ଆମେ ଅସନ୍ତୋଷ ସେତେବେଳେ ପ୍ରକାଶ କରୁ, ଯେବେ ଆମର କୌଣସି କାମନା ପୂର୍ତ୍ତି ନହୁଏ କିମ୍ବା ଆମ ପ୍ରତି କେହି ବିରୋଧାତ୍ମକ ମନ୍ତବ୍ୟ ଦିଅନ୍ତି । ଆଉ ମୁଖମଣ୍ଡଳ ସନ୍ତୋଷ ବା ପ୍ରସନ୍ନ ଦିଶେ ସେତେବେଳେ, ଯେବେ ଆମ ମନ ମୁତାବକ କାର୍ଯ୍ୟଟି ସମ୍ପନ୍ନ ହୁଏ । ଆମେ ଯେତେ ଅଧିକ ସନ୍ତୋଷ ପ୍ରକାଶ କରିବା ଆମ ଆତ୍ମବଳ ସେତେ ଅଧିକ ଦୃଢ଼ ହେବ । ସେ ପ୍ରତିକୂଳ ପରିସ୍ଥିତି ହେଉ ନା କାହିଁ । ଉଦାସିଆ ନିରାଶ ମୁହଁଟା ଏଣେତେଣେ ଦେଖାଇଲେ ଲୋକେ ଦୁଃଖ ବୁଝିବେ ନାହିଁ, ଓଲଟା ନାକ ଟେକିବେ । ସନ୍ତୋଷ ମୁଖମଣ୍ଡଳରେ ଚମକ ଆଣେ । ଅପରପକ୍ଷେ ଅସନ୍ତୋଷ ବିଷସଦୃଶ, ମନରେ ଉତ୍ପନ୍ନ ହୋଇ ଧୀରେ ଧୀରେ ସମଗ୍ର ଶରୀରକୁ କରିଦିଏ ବିଷାକ୍ତମୟ । ଆମେ ଆମର ସମସ୍ତ ଶକ୍ତି ସହିତ ଚେଷ୍ଟା କରିବା ଏବଂ ସ୍ଥିରତା ସହିତ ପ୍ରତ୍ୟେକ ପରିସ୍ଥିତିର ସମ୍ମୁଖୀନ ହେବା ଏବଂ ମାନସିକ ଶାନ୍ତି ବଜାୟ ରଖିବା, ଏହା ହିଁ ସନ୍ତୋଷ ଅଟେ । ଲୋକମାନେ ଇଚ୍ଛା ପୂରଣ କରି ସନ୍ତୁଷ୍ଟ ହେବାକୁ ଚାହାଁନ୍ତି, କିନ୍ତୁ ଏହି ରାସ୍ତା ସମ୍ପୂର୍ଣ୍ଣ ଭୁଲ୍ । ତାହା କେବଳ ଇଚ୍ଛା ଦୂର କରି ହାସଲ ହୁଏ ଆଉ ଇଚ୍ଛା ଆବଶ୍ୟକତା ଅପୂର୍ଣ୍ଣ ରହିଲେ ମନ ହୋଇଯାଏ ଅଶାନ୍ତ ।
ଧୈର୍ଯ୍ୟ, ସଂଯମତା, ସହନଶୀଳତା ଉଦାରତା ଦେଖାଇଲେ ମନରୁ ଦୁର୍ବଳ ଭାବନା ଦୂର ହୋଇ ବାସ୍ତବ ଶାନ୍ତି ପ୍ରାପ୍ତ ହୁଏ । ବର୍ତ୍ତମାନ ସମୟରେ ଆତ୍ମହତ୍ୟା, ଜମିବାଡ଼ି ବିବାଦ, ଚୋରି, ଠକେଇ, ଯୌତୁକ ନିର୍ଯାତନା, ହତ୍ୟା, ଦୁର୍ନୀତି ଆଦି ଘଟଣା ପ୍ରବଳରୁ ପ୍ରବଳ ମାତ୍ରାରେ ବଢ଼ିବାକୁ ଲାଗିଛି । ଆଉ ଏସବୁ ଘଟଣା ପଛରେ ମୂଳ କାରଣ କେବଳ ଅସନ୍ତୋଷ । ସବୁ ସମୟରେ ଅସନ୍ତୋଷ ପ୍ରକାଶ କଲେ ରାଗ, ହିଂସା, ଘୃଣା, ସନ୍ଦେହ ମନକୁ କବଳିତ କରିନିଏ । ପରିଶେଷରେ ବ୍ୟକ୍ତିର ଧାରଣା ଉଚିତ୍ ଅନୁଚିତ୍ ଉପରୁ ଉଠିଯାଏ । ଆଧୁନିକତାର ତାଳେ ତାଳେ ବଦଳିଛି ଆଜି ମଣିଷର ବେଶଭୂଷା ଚାଲିଚଳନ ଆଉ ଜୀବନଶୈଳୀ । ପାଖରେ ସବୁ ଥାଇ ବି ସେ ନଥିଲା ପରି ଅନୁଭବ ହେଉଛି । ଅସନ୍ତୁଷ୍ଟତା ଜାହିର କରିବାରେ ଆଜି ସଭିଏଁ ଖୁବ୍ ତତ୍ପର । ଚାକିରି ସ୍ଥାନରେ ମାଲିକ କଥା ରଖୁନି, ଘର ଲୋକଙ୍କ ଯାବତୀୟ ଫର୍ମାଇସ, ପୁଣି ଅଫିସ୍ରେ ସହକର୍ମୀ ସହିତ କଥା କଟାକଟି । ସାଇପଡ଼ିଶା ଆମ ବିରୁଦ୍ଧରେ ଯାଉଛନ୍ତି । ବନ୍ଧୁବାନ୍ଧବଙ୍କ ସହିତ ମନୋମାଳିନ୍ୟ ଏମିତି ଅନେକ କଥାକୁ ନେଇ ମନ ସବୁ ସମୟରେ ଅସନ୍ତୁଷ୍ଟ । ଟିକେ ଭଲଭାବରେ ନିରିଖେଇଲେ ଜଣାପଡ଼ିବ ଏସବୁ ପଛରେ ଆମ ସ୍ୱାର୍ଥ ଲୁକ୍କାୟିତ । ଅର୍ଥାତ୍ ସ୍ୱାର୍ଥ ପୂରଣ ହେଇଗଲେ ସନ୍ତୁଷ୍ଟ, ନହେଲେ ଅସନ୍ତୋଷ । ଆହୁରି ବି ଯିଏ ଆମ କଥା ରଖିଲା ସେ ଆମର ପ୍ରିୟ ଆଉ କଥା ନରଖିଲା ସେ ହେଲା ଆମ ଶତ୍ରୁ । ଅସନ୍ତୋଷ ରୂପକ ବିଷ ସୁସମ୍ପର୍କରେ ସୃଷ୍ଟିକରେ ଫାଟ ।
ସଦାବେଳେ ଚିଡୁଥିବା ରାଗୁଥିବା ଲୋକଟି ପର-ଆପଣା ଭୁଲି ଅପଶଦ୍ଦ ପ୍ରୟୋଗ କରେ । ଅନ୍ୟପଟେ ଜଣେ ସନ୍ତୋଷ ମଣିଷ ସ୍ନେହ ଶ୍ରଦ୍ଧା ଭଲପାଇବା ବାଣ୍ଟି ସଭିଙ୍କୁ ନିଜର କରିନିଏ । ବର୍ତ୍ତମାନ ସମୟରେ, ସବୁ କିଛିର ପ୍ରଚୁରତା ଅଛି । ତେଣୁ ମଣିଷ କ'ଣ ଚୟନ କରିବ କ’ଣ ପରିତ୍ୟାଗ କରିବ ନିଷ୍ପତ୍ତି ନେବାକୁ ସକ୍ଷମ ନୁହେଁ । ଗୋଟିଏ ପାଇବା ପରେ ସେ ଅନ୍ୟ ଉପରକୁ ଡେଇଁବାକୁ ମନ ଖୁବ୍ ବ୍ୟାକୁଳ । ଏଥିପାଇଁ ସର୍ବପ୍ରଥମେ ଆମକୁ ଜାଣିବାକୁ ହେବ ଯେ ତୃପ୍ତି ବସ୍ତୁବାଦୀ ଜିନିଷରେ ମିଳେନାହିଁ । ଯଦି ଆମେ ସନ୍ତୁଷ୍ଟ ହେବାକୁ ଚାହୁଁ, ତେବେ ଆମ ମନକୁ ସାମଗ୍ରିକ ଜିନିଷଗୁଡ଼ିକର ସମସ୍ତ ସଂଲଗ୍ନ ଠାରୁ ଅପସାରଣ କରିବାକୁ ପଡ଼ିବ, କାରଣ ଆମେ ଯାହା ସାମଗ୍ରିକ ଭାବରେ ହାସଲ କରିପାରିବା ତାହାର କୌଣସି ସୀମା ନାହିଁ । ଆମେ ନୂତନ ଜିନିଷ ଯାହାବି ଚାହୁଁ କିଛି ହାସଲ କରିବା ଏବଂ ତା'ପରେ ଆମର ଧ୍ୟାନ ଏକ ବଡ଼ ଲକ୍ଷ୍ୟକୁ ସ୍ଥାନାନ୍ତରିତ ହୁଏ । ଏଠି ଆମେ କିପରି ସନ୍ତୁଷ୍ଟ ହୋଇପାରିବା, କାରଣ ଏହି ପ୍ରକ୍ରିୟା ସାରା ଜୀବନ ଚାଲିଥାଏ । ଟିକେ ମନେ ପକେଇଲେ ପୁରୁଣା ଦିନକୁ । କଳାଧଳା ଟିଭି ସମୟକୁ । କ୍ୱଚିତ କାଁ ଭାଁ ଘରେ ଟିଭି ଦେଖିବାକୁ ମିଳେ । ସେ ପୁଣି ସପରିବାର ଏକାଠି ହୋଇ ଦେଖୁଥିଲେ । କେତେ ହସ ମଜାର ଆସର ଜମୁନଥିଲା ସେତେବେଳେ । ଧୀରେ ଧୀରେ ଆସିଲା ରଙ୍ଗୀନ ଟିଭି । ଯାହା ଘରକୁ ରଙ୍ଗୀନ ଟିଭି ଆସିଲା ଲୋକେ ତାଙ୍କ ଘରେ ରୁଣ୍ଡ ହେଉଥିଲେ ।
ସମୟକ୍ରମେ ଫ୍ଲାଟ୍ ଟିଭି ପରେ ପରେ ପୁଣି ଏଲସିଡି, ଏଲଇଡି ଟିଭି । ଘରେ ଘରେ ଖୁନ୍ଦି ହେଇଗଲା ଟିଭି । ଆଉ ଏବେ କାହା ଘରେ କେତେ ଇଞ୍ଚର ସ୍ମାର୍ଟ ଟିଭି ଚାଲିଛି ପ୍ରତିଯୋଗିତା ହେଲେ ସେଦିନ ଭଳି ସପରିବାର ସହିତ ଏକାଠି ବସିବାର ଦୃଶ୍ୟ ନାହିଁ । ଯୁଗ ସହିତ ମଣିଷ ନିଜକୁ ଅପଡେଟ ତ କରିଦେଉଛି, ତାହା ସହିତ ବହୁତ କିଛି ହରେଇ ଦେଉଛି ନିଶ୍ଚିତ । ମହାଭାରତ ପୃଷ୍ଠାରେ ଦୁର୍ଯ୍ୟୋଧନ ଥିଲେ ଜଣେ ଅସନ୍ତୋଷ ଚରିତ୍ର । ଯିଏ ସବୁ ସମୟରେ ନିଜ ରାଗ କ୍ଷୋଭ ମାମୁଁ ଶକୁନି ଏବଂ ବନ୍ଧୁ କର୍ଣ୍ଣଙ୍କ ଆଗରେ ପ୍ରକାଶ କରୁଥିଲେ । ସେ ଦିହେଁ ଥିଲେ ଦୁର୍ଯ୍ୟୋଧନଙ୍କ ଅତି ବିଶ୍ୱସ୍ତ । ହେଲେ ଦିହେଁ ଉତ୍ତମ ବୁଦ୍ଧି ଦେବା ବଦଳେ କୁବୁଦ୍ଧି ଭରି ଦେଉଥିଲେ ଦୁର୍ଯ୍ୟୋଧନଙ୍କ ମଗଜରେ । ଦୁର୍ଯ୍ୟୋଧନ କିପରି ହସ୍ତିନାପୁର ଶାସନ ଗାଦି ଦଖଲ କରିବେ, ପାଣ୍ଡବ ଭାଇମାନଙ୍କ ବିରୁଦ୍ଧରେ କି ଉପାୟ ରଚିଲେ ସେମାନେ ଅକଳରେ ପଡ଼ିବେ । ହେଲେ କ’ଣ ହେବ, ଶେଷରେ ଅଧର୍ମର ହେଲା ବିନାଶ ଆଉ ଧର୍ମର ଜୟ । ଆଜି ଆମେ ଅନ୍ୟର ସଫଳତା ଏବଂ ସୁଖ ସୌଖିନ ଜୀବନଶୈଳୀକୁ ନେଇ ଅଧିକ ଅସନ୍ତୁଷ୍ଟ । ଅନ୍ୟ ପାଖରେ ଯାହା ଦେଖିଲୁ ସଙ୍ଗେ ସଙ୍ଗେ ତୁଳନା କରିବାକୁ ଲାଗିପଡୁଚୁ ।
ଦୁଃଖ ଅନୁଭବ କରୁଛୁ ଯେ, ମୋର ସମ୍ପର୍କୀୟ ମୋ’ଠାରୁ ଅଧିକ ରୋଜଗାର କରୁଛନ୍ତି ତାଙ୍କ ପିଲାମାନେ ଆମ ପିଲାଙ୍କ ଅପେକ୍ଷା ଅଧିକ ପ୍ରତିଷ୍ଠିତ ହେଇଛନ୍ତି । ଆମେ ମଟର ସାଇକେଲରେ ରହିଗଲୁ, ସେ କାର୍ ଚଢ଼ିଲେଣି, ଆମେ ଯୋଉ ଯୋଉ ବଡ଼ ସହର ବୁଲି ଆସିଛୁ ପଡ଼ୋଶୀ ବି ତାହା ସବୁ ଦେଖି ଆସିଲେଣି । ଆମେ ଖୁସି ନୁହଁ, ପିଲା ଆମର ୯୦% ମାର୍କ ହାସଲ କରିଛି । କିନ୍ତୁ ଦୁଃଖିତ ଯେ, ବନ୍ଧୁର ପୁଅ ୯୨% ମାର୍କ ରଖିଚି । ଏତେସବୁ କଥା ମୁଣ୍ଡରେ ଘାଣ୍ଟିଲେ ଅସନ୍ତୋଷ ନଦୀରେ ଉବୁଟୁବୁ ହେବା ପୂରାପୂରି ଥୟ । ଆଜି ପର୍ଯ୍ୟନ୍ତ ଆମେ ପରିଶ୍ରମ କରି ଯାହା ଯାହା ପ୍ରାପ୍ତ କରିଛୁ ଯଦି ଆକଳନ କରିବା । ଆଉ ସେସବୁ ଆମ ଜୀବନରେ କେତେ ମହତ୍ତ୍ୱ ରହିଛି ମାତ୍ର ଥରୁଟିଏ ଚିନ୍ତା କରିବା, ନିଶ୍ଚିତ ସେସବୁ ମୂଲ୍ୟବାନ ମନେ ହେବ । ଆମ ଭାବନା, ଚିନ୍ତାଧାରା ଯେବେ ଉତ୍ତମ ହେବ ଫଳାଫଳ ନିଶ୍ଚିତ ଉତ୍ତମ ହେବ । ସମୟ ପରିସ୍ଥିତିରେ ଅସନ୍ତୋଷ ବ୍ୟକ୍ତ ନକରି ନିଜ ଭାବନାକୁ ଓ ନିଜକୁ ବଦଳାଇବାକୁ ହେବ । ସକାରାତ୍ମକ ଚିନ୍ତନରେ ଆଗକୁ ବଢ଼ିଲେ କଠିନ ସମସ୍ୟା ବି ସରଳ ହୋଇଯାଏ ଆଉ ବାଧାବିଘ୍ନର ଆଦୌ ଆଭାସ ମିଳେନାହିଁ ।