ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୂଆ ସମ୍ଭାର ଆଣିବ ‘ସମଲେଇ ପ୍ରକଳ୍ପ’, ପର୍ଯ୍ୟଟକଙ୍କ ପାଇଁ ପାଲଟିବ ହବ୍‌

ସମ୍ବଲପୁର ୨୭/୦୧: ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼  ଜମିବ । ପର୍ଯ୍ୟଟନର ହବ୍‌  ହେବ । ଲୋକଙ୍କୁ ଆର୍ଥିକ ସମୃଦ୍ଧି ମିଳିବ । ପୂଜକଙ୍କ  ସ୍ଥିତି ବଦଳିବ । ମାଆଙ୍କ କିମ୍ବଦନ୍ତୀଠୁ ନେଇ ପୌରାଣିକ କଥାବସ୍ତୁର ପ୍ରଚାର-ପ୍ରସାର ଓ ମହିମାଗାଥା ଏବେ ବିଶ୍ୱବିଦିତ ହେବ । ସମ୍ବଲପୁରବାସୀଙ୍କ ପାଇଁ ନୂଆ ସମ୍ଭାର ଆଣିବ  ‘ସମଲେଇ ପ୍ରକଳ୍ପ’ । ଲୋକାର୍ପଣ  ପ୍ରସ୍ତୁତିର ଅନ୍ତିମ ପର୍ବ ପରେ ଏବେ ଅପାର ସମ୍ଭାବନା ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକଙ୍କ ଆକାଂକ୍ଷୀ ଯୋଜନା  ଓ ୫-ଟି ସଚିବଙ୍କ ଦୂରଦୃଷ୍ଟି  ସମ୍ବଲପୁରବାସୀଙ୍କ ସ୍ୱପ୍ନକୁ  ସାକାର କରିବାକୁ ଯାଉଛି ।

ସମ୍ବଲପୁର ସହର ପ୍ରତିଷ୍ଠା  


ସମ୍ବଲପୁର ବହୁ ପୁରୁଣା ସହର । ମହାନଦୀ କୂଳରେ ଗଢ଼ି ଉଠିଥିବା ସମ୍ବଲପୁର ପ୍ରାୟ ଦ୍ୱିତୀୟ ଶତାବ୍ଦୀରେ ଗଢ଼ି ଉଠିଥିବା ଐତିହାସିକ ପ୍ରମାଣ ମିଳେ । ହୀରା ପାଇଁ ଏହି ସହର ବେଶ ପ୍ରସିଦ୍ଧି ଲାଭ  କରିଥିଲା । ପଞ୍ଚମ ଓ ଅଷ୍ଟମ ଶତାବ୍ଦୀରେ ମଧ୍ୟ ବିଭିନ୍ନ ଶିଳା ଲେଖା  ଓ ମନ୍ଦିର ନିର୍ମାଣରୁ ଜଣାପଡେ । ହେଲେ ପରବର୍ତ୍ତୀ ସମୟରେ ଏହାକୁ ବଳରାମ ଦେବ ୧୫୫୬ ମସିହାରେ ସହରକୁ ପୁନଃ ପ୍ରତିଷ୍ଠା  କରିଥିଲେ । ସେ ସମ୍ବଲପୁରକୁ ରାଜଧାନୀ କରିବା ସହ ପାଟଣା  ଓ ବର୍ତ୍ତମାନର ଛତିଶଗଡରୁ କିଛି ଲୋକଙ୍କୁ ନେଇ ରାଜ କାର୍ଯ୍ୟ  ତୁଲାଇଥିଲେ । ଏମିତି କି, କିଛି ମୁସଲିମ୍‌ ଲୋକଙ୍କୁ ଆଣି ନିଜର  ସେନାବାହିନୀରେ ସାମିଲ କରିଥିଲେ । 

