ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ରିଲ୍ କଲେ ରିଓ୍ବାର୍ଡ ଦେବେ ସରକାର । ରିଲ୍ର ଭିୟୁ ଅନୁସାରେ ସରକାର ପୁରସ୍କାର ଦେବେ । ମିଳିଥିବା ସୂଚନା ଅନୁସାରେ, କର୍ଣ୍ଣାଟକର ଗୃହଲକ୍ଷ୍ମୀ ଯୋଜନାର ହିତାଧିକାରୀଙ୍କୁ ଏହି ସୁଯୋଗ ମିଳିବ । ଯୋଜନା ସଂପର୍କରେ ରିଲ୍ କରି ଅପଲୋଡ୍ କରିବେ ମହିଳା । ଯେଉଁ ମହିଳାଙ୍କ ରିଲକୁ ଅଧିକ ଲୋକେ ଦେଖିବେ ତାଙ୍କୁ ରିଓ୍ବାର୍ଡ ବା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଲକ୍ଷ୍ମୀ ହେବ୍ବଲକର । ଏନେଇ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରାଯାଇଛି ।
କର୍ଣ୍ଣାଟକ ସରକାରଙ୍କ ମୁଖ୍ୟ ଗ୍ୟାରେଣ୍ଟି ଗୃହଲକ୍ଷ୍ମୀ ଯୋଜନାକୁ ଏକ ବର୍ଷ ପୂର୍ତ୍ତି ଅବସରରେ ମହିଳାମାନଙ୍କ ପାଇଁ ରିଓ୍ବାର୍ଡ ଅଫର କରାଯାଇଛି । ରାଜ୍ୟ ସରକାର ମହିଳାମାନଙ୍କୁ ରିଲ୍ସ କରି ୟୁଟ୍ୟୁବ, ଫେସବୁକ ଏବଂ ଇନଷ୍ଟଗ୍ରାମରେ ପୋଷ୍ଟ କରିବାକୁ ଅପିଲ କରିଛନ୍ତି । ଗୃହଲକ୍ଷ୍ମୀ ଯୋଜନାରେ କଣ ସବୁ ଲାଭ ମିଳୁଛି ସେନେଇ ରିଲ୍ସ କରିବାକୁ କୁହାଯାଇଛି । ସବୁ ହିତାଧିକାରୀଙ୍କ ପାଇଁ ଏହି ପ୍ରତିଯୋଗୀତାର ଆୟୋଜନ କରାଯାଇଥିବା ବେଳେ ଏହା ଅକ୍ଟୋବର ୩୦ ପର୍ଯ୍ୟନ୍ତ ଜାରି ରହିବ ।
ମହିଳାମାନଙ୍କ ମାଧ୍ୟମରେ ସରକାର ନିଜ ଯୋଜନାର ପ୍ରଚାର ପ୍ରସାର କରିବାକୁ ଚାହୁଁଛନ୍ତି । ତେବେ ଏହି ଯୋଜନା ମାଧ୍ୟମରେ କର୍ଣ୍ଣାଟକ ସରକାର ମହିଳାମାନଙ୍କୁ ୨୦୦୦ ଟଙ୍କାର ଆର୍ଥିକ ସହାୟତା ଦେଉଛନ୍ତି । ୨୦୨୩ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ଦେଇଥିବା ୫ ପ୍ରତିଶ୍ରୁତି ମଧ୍ୟରୁ ଗୃହଲକ୍ଷ୍ମୀ ଯୋଜନା ଅନ୍ୟତମ । ଆଉ ଏବେ ମହିଳାଙ୍କ ଦ୍ବାରା ଏହି ଯୋଜନାର ପ୍ରସାର କରାଇବାକୁ ଚେଷ୍ଟା ଚଳାଇଛି କର୍ଣ୍ଣାଟକର କଂଗ୍ରେସ ସରକାର ।