ନୂଆଦିଲ୍ଲୀ,୧୨/୦୯: ଅଶାନ୍ତ ରହିଛି ମଧ୍ୟପ୍ରାଚ୍ୟ । ଇସ୍ରାଏଲ-ହମାସ ଯୁଦ୍ଧର ନିଆଁରେ ଛାରଖାର୍ ହୋଇଗଲାଣି ଗାଜା । ବୁଧବାର ଦିନ ଇସ୍ରାଏଲ ପୁଣିଥରେ ଗାଜାରେ ଭୟଙ୍କର ଏୟାରଷ୍ଟ୍ରାଇକ କରିଛି । ଏଥର UNର ଏକ ସ୍କୁଲ ଉପରେ ଏହି ଆକ୍ରମଣ ହୋଇଛି। ଯେଉଁଥିରେ ଅତିକମରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି।
ତେବେ ଏହି ଏୟାରଷ୍ଟ୍ରାଇକରେ ୧୯ ମହିଳା, ୨ ଛୋଟ ପିଲା ଏବଂ UN କର୍ମଚାରୀଙ୍କ ସମେତ ୩୪ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ସେହିପରି ୧୮ ଜଣ ଆହତ ହୋଇଥିବା ବେଳେ ସମସ୍ତ ଗୁରୁତର ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି । ଇସ୍ରାଏଲର ଏହି ଏୟାରଷ୍ଟ୍ରାଇକ୍ ପରେ ସ୍ଥାନୀୟ ଲୋକ ଆତଙ୍କିତ ଥିବା ସୂଚନା ମିଳିଛି। ତେବେ ଇସ୍ରାଏଲ ଆକ୍ରମଣର ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଅନେକଥର ଗାଜା ଉପରେ ଆକ୍ରମଣ କରିଛି ଇସ୍ରାଏଲ। ତେବେ ଏହି ଆକ୍ରମଣ ପରେ ଇସ୍ରାଏଲ ସେନା କହିଛି ଯେ, ଏହା ହମାସ୍ ଆତଙ୍କବାଦୀଙ୍କୁ ଗାର୍ଗେଟ କରିଯାଇଥିଲା। ଯେଉଁମାନେ ନସିରାଟ୍ ଶରଣାର୍ଥୀ ଶିବିରରେ ଅବସ୍ଥିତ ସ୍କୁଲ ଭିତରୁ ଆକ୍ରମଣ ଯୋଜନା କରିଥିଲେ । ଏନେଇ ଜାତିସଂଘ ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍ ସୂଚନା ଦେଇ କହିଛନ୍ତି ଯେ, ଏହି ଆକ୍ରମଣରେ ପାଲେଷ୍ଟାଇନ୍ ଶରଣାର୍ଥୀ ଏଜେନ୍ସିର ୬ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।