ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡାକ୍ତରଙ୍କ କଥାରେ ନର୍ସିଂହୋମ୍‌ ଗଲେନି ବୋଲି..କାଜୁଆଲ୍‌ଟିରେ ୧୨ ଘଣ୍ଟା ଛଟପଟ ହେଲେ ରୋଗୀ, ଗୁରୁତରଙ୍କୁ ମିଳିଲାନି ଜରୁରି ଚିକିତ୍ସା

କଟକ,୦୬/୦୨: ଗତକାଲି ମେସିନ୍‌ରେ କାଠ ପଟା କାଟୁଥିବାବେଳେ ଲୁହା କଟର୍‌ ପଶି ହାତ ମାଂସପେଶୀକୁ କାଟି ପକାଇଥିଲା । କ୍ୟାପିଟାଲ୍‌ ହସ୍ପିଟାଲରେ ଚିକିତ୍ସା ସୁବିଧା ନ ଥିବାରୁ ଏସ୍‌ସିବି ମେଡିକାଲ୍‌ର କାଜୁଆଲ୍‌ଟିରେ ଦିନ ପ୍ରାୟ ଗୋଟାଏରେ ଆସି ପହଞ୍ଚିଥିଲେ । ତେବେ ଏସ୍‌ସିବି ଆଶୁଚିକିତ୍ସା କେନ୍ଦ୍ରରେ ଡାକ୍ତରଙ୍କ କଥାରେ ଗୁରୁତରଙ୍କୁ ନର୍ସିଂହୋମ୍‌କୁ ନିଆନଯିବାରୁ ଡାକ୍ତର ବିଗିିଡ଼ି ଯାଇଥିଲେ । ଫଳରେ ଆଶୁଚିକିତ୍ସା କେନ୍ଦ୍ରରେ ଦିନ ଗୋଟାଏରୁ ରାତି ଗୋଟାଏ ପର୍ଯ୍ୟନ୍ତ ଅସହାୟ ଅବସ୍ଥାରେ ପଡ଼ି ଛଟପଟ ହୋଇଥିଲେ । ଏମିିତିକି ପେନ୍‌କିଲର୍‌ ଇଞ୍ଜେକସନ୍‌ଟିଏ ମଧ୍ୟ ତାଙ୍କୁ ଦେଇନଥିଲେ । ପରେ ସମାଜସେବୀଙ୍କ ହସ୍ତକ୍ଷେପ ପରେ ଗତକାଲି ରାତି ୨ଟା ୩୦ ମିନିଟ୍‌ରେ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ଅପରେସନ୍‌ କରାଯିବାରୁ ଗୁରୁତରଙ୍କ ହାତଟି ନଷ୍ଟ ହେବାରୁ ରକ୍ଷାପାଇଯାଇଛି । 

ଖବରରୁ ପ୍ରକାଶ, ବାଲେଶ୍ୱର ଅଞ୍ଚଳର ବଳରାମ ମିଶ୍ର ଭୁବନେଶ୍ୱରରେ ରହି କାଠ ମିସ୍ତ୍ରୀ କାମ କରନ୍ତି । ଗତକାଲି ଭୁବନେଶ୍ୱର ସାମନ୍ତରାପୁର ଅଞ୍ଚଳର ସନ୍ତୋଷ ପାଢ଼ୀଙ୍କ ଘରେ କାଠପଟାକୁ ଏକ ମେସିନ୍‌ରେ କାଟୁଥିବାବେଳେ ଧାରୁଆ ଲୁହାପାତ ଛିଟ୍‌କି ସନ୍ତୋଷଙ୍କ ବାମ ହାତ ମାଂସପେଶୀରେ ପଶିଯାଇଥିଲା । ସନ୍ତୋଷ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ବଳରାମ ସେଠାରୁ ଆସି ଏସ୍‌ସିବିରେ ଦିନ ଗୋଟାଏରେ ପହଞ୍ଚିଥିଲେ । ତେବେ ଘଣ୍ଟାଏ କାଳ ବେଡ୍‌ ଉପରେ ପଡ଼ି ରହିଥିଲେ ମଧ୍ୟ ଡାକ୍ତର ତାଙ୍କ ପାଖରେ ପହଞ୍ଚି ନ ଥିଲେ । ଏମିତିକି ଡ୍ରେସିଂ ରୁମ୍‌ ଭିତରକୁ ନେଇ କ୍ଷତ ଅବସ୍ଥା ଦେଖିବା ପୂର୍ବରୁ ବଳରାମଙ୍କୁ ଏକ ନିର୍ଦ୍ଦିଷ୍ଟ ନର୍ସିଂହୋମ୍‌କୁ ନେଇଯିବା ପାଇଁ ନିୟୋଜିତ ଜଣେ ଡାକ୍ତର ପରାମର୍ଶ ଦେଇଥିଲେ ।

 ‘ଏସ୍‌ସିବିରେ ଜରୁରି ସେବା ମିଳିବା କଷ୍ଟ । ଦୁର୍ଘଟଣାଗ୍ରସ୍ତଙ୍କ ଅବସ୍ଥା ଯାହା, ତାଙ୍କୁ ନର୍ସିଂହୋମ୍‌କୁ ନେଇ ଅପରେସନ କଲେ ଯାଇ ହାତ ରହିବ, ନଚେତ ସବୁ ଦିନ ପାଇଁ ହାତ ହରାଇବାକୁ ପଡ଼ିବ’ ବୋଲି ଡାକ୍ତର କହିବାରୁ ବଳରାମଙ୍କ ସମ୍ପର୍କୀୟମାନେ ଦ୍ୱନ୍ଦ୍ୱରେ ପଡ଼ିଥିଲେ । ‘୫୦ ହଜାର ଟଙ୍କା ଯୋଗାଡ଼ କର, ସେଠି ସବୁ ସୁବିଧା ମିଳିବ’ ବୋଲି ଡାକ୍ତର କହିଥିଲେ ।  ହେଲେ ଏତେ ଟଙ୍କା ଯୋଗାଡ଼ କରିବା ବଳରାମଙ୍କ ପାଇଁ ସହଜ ନଥିଲା । ଏଣେ ଡାକ୍ତରଙ୍କ କଥା ଅନୁସାରେ ବଳରାମଙ୍କୁ ନର୍ସିଂହୋମ୍‌ ନିଆନଯିବାରୁ ଏସ୍‌ସିବିରେ ତାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିନଥିଲା । ବଳରାମ ଯନ୍ତ୍ରଣାରେ ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ଆଶୁଚିକିତ୍ସା କେନ୍ଦ୍ରରେ ଛଟପଟ ହୋଇଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରିନଥିଲେ । ଉକ୍ତ ଘଟଣାରେ ସମାଜସେବୀ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ରାତି ପ୍ରାୟ ୨ଟା ୩୦ରେ ବଳରାମଙ୍କୁ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗ ଡାକ୍ତର ଓଟିକୁ ନେଇ ଅପରେସନ୍‌ କରିଥିଲେ । ଏ ସଂପର୍କରେ ଏସ୍‌ସିବି ମେଡିକାଲ୍‌ର ପ୍ରଶାସନିକ ଅଧିକାରୀ ଡଃ ଅବିନାଶ ରାଉତଙ୍କୁ ପଚାରିବାରୁ ସେ କହିଲେ, ଘଟଣାର ତଦନ୍ତ କରାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.