ପ୍ରମୁଖ ଖବର
  • ବଡ଼ଚଣା : ହାଇୱାକୁ ଧକ୍କା ଦେଲା ବସ୍, ଜଣେ ମୃତ ୧୦ରୁ ଅଧିକ ଆହତ
  • ||
  • ପୁରୀ : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜି ସୁନା, ବଜାର ମୂଲ୍ୟ ୭୦ଲକ୍ଷରୁ ଅଧିକ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବାଲେଶ୍ଵର, ବାରିପଦା, ଓ କେନ୍ଦ୍ରାପଡ଼ାରେ କରିବେ ପ୍ରଚାର
  • ||
  • ଭୁବନେଶ୍ଵର : କଂଗ୍ରେସ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ଖଡଗେ, ଆସନ୍ତାକାଲି ସିମୁଳିଆରେ ରାହୁଲଙ୍କ ସମାବେଶ
  • ||
  • ଫେରିଲା ଗ୍ରୀଷ୍ମ ପ୍ରବାହ, ୩୧ ଯାଏଁ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ, ଗୁଳୁଗୁଳି ସାଙ୍ଗକୁ କଲବଲ କରିବ ତାତି
  • ||

ଚିକିଟିରେ ଦୁଇ ଭାଇ ଲଢ଼େଇ: ବଡ଼ ଭାଇ କଂଗ୍ରେସରୁ, ସାନ ବିଜେପି ପ୍ରାର୍ଥୀ

ପାତ୍ରପୁର,୧୩/୪: ଦୁଇ ଭାଇ  ଦୁଇ ଦଳରୁ ପ୍ରାର୍ଥୀ  । ଜଣକ ପାଇଁ ବାପା  ଓ ଅନ୍ୟ ଜଣକ ପାଇଁ ସ୍ତ୍ରୀ ଧରିଛନ୍ତି  ପ୍ରଚାରର ମଙ୍ଗ । ରାଜନୀତିରେ ସବୁକିଛି  ସମ୍ଭବ । ବାପପୁଅ ଓ ଭାଇଭାଇ ନିର୍ବାଚନ  ରଣାଙ୍ଗନରେ ବେଳେବେଳେ ପ୍ରତିଦ୍ୱନ୍ଦ୍ୱୀ  ପାଲଟି ଯାଆନ୍ତି । ଦୁଇ ଭାଇ ଦୁଇ ଜାତୀୟ  ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ  ହୋଇ ପରସ୍ପର ବିରୋଧରେ ନିର୍ବାଚନ  ଲଢ଼ୁଛନ୍ତି । ବାପା ବଡ଼ପୁଅକୁ ସମର୍ଥନ  କରୁଥିବା ବେଳେ ଅନ୍ୟ ଜଣେ ପୁଅ ପାଇଁ  ତାଙ୍କ ସ୍ତ୍ରୀ କରୁଛି ପ୍ରଚାର । ଏଭଳି ଏକ  ରୋଚକ ଘଟଣା ଗଞ୍ଜାମ ଜିଲ୍ଲାର ଚିକିଟି  ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ।  

କଂଗ୍ରେସ ଦଳର ବର୍ଷିଆନ ନେତା  ତଥା ଓଡ଼ିଶା ବିଧାନସଭାର ପୂର୍ବତନ  ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାଙ୍କ  ଦୁଇ ପୁଅ ଏବେ ନିର୍ବାଚନ ମଇଦାନରେ  ମୁହାଁମୁହିଁ ହୋଇଛନ୍ତି । ବଡ଼ ପୁଅ  ରବୀନ୍ଦ୍ରନାଥ ଦ୍ୟାନସାମନ୍ତରା କଂଗ୍ରେସରୁ  ପ୍ରାର୍ଥୀ ହୋଇଥିବା ବେଳେ ସାନ ପୁଅ ମନୋରଞ୍ଜନ ଦ୍ୟାନସାମନ୍ତରା ବିଜେପିରୁ  ଟିକଟ ପାଇଛନ୍ତି । ଉଭୟେ ପ୍ରଚାର ଓ  ପ୍ରସ୍ତୁତି ଜୋରଦାର କରିଛନ୍ତି । ଲୋକଙ୍କ  ପାଇଁ କରିଥିବା କାମକୁ ନେଇ ଚିନ୍ତାମଣି  ପୁଅ ରବୀନ୍ଦ୍ରଙ୍କୁ ସମର୍ଥନ କରି ଭୋଟ  ଭିକ୍ଷା କରୁଛନ୍ତି । ବିଜେପିରେ ଥିବାରୁ  ବାପା ଓ ପରିବାର ଲୋକଙ୍କ ସମର୍ଥନରୁ  ବଞ୍ଚିତ ମନୋରଞ୍ଜନ କିନ୍ତୁ ଭାଙ୍ଗି ନପଡ଼ି  ନିଜ ସଙ୍ଗଠନକୁ ସୁଦୃଢ଼ କରିଚାଲିଛନ୍ତି । ତାଙ୍କୁ ସାହସ ଓ ଭରସା ଦେଉଛନ୍ତି  ପତ୍ନୀ ମୀନା ଦ୍ୟାନସାମନ୍ତରା । ମୀନା ହିଁ  ପ୍ରଚାରର ମଙ୍ଗ ଧରି ଘରକୁ ଘର ବୁଲି  ଭୋଟ ଭିକ୍ଷା କରୁଛନ୍ତି । ରାଜନୈତିକ  ସଭାରେ ଶ୍ୱଶୁର ଓ ଦେଢଶୁରଙ୍କୁ  କଟାକ୍ଷ କରି ମୀନାଙ୍କ ବୟାନବାଜି  ଚିକିଟି ନିର୍ବାଚନମଣ୍ଡଳୀରେ ବେଶ  ଚର୍ଚ୍ଚାରେ ରହିଛି । କଂଗ୍ରେସ ଟିକଟରୁ  ଲଢ଼ୁଥିବା ରବୀନ୍ଦ୍ର ବାପାଙ୍କୁ ଆଦର୍ଶ  ମାନି ଭୋଟ ଭିକ୍ଷା କରୁଥିବା ବିଜେଡି  ସରକାରଙ୍କୁ ଗାଦିଚ୍ୟୁତ ପାଇଁ ଥରୁଟିଏ  ତାଙ୍କୁ ସୁଯୋଗ ଦେବାକୁ ଭୋଟରଙ୍କୁ ମନୋରଞ୍ଜନ ଅନୁରୋଧ କରିଛନ୍ତି ।  ଦିନେ ଚିକିଟି ନିର୍ବାଚନମଣ୍ଡଳୀରେ  କଂଗ୍ରେସର ଆଧିପତ୍ୟ ଥିଲା । 

