ପ୍ରମୁଖ ଖବର
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଆଜି ସନ୍ଧ୍ୟାରେ ଥମିବ ପ୍ରଚାର, ୮୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ୧୩ରେ

ବ୍ରହ୍ମପୁର,୧୧/୦୫: ଶନିବାର ସନ୍ଧ୍ୟାରେ ପ୍ରଚାର ସରିବ । ମେ ୧୩ରେ ରାଜ୍ୟରେ ପ୍ରଥମ  ପର୍ଯ୍ୟାୟ ନିର୍ବାଚନ । ରାଜ୍ୟର ୪ଟି ଲୋକସଭା ଆସନ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନ ଏବଂ ୨୮ଟି  ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ।  ଏପ୍ରିଲ ୨୫ରେ ନାମାଙ୍କନ ଦାଖଲ ସରିଥିଲା । ଆରମ୍ଭ ହୋଇଥିଲା ପ୍ରଚାର କୋଳାହଳ । ପ୍ରାର୍ଥୀମାନେ  ରାସ୍ତାକୁ ଓହ୍ଲାଇଥିଲେ । ଶହ ଶହ କର୍ମୀ ଓ ସମର୍ଥକଙ୍କ  ଗହଣରେ ବାଜାବାଜଣା ସହିତ ଧୁମ୍‌ ମଚାଇଥିଲେ  ପ୍ରାର୍ଥୀ । ବିଜେଡି ଓ ବିଜେପିର ଶୀର୍ଷ ନେତୃତ୍ୱ  ପ୍ରଚାରରେ ସାମିଲ ହୋଇଥିଲେ ।  

ଦକ୍ଷିଣ ଓଡ଼ିଶାକୁ ଅଧିକ ଫୋକସ୍‌ କରିଥିଲେ  ବିଜେଡି ଓ ବିଜେପି । ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ  ବିଜେପି ପ୍ରାର୍ଥୀଙ୍କ ପ୍ରଚାରରେ ସାମିଲ ହୋଇଥିଲେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ  ପ୍ରସାଦ ନଡ୍ଡା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ  ସିଂ, କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଆସାମ  ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଭଳି ହାଇପ୍ରୋଫାଇଲ  ଷ୍ଟାର ପ୍ରଚାରକ । ସେହିପରି ବିଜେଡି ପ୍ରାର୍ଥୀଙ୍କ ପ୍ରଚାର  ମଙ୍ଗ ଧରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ  ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍‌ । ସିନେ ତାରକା  ଦମ୍ପତି ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ମଧ୍ୟ ବିଜେଡି  ପ୍ରଚାରରେ ଦେଖିବାକୁ ମିଳିଥିଲା । କଂଗ୍ରେସର  କୌଣସି ଷ୍ଟାର ପ୍ରଚାରକ ଯୋଗ ଦେଇନାହାନ୍ତି ।  ରାଜ୍ୟ ବା କେନ୍ଦ୍ରୀୟ ନେତା ବ୍ରହ୍ମପୁର ଲୋକସଭା  କ୍ଷେତ୍ରକୁ ଗସ୍ତ କରିନାହାନ୍ତି । ଚଳିତ ଥର  ସୋସିଆଲ ମିଡିଆ ପ୍ରଚାରର ବଡ଼ ମାଧ୍ୟମ ହୋଇଛି ।  କାନ୍ଥବାଡ଼ରେ ପ୍ରାଚୀର ପତ୍ର ବିଶେଷ ଦେଖିବାକୁ  ମିଳିନାହିଁ । ନିର୍ବାଚନ କ୍ୟାମ୍ପେନିଂରେ ସେମିତି ନୂଆ  ତରିକା ଦେଖିବାକୁ ମିଳିନାହିଁ । ଡାକବାଜି ଯନ୍ତ୍ର ଯୋଗେ  ଚିରାଚରିତ ବ୍ୟବସ୍ଥା ଭିତରେ ପ୍ରଚାର ହୋଇଛି ।  ସାହିବସ୍ତିରେ ପ୍ରଚାର ଶୋଭାଯାତ୍ରାରେ ପ୍ରାର୍ଥୀଙ୍କୁ  ଫୁଲମାଳରେ ପୋତି ପକାଉଥିବା ଦେଖିବାକୁ ମିଳିଛି ।  ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ରହିଛି ଗଞ୍ଜାମ  ଜିଲ୍ଲାର ବ୍ରହ୍ମପୁର ଦିଗପହଣ୍ଡି, ଛତ୍ରପୁର, ଚିକିଟି ଓ  ଗୋପାଳପୁର ବିଧାନସଭା ଆସନ ଏବଂ ଗଜପତି  ଜିଲ୍ଲାର ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା  ନିର୍ବାଚନମଣ୍ଡଳୀ । ଲୋକସଭା କ୍ଷେତ୍ରରେ ୧୧ ଜଣ  ପ୍ରତିଦ୍ୱନ୍ଦ୍ୱୀ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।  

