ଖୋର୍ଦ୍ଧା,୩୦/୦୩: ଜଟଣୀ ନିର୍ବାଚନ ମଣ୍ଡଳୀର ଅନ୍ୟତମ ଚର୍ଚ୍ଚିତ ନେତା ସନ୍ତୋଷ ଜେନା ଶନିବାର ଘର ବାହୁଡ଼ା କରିବେ । ବିଜେପି ସହ ଦୀର୍ଘ ୩୫ ବର୍ଷର ସମ୍ପର୍କ ତୁଟାଇ ସେ ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେଡିରେ ସାମିଲ ହୋଇଥିଲେ । ଦଳ ତାଙ୍କୁ ରାଜ୍ୟ ସମ୍ପାଦକ ପଦବିରେ ଅବସ୍ଥାପିତ କରିଥିବା ବେଳେ ଗତ କିଛି ମାସ ତଳେ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲା । ସେ ପୁର୍ନବାର ବିଜେପିରେ ସାମିଲ ହେବା ନେଇ ନିଜେ ପ୍ରକାଶ କରିଛନ୍ତି ।
ଶ୍ରୀଜେନା ୧୯୮୪ ମସିହାରେ ବିଜେପିରେ ଯୋଗ ଦେଇଥିବା ବେଳେ ୧୯୯୭ ମସିହାରେ ତାଙ୍କର ଧର୍ମପତ୍ନୀ ବନୀତା ଜେନା ବିଜେପିରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଗତ ନିର୍ବାଚନ ତୁଳନାରେ ଏଥର ଜଟଣୀ ରାଜନୀତି ସମୀକରଣ ପରିବର୍ତ୍ତନ ହୋଇଥିବା ବେଳେ ତାଙ୍କର ବିଜେପିରେ ଯୋଗଦାନ ଘୋଷଣା ଜଟଣୀ ରାଜନୀତିକୁ ସରଗରମ କରିଛି । ନିର୍ବାଚନ ଆଗରୁ ଦୁଇ ପାରମ୍ପରିକ ରାଜନୈତିକ ଶତ୍ରୁ ଭାବେ ପରିଚିତ ଜିଲ୍ଳା ବିଜେଡି ସଭାପତି ବିଭୂତି ବଳବନ୍ତରାୟ ଏବଂ ବିଧାୟକ ସୁରେଶ ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ଏବେ ବିଜେଡି କ୍ୟାମ୍ପରେ ରହିବା ଦ୍ୱାରା ସନ୍ତୋଷ ଜେନା ବିଜେପି ଟିକେଟ୍ରେ ଲଢିବା ସ୍ଥାନୀୟ ମହଲରେ ଆଲୋଚନା ହେଉଛି ।