ନୂଆଦିଲ୍ଲୀ,୦୫/୦୯: ବ୍ରୁନେଇ ପରେ ଦୁଇ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଗସ୍ତର ଦ୍ୱିତୀୟ ଦିନରେ ସିଙ୍ଗାପୁର ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଆଜି ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସିଙ୍ଗାପୁର ପାର୍ଲାମେଣ୍ଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ସେମି କଣ୍ଡକ୍ଟର, ଡିଜିଟାଲ୍ ଟେକ୍ନୋଲୋଜି, ସ୍ବାସ୍ଥ୍ୟ ଓ ଦକ୍ଷତା ବିକାଶ ନେଇ ଦୁଇ ଦେଶ ମଧ୍ୟରେ ହୋଇଛି ବୁଝାମଣା ।
ତେବେ ଭାରତ-ସିଙ୍ଗାପୁର ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ପାର୍ଟନରସିପ୍ ସମ୍ବନ୍ଧରେ ମଧ୍ୟ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଉଭୟ ଦେଶ ସେମିକଣ୍ଡକ୍ଟର କ୍ଲଷ୍ଟର ବିକାଶ ଏବଂ ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ଉତ୍ପାଦନ ଉପରେ ଧ୍ୟାନ ଦେବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଗତକାଲି ପ୍ରଧାନମନ୍ତ୍ରୀ ସିଙ୍ଗାପୁରରେ ପହଞ୍ଚିବା ପରେ ତାଙ୍କୁ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ୍ ଭବ୍ୟ ସ୍ୱାଗତ କରିଥିଲେ। ସେହିପରି ସିଙ୍ଗାପୁରରେ ସ୍ୱାଗତ ପାଇଁ ଆୟୋଜିତ ଭାରତୀୟ ପରମ୍ପରାର ନାଚଗୀତରେ ମୋଦି ଅଭିଭୂତ ହୋଇପଡ଼ିଥିଲେ। ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟୁ ଓଡ଼ିଶୀ ଓ ଢୋଲ ବାଦ୍ୟ ଜରିଆରେ ମୋଦିଙ୍କ ସ୍ୱାଗତ କରିଥିଲେ ସିଙ୍ଗାପୁରବାସୀ।