ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୧ରେ ପୋଲାଣ୍ଡ ଗସ୍ତ କରିବେ । ସେଠାରୁ ଦୁଇ ଦିନ ପରେ ଅର୍ଥାତ ଅଗଷ୍ଟ ୨୩ରେ ଯୁଦ୍ଧଭୂମି ପାଲଟିଥିବା ୟୁକ୍ରେନ୍ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଏନେଇ ସୋମବାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏମଇଏ ସଚିବ ତନ୍ମୟ ଲାଲ କହିଛନ୍ତି ଯେ, ଦୀର୍ଘ ୪୫ ବର୍ଷ ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ପୋଲାଣ୍ଡ ଗସ୍ତ କରିବେ । ଏହା ସହ ଦୁଇ ଦେଶ ମଧ୍ୟରେ ଦୀର୍ଘ ୭୦ ବର୍ଷର କୂଟନୈତିକ ସଂପର୍କ ଦୃଢ଼ ହେବ ।
ସେପଟେ ୟୁକ୍ରେନକୁ ଦୀର୍ଘ ୩୦ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଗସ୍ତ କରିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି । ତେବେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍ସକିଙ୍କ ନିମନ୍ତ୍ରଣ ରକ୍ଷା କରି ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଏହି ଦୁଇ ଦେଶକୁ ଗସ୍ତ କରିବେ ବୋଲି ଜଣାପଡ଼ିଛି । ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୟୁକ୍ରେନ୍ ଗସ୍ତ ଉପରେ ସମଗ୍ର ବିଶ୍ବର ନଜର ରହିବ । କାରଣ ଋଷିଆ ଓ ୟୁକ୍ରେନ୍ ଯୁଦ୍ଧରେ ଭାରତ ମଧ୍ୟସ୍ଥତା କରିବାକୁ ମନା କରିବା ପରେ ମୋଦୀଙ୍କ ଆଗାମୀ ଗସ୍ତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ସେପଟେ ଋଷିଆ ଓ ୟୁକ୍ରେନ୍ ଯୁଦ୍ଧକୁ ଆଲୋଚନ ମାଧ୍ୟମରେ ବନ୍ଦ କରିବା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଜୋର ଦେଇଆସିଛନ୍ତି । ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟରେ ସ୍ପଷ୍ଟତା ନଥିବା ଅଭିଯୋଗ କରି ପାଶ୍ଚାତ୍ୟ ରାଷ୍ଟ୍ର ସମାଲୋଚନା ମଧ୍ୟ କରିଛନ୍ତି । ଏଭଳି ସ୍ଥିତିରେ ଭାରତ ନିଜର ବନ୍ଧୁ ରାଷ୍ଟ୍ର ଋଷିଆ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ସହ ତାଳମେଳ ରଖିବାକୁ ଚେଷ୍ଟା ଜାରି ରଖିଛି ।