ଲୋକସଭା ଆସନ ଅର୍ନ୍ତଗତ ୭ଟି ବିଧାନସଭା  ଆସନରେ ମୋଟ ୭୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା  କରୁଛନ୍ତି । ବ୍ରହ୍ମପୁର ବିଧାନସଭା ଆସନରେ ସର୍ବାଧିକ  ୧୭ ଜଣ ପ୍ରତ୍ୟାଶୀ ଥିବା ବେଳେ ଛତ୍ରପୁର ୧୦,  ଦିଗପହଣ୍ଡି ୧୩, ଗୋପାଳପୁର ୧୦, ଚିକିଟି ୮,  ମୋହନା ୭ ଓ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀରେ  ୧୦ ଜଣ ପ୍ରାର୍ଥୀ ରହିଛନ୍ତି । ସୋମବାର ଏସବୁ ପ୍ରାର୍ଥୀଙ୍କ  ଭାଗ୍ୟ ନିର୍ଦ୍ଧାରଣ ହେବ । ୨୦୧୯ ନିର୍ବାଚନରେ ୬୫.୯  ପ୍ରତିଶତ ମତଦାନ ହୋଇଥିଲା । ବିଜେଡି ୪୫,  ବିଜେପି ୩୫ ଓ କଂଗ୍ରେସ ପ୍ରାର୍ଥୀ ୧୪ ପ୍ରତିଶତ  ଭୋଟ ପାଇଥିଲେ।  ଲୋକସଭା କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ  ବିଜେଡି ଓ ବିଜେପି ମଧ୍ୟରେ ସୀମିତ ରହିଛି ।  ବିଜେଡିର ଭୃଗୁ ବକ୍ସିପାତ୍ର ଓ ବିଜେପିର ପ୍ରଦୀପ  ପାଣିଗ୍ରାହଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଛି ।  

୨୦୧୯ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନ  ବିଜେଡି ଦଖଲରେ ରହିଥିଲା । ୭ଟି ବିଧାନସଭା  ଆସନ ମଧ୍ୟରୁ ମୋହନାରେ କଂଗ୍ରେସ ଓ  ପାରଳାଖେମୁଣ୍ଡିରେ ବିଜେପି ବିଜୟୀ ହୋଇଥିବା  ବେଳେ ଅବଶିଷ୍ଟ ୫ଟି ଆସନ ବିଜେଡି ଦଖଲରେ  ରହିଥିଲା । ଚଳିତ ନିର୍ବାଚନ ଫଳାଫଳରେ  କିଛି ବଦଳିବା ଆକଳନ କରିଛି ରାଜନୈତିକ  ମହଲ । ପାରଳାଖେମୁଣ୍ଡି ଓ ମୋହନାରେ ତ୍ରିମୁଖୀ  ପ୍ରତିଦ୍ୱନ୍ଦ୍ୱିତା ସମ୍ଭାବନା ବେଳେ ଗଞ୍ଜାମ ଜିଲ୍ଲାର  ଅବଶିଷ୍ଟ ୫ଟି ଆସନରେ ଦ୍ୱିମୁଖୀ ଲଢ଼େଇ ହେବା  ଅନୁମାନ କରାଯାଉଛି ।

  • PrameyaOdia
  • prameya
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.