ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପିସିଆର୍‌ ଗାଡ଼ି ପରିଚାଳନାରେ ବିଚିତ୍ର ନୀତି: ନୂଆ ମିଳିଲେ ପୁରୁଣା ଖତ, ଖରାପ ହେଲେ ମରାମତି କରୁନାହାନ୍ତି

ଭୁବନେଶ୍ୱର, ୨୩/୦୩: ମାଗଣାରେ ନୂଆ ପିସିଆର୍‌ ଗାଡ଼ି ମିଳିଯାଉଛି । ପର ଧନରେ ନୂଆ ପିସିଆର୍‌ ଚଢ଼ିବାର ସଉକ କମିଶନରେଟ୍‌ ପୁଲିସ୍‌ର ଏତେ ବଢ଼ିଯାଇଛି ଯେ, ବର୍ଷେ ପୂରିଗଲେ ସେ ଗାଡ଼ିକୁ ଆଉ ପଚାରୁ ନାହାନ୍ତି । ଯେତିକି ନୂଆ ପଶୁଛି ସେତିକି ଗାଡ଼ି ବାହାର କରି ଦେଉଛନ୍ତି । ଏଥିରେ ୨ଟି ଫାଇଦା । ପ୍ରଥମଟି ହେଉଛି ନୂଆ ଗାଡ଼ି ଚଢ଼ିବେ । କାରଣ ପୁରୁଣା ଚଢ଼ିଲେ ତେଲ ଅଧିକ ଖାଇବ । ଦ୍ୱିତୀୟ ଫାଇଦା ହେଉଛି ଯେତିକି ଅଧିକ ପିସିଆର୍‌ ଗାଡ଼ି ଗଡ଼ିବ ସେତିକି ଅଧିକ କର୍ମଚାରୀ ଆବଶ୍ୟକ । ଗାଡ଼ି ସଂଖ୍ୟା କମାଇ ଦେଲେ କିଛି ଟେନସନ୍‌ ନାହିଁ । ସେଥିପାଇଁ ପିସିଆର୍‌ ସଂଖ୍ୟା ବୃଦ୍ଧି କରୁନାହାନ୍ତି । ଗତ ୧୦ ବର୍ଷ ତଳେ ଯେତିକି ପିସିଆର୍‌ (ଭ୍ୟାନ୍‌/ବାଇକ୍‌) ଥିଲା ଏବେ ବି ସେତିକି । 

୨୦୦୮ରେ କମିଶନରେଟ୍‌ ପୁଲିସ୍‌ ବ୍ୟବସ୍ଥା ଆରମ୍ଭ ବେଳେ ଭୁବନେଶ୍ୱର ୟୁପିଡିରେ ଥିଲା ୨୦ଟି ଥାନା । ପିସିଆର୍‌ ସଂଖ୍ୟା ଥିଲା ୨୫ । ୨୦୧୩ ଶେଷ ବେଳକୁ ଭୁବନେଶ୍ୱରରେ ୩୩ଟି ଏବଂ କଟକରେ ୨୦ଟି ପିସିଆର୍‌ ଭ୍ୟାନ୍‌ ଯୋଡ଼ି ହୋଇଥିଲା । ୨୦୧୫ରୁ ଆଜି ପର୍ଯ୍ୟନ୍ତ ନାଲ୍‌କୋ ୩୧ଟି ପିସିଆର୍‌ ଭ୍ୟାନ୍‌ ଓ ୫୦ଟି ପିସିଆର୍‌ ବାଇକ୍‌ ଦେଇଛି । ପୁଲିସ ମୁଖ୍ୟାଳୟ ତରଫରୁ ବିଭିନ୍ନ ପର୍ଯ୍ୟାୟରେ ଟୁଇନ୍‌ ସିଟି ପାଇଁ ୨୦ଟି ପିସିଆର ଭ୍ୟାନ୍‌ ଏବଂ ୩୦ଟି ସ୍ପିଡ୍‌ ବାଇକ୍‌ ଦିଆଯାଇଛି । ତା’ଛଡ଼ା ବିଭିନ୍ନ ଘରୋଇ ହସ୍ପିଟାଲ୍‌, କଲେଜ ଓ ବ୍ୟାଙ୍କ ପକ୍ଷରୁ ମଧ୍ୟ ଏକାଧିକ ଭ୍ୟାନ୍‌ ଓ ବାଇକ୍‌ ଯୋଗାଇ ଦିଆଯାଇଛି । ଏସବୁ ମିଳିବା ପରେ ଏବେ କମିଶନରେଟ୍‌ ପୁଲିସ ଭୁବନେଶ୍ୱର ୟୁପିଡିରେ ଗଡ଼ୁଛି ୩୬ଟି ପିସିଆର୍‌ ଭ୍ୟାନ୍‌ ଓ ୨୫ଟି ବାଇକ୍‌ । କଟକରେ ୨୨ଟି ପିସିଆର୍‌ ଭ୍ୟାନ୍‌ ଓ ୧୮ଟି ବାଇକ୍‌ ରହିଛି । 

ଏତେ ପରିମାଣରେ ଗାଡ଼ି ଆସୁଥିଲେ ମଧ୍ୟ ସଂଖ୍ୟା ନବଢ଼ିବା ପଛରେ ପୁଲିସ୍‌ର ଅପାରଗତା ରହିଛି । ମାଗଣା ଗାଡ଼ି ପାଇବା ପରେ ଏମାନେ ମନଇଚ୍ଛା ଚଢ଼ୁଛନ୍ତି । ଏହା ଭିତରେ ଗାଡ଼ିରେ ଇଞ୍ଜିନ୍‌ ଅଏଲ୍‌ ପକାଇବା କଥା ଭୁଲିଯାଉଛନ୍ତି । ହାତ ଗଣତି ପିସିଆର୍‌ ଡ୍ରାଇଭରଙ୍କୁ ଛାଡ଼ିଲେ ଅଧିକାଂଶଙ୍କ ଖାମଖିଆଲି ମନୋଭାବ । ସହର ଗଳି କନ୍ଦିରେ ଯେତିକି ପିସିଆର୍‌ ବୁଲୁଛି, ସେଥିରେ ପ୍ରତି ୨ ମାସରେ ଥରେ ଇଞ୍ଜିନ୍‌ ଅଏଲ୍‌ ବଦଳାଇବା ନିୟମ ରହିଛି । ହେଲେ ବେଫିକର ଡ୍ରାଇଭର ସେସବୁ କରୁନାହାନ୍ତି । ଏଣୁ ଭ୍ୟାନ୍‌ର ଇଞ୍ଜିନ୍‌ ସିଜ୍‌ ହୋଇଯାଉଛି । ଭ୍ୟାନ୍‌ ଅପେକ୍ଷା ବାଇକ୍‌ର ଇଞ୍ଜିନ୍‌ ଅଧିକ ସିଜ୍‌ ହେଉଥିବା ଦେଖିବାକୁ ମିଳୁଛି । ଥରେ ଖରାପ ହେଲେ ମରାମତିର ନାଁ ଧରୁନାହାନ୍ତି । 

ନିୟମ କହୁଛି, ପିସିଆର୍‌ ଗାଡ଼ି (ଭ୍ୟାନ୍‌ ଓ ବାଇକ୍‌) କେହି ଦାନ କଲେ କିମ୍ବା ସରକାର ଦେଲେ ସେ ସମ୍ପର୍କରେ ପୁଲିସ୍‌ ମୁଖ୍ୟାଳୟରେ ଥିବା ପୁଲିସ୍‌ ମୋଟର ଟ୍ରାନ୍ସପୋର୍ଟ (ପିଏମ୍‌ଟି)କୁ ଅବଗତ କରିବା କଥା । ପିଏମ୍‌ଟିରେ ଥିବା ଅଧିକାରୀ କେଉଁ ଗାଡ଼ି ପାଇଁ ବାର୍ଷିକ କେତେ ଟଙ୍କା ଖର୍ଚ୍ଚ ହେବ ତା’ର ତାଲିକା କରନ୍ତି । ଉଦାହରଣ ସ୍ୱରୂପ ଯଦି ପ୍ରଥମ ବର୍ଷରେ ଗାଡ଼ି ମରାମତି ପାଇଁ ୫୦ ହଜାର ଟଙ୍କା ଅନୁମୋଦନ ହେଉଥାଏ ତା’ହେଲେ ଦ୍ୱିତୀୟ ବର୍ଷକୁ ଏହା ୩୦ ହଜାର ଟଙ୍କା ଏବଂ ତୃତୀୟ ବର୍ଷକୁ ଏହା ୧୫ ହଜାର ଟଙ୍କାକୁ ଖସି ଆସେ । କୌଣସି ପିସିଆର ଭ୍ୟାନ୍‌ରେ ଇଞ୍ଜିନ୍‌ ସିଜ୍‌ ହେଲେ ଟଙ୍କା ପିଏମ୍‌ଟି ତରଫରୁ ଆସୁନାହିଁ । ପୁଲିସ୍‌ ମଧ୍ୟ ପକେଟ୍‌ରୁ ଟଙ୍କା ଖର୍ଚ୍ଚ କରେନି । ଏଣୁ ଗାଡ଼ି ପଡ଼ି ପଡ଼ି ଖତ ହୋଇଯାଏ । ଭ୍ୟାନ୍‌ ଅପେକ୍ଷା ବାଇକ୍‌ ଅଧିକ ଖରାପ ହେଉଛି । 

