ନୂଆଦିଲ୍ଲୀ: ଗାଜାରେ ଚିକିତ୍ସା ସାମଗ୍ରୀ ନେଇ ଯାଉଥିବା ଗାଡି ଉପରେ ଇସ୍ରାଏଲ ସେନା ଏକ ବଡ ଆକ୍ରମଣ କରିଛି । ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଇଛି । ତେବେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହୋଇନାହିଁ । କୁହାଯାଉଛି ଯେ, ଇସ୍ରାଏଲ ସେନା କ୍ଷେପଣାସ୍ତ୍ର ଆକ୍ରମଣରେ ଗାଜା ଅଞ୍ଚଳର ଏକ ଡାକ୍ତରଖାନାକୁ ଚିକିତ୍ସା ସାମଗ୍ରୀ ଏବଂ ଇନ୍ଧନ ପରିବହନ କରୁଥିବା ଗାଡି ଉପରକୁ ଟାର୍ଗେଟ କରିଛି । ଏହି ଆକ୍ରମଣରେ ସ୍ଥାନୀୟ ପରିବହନ କମ୍ପାନୀର ଅନେକ ଲୋକଙ୍କର ମୃତ୍ୟୁ ଘଟିଛି । ଏକ ସହାୟତା ଗୋଷ୍ଠୀ ଏହି ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଇସ୍ରାଏଲ ସେନା ଦାବି କରିଛି ଯେ, ବନ୍ଧୁକଧାରୀଙ୍କ ଦ୍ୱାରା ଚିକିତ୍ସା ସାମଗ୍ରୀ ପରିବହନ କରୁଥିବା ଗାଡି ଗୁଡିକୁ କବଜା କରିବା ପରେ ଏହି ଆକ୍ରମଣ କରାଯାଇଛି । ପାଲେଷ୍ଟାଇନ ଅଞ୍ଚଳ ପାଇଁ ସହାୟତା ଗୋଷ୍ଠୀ ANERA ର ନିର୍ଦ୍ଦେଶକ ସାନ୍ଦ୍ରା ରସିଦ କହିଛନ୍ତି ଯେ ଏହି ଆକ୍ରମଣରେ ପରିବହନ କମ୍ପାନୀରେ କାର୍ଯ୍ୟ କରୁଥିବା ଅନେକ ଲୋକଙ୍କର ମୃତ୍ୟୁ ଘଟିଛି, ଯେଉଁ ମାନଙ୍କ ଗାଡିରେ ରାଫା ସ୍ଥିତ ଏମିରେଟ୍ସ ରେଡ କ୍ରେସେଣ୍ଟ ହସ୍ପିଟାଲ ପାଇଁ ସାମଗ୍ରୀ ପରିବହନ କରାଯାଉଥିଲା ।
ରସିଦ ଏକ ବିବୃତ୍ତିରେ କହିଛନ୍ତି, “ଏହି ବର୍ବର ଘଟଣା ସତ୍ତ୍ୱେ କନଭେନରେ ଥିବା ଅବଶିଷ୍ଟ ଯାନ ବାହାନ ଗୁଡିକ ଆଗକୁ ଯାଇ ସଫଳତାର ସହିତ ହସ୍ପିଟାଲରେ ସହାୟତା ସାମଗ୍ରୀ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି । ପ୍ରକୃତରେ କ’ଣ ଘଟିଲା ସେ ସମ୍ବନ୍ଧରେ ଆମେ ଅଧିକ ସୂଚନା ପାଇବାକୁ ଚେଷ୍ଟା କରୁଛୁ।