ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ଗଳା କାଟିଦେଲେ ବ୍ୟକ୍ତି

ବେଙ୍ଗଲୁରୁ, ୦୩/୦୪: କର୍ଣ୍ଣାଟକ ହାଇକୋର୍ଟ ପରିସରରେ ଆତ୍ମହତ୍ୟା ଉଦ୍ୟମ । ତାହା ପୁଣି ମୁଖ୍ୟ ବିଚରାପତିଙ୍କ ସମ୍ମୁଖରେ କୋର୍ଟ ରୁମରେ । ପୋଲିସ ସୂଚନା ଅନୁସାରେ, ମୁଖ୍ୟ ବିଚାରପତି ଜଷ୍ଟିସ୍ ନିଲୟ ବିପିନଚନ୍ଦ୍ର ଅଞ୍ଜାରିଆ କୋର୍ଟ ହଲ୍-୧ରେ ଥିଲେ । ସେହି ସମୟରେ ଜଣେ ବ୍ୟକ୍ତି ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ପୋଲିସ ସୂଚନା ଅନୁସାରେ, ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତି ଜଣଙ୍କ ମୟସୁରୁର ଶ୍ରୀନିବାସ । ସେ କୋର୍ଟ ହଲ୍-୧ରେ ପଶିବା ପରେ କିଛି ଫାଇଲ୍ ସୁରକ୍ଷାକର୍ମୀଙ୍କ ହାତକୁ ବଢ଼ାଇ ଦେଇ କେହି କିଛି ଭାବିବା ପୂର୍ବରୁ ନିଜ ତଣ୍ଟି କାଟି ଦେଇଥିଲେ । ସେତେବେଳେ କୋର୍ଟ ରୁମରେ ଉପସ୍ଥିତ ଥିଲେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅଞ୍ଜାରିଆ ।

ଶ୍ରୀନିବାସ ତଣ୍ଟି କାଟିବା ମାତ୍ରେ ସୁରକ୍ଷାକର୍ମୀ ତୁରନ୍ତ ଦୌଡ଼ି ଯାଇଥିଲେ । ହସ୍ପିଟାଲରେ ଶ୍ରୀନିବାସଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ଜାରି ରହିଛି । ତେବେ କେଉଁ ପରିସ୍ଥିତିରେ ବ୍ୟକ୍ତି ଜଣଙ୍କ ନିଜ ତଣ୍ଟି କାହିଁକି ଛୁରିରେ କାଟିଲେ ତାହା ଜଣା ପଡ଼ିନାହିଁ ।

ଘଟଣାକୁ ନେଇ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅଞ୍ଜାରିଆ ଚିନ୍ତାବ୍ୟକ୍ତ କରିଛନ୍ତି । ହାଇକୋର୍ଟରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ପ୍ରକାଶ କରିଛନ୍ତି ଅସନ୍ତୋଷ । ହାଇକୋର୍ଟ ପରିସରକୁ ଜଣେ କିଭଳି ମାରଣାସ୍ତ୍ର ନେଇ ଆସିଲେ ସେନେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି । ଏଥିସହ ମାମଲାର ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ସୁରକ୍ଷାକର୍ମୀଙ୍କୁ ଶ୍ରୀନିବାସ ଦେଇଥିବା ଫାଇଲରେ କଣ ଅଛି ତାହା ବି ସ୍ପଷ୍ଟ ହୋଇ ନାହିଁ । କୋର୍ଟ କହିଛନ୍ତି, ଆଇନଜୀବୀଙ୍କ ମାଧ୍ୟମରେ ଦସ୍ତାବିଜ୍ ଦିଆ ଯାଇ ନଥିବାରୁ ତାହା ଦେଖାଯିବ ନାହିଁ । ଏଥିସହ କୋର୍ଟଙ୍କ ଆଦେଶ ବିନା କର୍ତ୍ତୃପକ୍ଷ କୌଣସି ଦସ୍ତାବିଜ୍ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.