ଗୋଟିଏ ପିସିଆର୍‌ ଭ୍ୟାନ୍‌ ୪ରୁ ୫ ଲକ୍ଷ କିଲୋମିଟର ଗଡ଼ିବା ପରେ ଆଉ ଗଡ଼ିବା କ୍ଷମତା ନ ଥାଏ । ପୁନଃ ଏଗୁଡ଼ିକୁ ବ୍ୟବହାରଯୋଗ୍ୟ ପାଇଁ ଇଞ୍ଜିନ୍‌ ଓ ବଡି ସମ୍ପୂର୍ଣ୍ଣ ମରାମତି ଆବଶ୍ୟକ । ଏହି ମରାମତି ପାଇଁ ଯେତିକି ଅର୍ଥ ଆବଶ୍ୟକ ସେସବୁ ପିଏମ୍‌ଟି ଦିଏନାହିଁ । ଟୁଇନ୍‌ ସିଟିର କେତେକ ଥାନାରେ ଭଲ ଇନ୍ସପେକ୍ଟର ନିଜସ୍ୱ ଉଦ୍ୟମରେ ଅର୍ଥ ଯୋଗାଡ଼ କରି କିଛିମାତ୍ରାରେ ଗାଡ଼ି ମରାମତି କରୁଛନ୍ତି । କିନ୍ତୁ ଅଧିକାଂଶ ଗାଡ଼ି ସେମିତି ଖତ ଖାଉଛି ।

ଏନେଇ ପୁଲିସ୍‌ କଣ୍ଟ୍ରୋଲ୍‌ ରୁମ୍‌ର ଇନ୍‌ଚାର୍ଜ ଏଡିସିପି ବାନାମ୍ବର ସେଠୀ କହିଛନ୍ତି, ବର୍ତ୍ତମାନ ଭୁବନେଶ୍ୱରରେ ୩୬ଟି ପିସିଆର୍‌ ଭ୍ୟାନ୍‌ ଗଡ଼ୁଛି । ଗତ ୧୫ ତାରିଖରେ ନାଲ୍‌କୋ ୫ଟି ପିସିଆର୍‌ ଦେଇଛି । କଟକରେ ୨ଟି ପିସିଆର୍‌ ଖରାପ ହୋଇପଡ଼ିଛି । ସେଠାକୁ ୨ଟି ପିସିଆର୍‌ ଦିଆଯିବ । ମୈତ୍ରୀବିହାର ଥାନାରେ ପିସିଆର୍‌ ଭ୍ୟାନ୍‌ ନାହିଁ । ସେଠାକୁ ଗୋଟିଏ ଦିଆଯିବ । ଅନ୍ୟ ୨ଟି ଖରାପ ପିସିଆର୍‌ ବଦଳାଯିବ । ଯେଉଁ ହାରରେ ପାଟ୍ରୋଲିଂ ହେଉଛି ସେଥିରେ ଗାଡ଼ି ଖରାପ ହେବା ଥୟ ବୋଲି ଶ୍ରୀ ସେଠୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.