୨୦୦୯  ମସିହାରେ ଶେଷଥର ପାଇଁ ଚିନ୍ତାମଣି  ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଚିକିଟି ରାଣୀ ଉଷା  ଦେବୀଙ୍କ ଠାରୁ ପରାସ୍ତ ହେବା ପରଠାରୁ  ଆଉ ନିର୍ବାଚନ ଲଢ଼ିନାହାନ୍ତି । ୨୦୧୪ରେ  ମନୋରଞ୍ଜନ କଂଗ୍ରେସରୁ ଟିକଟ ପାଇ  ଉଷା ଦେବୀଙ୍କ ବିରୋଧରେ ଲଢ଼ି ପରାସ୍ତ  ହୋଇଥିଲେ । ୨୦୧୯ ମସିହାରେ ବିଜେପି  ଟିକଟରୁ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀ ଉଷା  ଦେବୀଙ୍କ ଠାରୁ ପରାସ୍ତ ହୋଇଥିଲେ । କିନ୍ତୁ  ମନୋରଞ୍ଜନଙ୍କ ଭୋଟ ହାର ପୂର୍ବାପେକ୍ଷା  ବଢିଥିଲା । ୨୦୨୨ ପଞ୍ଚାୟତ ନିର୍ବାଚନରେ  ମଧ୍ୟ ମନୋରଞ୍ଜନ ଚିକିଟି ନିର୍ବାଚନମଣ୍ଡଳୀ  ଅନ୍ତର୍ଗତ ପାତ୍ରପୁର ବ୍ଲକ ବିଜେପି  ଦଖଲକୁ ଆଣି ରେକର୍ଡ କରିଥିଲେ ।  

ବାପା ଚିନ୍ତାମଣି ଦୁଇ ପୁଅଙ୍କ  ରାଜନୈତିକ ଗୁରୁ । ହେଲେ ଚଳିତ  ନିର୍ବାଚନରେ ବାପା ଓ ବଡ଼ ପୁଅ ଗୋଟିଏ  ପଟେ । ସାନପୁଅର ରାସ୍ତା ଭିନ୍ନ। ଦୁଇ  ଭାଇଙ୍କ ଏହି ରାଜନୈତିକ ଯୁଦ୍ଧରେ କିଏ  ଫାଇଦା ନେବ ଏବେ ଚର୍ଚ୍ଚା  । ରାଜନୀତିରେ  ଏମିତି ଗୋଟିଏ ପରିବାର ମଧ୍ୟରେ ଲଢେଇ ହେବା ନୂଆ ନୁହେଁ ବୋଲି  କହିଛନ୍ତି ରବୀନ୍ଦ୍ରନାଥ ଦ୍ୟାନସାମନ୍ତରା ।  ଅନ୍ୟପକ୍ଷରେ ମହାଭାରତରେ ଅର୍ଜୁନଙ୍କ  କଥାକୁ ମନେ ପକାଇ ମନୋରଞ୍ଜନ  କହିଛନ୍ତି ନିର୍ବାଚନ ମଇଦାନରେ ମୋ  ଆଗରେ ଯିଏ ବି ଛିଡ଼ା ହେଉଛି ସେ  ମୋ ଭାଇ ହେଲେ ବି ପ୍ରତିଦ୍ୱନ୍ଦ୍ୱୀ ।

  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.