଥିଲା। ଏହାପରେ ବିମାନକୁ ଚଣ୍ଡୀଗଡ ଆଡକୁ ଡାଇଭର୍ଟ କରି ଦିଆଯାଇଥିଲା। ଏଭଳି ସ୍ଥିତିରେ ମାନକ ସଞ୍ଚାଳନ ପକ୍ରିୟା(ଏସଓପି)ର ଉଲଂଘନ କରିବାର ଅଭିଯୋଗ ରହିଛି।
ଏହି ବିମାନରେ ଥିବା ଡେପୁଟି କମିଶନର(କ୍ରାଇମ୍) ପୋଲିସ ସତୀଶ କୁମାର ସୋସିଆଲ ମିଡିଆରେ କହିଛନ୍ତି, ଇଣ୍ଡିଗୋର ଏହି ବିମାନ ୧୩ ଏପ୍ରିଲ ସନ୍ଧ୍ୟ ୩ଟା ୨୫ ମିନିଟ୍ରେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବାର ଥିଲା ଓ ଅପରାହ୍ନ ୪ଟା ୩୦ ମିନିଟରେ ଦିଲ୍ଲୀରେ ପହଁଞ୍ଚିବାର ଥିଲା। ତେବେ ଲ୍ୟାଣ୍ଡିଂର ପ୍ରାୟ ୧୫ ମିନିଟ୍ ପୂର୍ବରୁ ପାଇଲଟ ଘୋଷଣା କରିଥିଲେ ଦିଲ୍ଲୀରେ ଖରାପ ପାଣିପାଗ କାରଣରୁ ବିମାନକୁ ସେଠାରେ ଲ୍ୟାଣ୍ଡ କରିହେବନି। କିଛି ସମୟ ପର୍ଯ୍ୟନ୍ତ ବିମାନ ଦିଲ୍ଲୀର ଆକାଶରେ ଚକ୍କର କାଟିଥିଲା। ବିମାନ ଦୁଇଥର ଲ୍ୟାଣ୍ଡ କରିବାର ଚେଷ୍ଟା ମଧ୍ୟ କରିଥିଲା, କିନ୍ତୁ ଦୁଇଥର ବିଫଳ ହୋଇଥିଲା।
କୁମାରଙ୍କ କହିବା ଅନୁସାରେ, ପାଇଲଟ୍ମାନେ ଯାତ୍ରୀଙ୍କୁ ଅପରାହ୍ନ ୪ଟା ୧୫ ମିନିଟ୍ରେ କହିଥିଲେ ବିମାନରେ ୪୫ ମିନିଟର ଇନ୍ଧନ ରହିଛି। ଏହା ଭିତରେ ଦୁଇଥର ଲ୍ୟାଣ୍ଡିଂର ଚେଷ୍ଟା କରାଯାଉଛି ଓ ଶେଷରେ ପାଇଲଟ୍ ସନ୍ଧ୍ୟା ୫ଟା ୩୦ ମିନିଟ୍ରେ କହିଥିଲେ ବିମାନକୁ ଚଣ୍ଡୀଗଡ ଆଡକୁ ମୋଡୁଛନ୍ତି। ଏହା ଭିତରେ ବହୁ ଯାତ୍ରୀଙ୍କ ଦେହ ଖରାପ ହୋଇଯାଇଥିଲା ଓ କ୍ରୁ ସଦସ୍ୟଙ୍କ ଭିତରୁ ଜଣେ ବାନ୍ତି କରିବା ଆରମ୍ଭ କରିଦେଇଥିଲେ। ବିମାନରେ ୪୫ ମିନିଟର ଇନ୍ଧନ ରହିବା ପରେ ମଧ୍ୟ ଘୋଷଣାର ୧୧୫ ମିନିଟ୍ ପରେ ସନ୍ଧ୍ୟା ୬ଟା ୧୦ ମିନିଟ୍ରେ ବିମାନକୁ ଚଣ୍ଡୀଗଡ ଏୟାରପୋର୍ଟରେ ଲ୍ୟାଣ୍ଡ କରାଯାଇଥିଲା। ଉଲ୍ଲେଖନୀୟ ଯେ, ବିମାନରେ କେବଳ ଗୋଟିଏରୁ ଦୁଇ ମିନିଟ୍ର ଇନ୍ଧନ ଥିଲା। ଏହା ବହୁତ ବଡ ଅବହେଳାକୁ ଦର୍ଶାଉଛି।