କଟକ,୧୬/୦୯: ଆଉ କିଛି ଦିନ ପରେ ଗଣେଶ ପୂଜା । ଏ ନେଇ କଟକ ସହର ସଜେଇ ହେବାକୁ ଯାଉଥିବା ବେଳେ ମେଲୋଡି ଗ୍ରୁପଗୁଡ଼ିକ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ କରିସାରିଲେଣି । ଓଡ଼ିଆରେ ‘ଝାଲାମାଲା ଆଖି ତୋର ଝାଲାମାଲା’, ‘ତୋର ହାଲ୍କା ଛୁଇଁବାର ମଜା ଅଲଗା’ ଏବଂ ସମ୍ବଲପୁରୀର ‘ଲେ ଲେ ଲେ ବଉଳ’ ଆଦି ବହୁ ଗୀତ ଏବେ ଚର୍ଚ୍ଚାରେ ରହିଛି । ତେଲୁଗୁର ‘ଏକା ସାକା’ ଓ ହିନ୍ଦୀର ‘ନୁକା ବାଲିଆ’, ‘ପଠାନ’, ‘ରମେୟା ବସ୍ତା ମେୟାଁ’, ‘ଏଣ୍ଟେମା ଏଣ୍ଟେମା’ ଏବଂ ଓଏମ୍ଜିର ‘ହର ହର ମହାଦେବ’ ଭଳି ବହୁ ହିନ୍ଦୀ ଗୀତ ଚର୍ଚ୍ଚାରେ ରହିଛି । ଏହିସବୁ ଗୀତକୁ ନେଇ ଗଲା ୨ ମାସ ହେଲା କଟକ ଓ ଭୁବନେଶ୍ୱରରେ ଥିବା ମେଲୋଡି ଗ୍ରୁପ୍ଗୁଡ଼ିକ ପ୍ରସ୍ତୁତି ଜାରି ରଖିଛନ୍ତି । ଗଣେଶ ପୂଜା ଯେତେ ପାଖେଇ ଆସୁଛି, ସେମାନଙ୍କ ପ୍ରସ୍ତୁତି ସେତେ ଜୋର୍ ଧରୁଛି ।
ଗଣେଶ ପୂଜାର ୨ ମାସ ପୂର୍ବରୁ କଟକ ଓ ଭୁବନେଶ୍ୱରରେ ଥିବା ପାଖାପାଖି ୮୦ଟି ମେଲୋଡି ଗ୍ରୁପ୍ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବଛା ବଛା କଣ୍ଠଶିଳ୍ପୀ ଏବଂ ନୃତ୍ୟାଙ୍ଗନାମାନଙ୍କୁ ନେଇ ଅଭ୍ୟାସ କରୁଛନ୍ତି । ଚଳିତ ବର୍ଷ କଟକର ଜଣାଶୁଣା ମେଲୋଡି ଗ୍ରୁପ୍ ‘ସାଗର ସଙ୍ଗମ ଲାଇଭ୍’ ପକ୍ଷରୁ ଓଡ଼ିଆ, ହିନ୍ଦୀ ଓ ସମ୍ବଲପୁରୀ ଗୀତକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏହି ଗ୍ରୁପ୍ରେ କଣ୍ଠଶିଳ୍ପୀ ଆର୍ଏସ୍ କୁମାର, ସ୍ମିତା ପଣ୍ଡା, ଅଙ୍କିତା ପାତ୍ର, କୁନୁ ବାବା ଓ ପିଣ୍ଟୁ ରାଓ ପ୍ରମୁଖ ରହିଛନ୍ତି ।
ଚଳିତ ବର୍ଷ ଏହି ଗ୍ରୁପ୍ ପକ୍ଷରୁ ଚିରାଗ ସାଉଣ୍ଡ ସାମିଲ କରାଯିବ । ଡଲ୍ବି ସିନେମା ହଲ୍ର ସାଉଣ୍ଡ ଭଳି ‘ଚିରାଗ୍ ସାଉଣ୍ଡ ସିଷ୍ଟମ’ରେ କଣ୍ଠଶିଳ୍ପୀ ଗୀତ ପରିବେଷଣ କରିବେ । ଏହା ଦର୍ଶକଙ୍କୁ ବହୁ ଆକୃଷ୍ଟ କରିବ ବୋଲି ସାଗର ସଙ୍ଗମର ଆଙ୍କର କମ୍ ପ୍ରୋପ୍ରାଇଟର ମହମ୍ମଦ ଆବିଦ୍(ବାବୁ) କହିଛନ୍ତି । ସେହିପରି କିଙ୍ଗ ଆଣ୍ଡ କୁଇନ୍ ପକ୍ଷରୁ ମଧ୍ୟ ଅଗଷ୍ଟ ୨୩ ତାରିଖରୁ ଅଭ୍ୟାସ ଆରମ୍ଭ ହୋଇଛି । ଏଥରିରେ ସାରେଗାମାପା ସୋ’ର କଣ୍ଠଶିଳ୍ପୀ ଆର୍ଯ୍ୟ ସାଇ ପ୍ରସାଦ, ନିହାରିକା, ଆଶ୍ରିତା ଓ କେରକେରା ପ୍ରମୁଖ ରହିଛନ୍ତି । ଗୀତ ସାଙ୍ଗକୁ ନୃତ୍ୟକୁ ମଧ୍ୟ ଏହି ଗ୍ରୁପ୍ ପ୍ରାଧାନ୍ୟ ଦେଇଛି ।