ମା’ଙ୍କ ଆବିର୍ଭାବ କିମ୍ବଦନ୍ତୀ 


ସମଲେଇ ଆର୍ବିଭାବକୁ ନେଇ ବହୁ କିମ୍ବଦନ୍ତୀ ଓ ଲୋକଶ୍ରୁତି ରହିଛି ।  ଲୋକକଥା ଅନୁସାରେ, ସେତେବେଳେ ପାଟଣା ରାଜ୍ୟ ଅଧିନରେ ସମ୍ବଲପୁର ଆସୁଥାଏ । ୨ ଭାଇଙ୍କ ମଧ୍ୟରେ ରାଜ୍ୟ ଭାଗ ପାଇଁ  ରାଜମାତା ନିର୍ଦ୍ଦେଶ ଦେଲେ । ରାଜମାତାଙ୍କ ନିର୍ଦ୍ଦେଶ ଅନୁସାରେ, ରାଜା ବଳରାମ ଦେବଙ୍କ ଭାଗରେ ହୁମା ରାଜ୍ୟ ପଡିଥିଲା । ତେଣୁ ସେ ଜୀରା ନଦୀ କୂଳରେ ନିଜ ରାଜଧାନୀ କରିଥିଲେ । ହେଲେ ଦିନେ ଶିକାର କରୁଥିବା ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ରାଜା ଦେଖିଥିଲେ ।  ତାଙ୍କ ସହ ଯାଇଥିବା ଶିକାରୀ କୁକୁର ମାନେ ଗୋଟିଏ ଠେକୁଆକୁ ଦୌଡାଇଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା, ଠେକୁଆଟି ଶିକାରୀ କୁକୁରକୁ  ଆକ୍ରମଣ କରିଥିଲା । ଯାହାକୁ ନେଇ ବଳରାମ ଦେବ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ । ସେହି ରାତିରେ ମା’ ସମଲେଇ ତାଙ୍କୁ ସ୍ୱପ୍ନରେ ଆସି  କହିଲେ, ନଦୀର ଆର ପାଶ୍ୱର୍ର ଚାଉଁରପୁର ନିକଟ ଗୁମଦରହ୍‌ ସେଲେଲ୍‌ ଗଛ ତଳେ ମୋର ଆସ୍ଥାନ ରହିଛି । ଏହି କିମ୍ବଦନ୍ତୀକୁ ବହୁ  ଐତିହାସିକ ଓ ଗେବଷକଙ୍କ ମଧ୍ୟ ମାନିଥାନ୍ତି । 

କଳାପାହାଡ଼ ଓ ସମଲେଶ୍ୱରୀ କିମ୍ବଦନ୍ତୀ 

କଳାପାହାଡ଼ ୧୫୬୮ ମସିହାରେ ଉତ୍କଳକୁ ଆକ୍ରମଣ  କରିଥିଲା । ରାଜ୍ୟର ଅନେକ ସ୍ଥାନରେ ଆକ୍ରମଣ କରି ସାରିବା  ପରେ ପୁରୀରେ ପହଞ୍ଚିଥିଲା । ସେଠାରେ ବଡ଼ ଠାକୁରଙ୍କୁ ନପାଇ ଅନ୍ୱେଷଣ କ୍ରମେ ବୌଦ୍ଧ, ସୋନପୁର ଦେଇ  ସମ୍ବଲପୁରରେ ଆସି ପହଞ୍ଚିଥିଲା । ସମ୍ବଲପୁର ମନ୍ଦଲିଆ ସ୍ଥିତ ଶଙ୍କର ବନ୍ଧ ନିକଟରେ ଶିବିର ସ୍ଥାପନ କରିଥିଲା । କିମ୍ବଦନ୍ତୀ ଅନୁସାରେ ଦେବୀ ସମଲେଶ୍ୱରୀ ଗଉଡ଼ୁଣୀ ଏବଂ  ପାଟଣେଶ୍ୱରୀ ମାଲୁଣି ବେଶରେ କଳାପାହାଡ଼ଙ୍କ ସୈନ୍ୟ  ଶିବିରରେ ପହଞ୍ଚି ଦୁଧ, ଦହି ଓ ଫଳମୂଳ ବିକ୍ରି କରିଥିଲେ । ଏହା ଖାଇବା ପରେ କଳାପାହାଡ଼ଙ୍କ ସୈନ୍ୟ ରୋଗାଗ୍ରସ୍ଥ ହୋଇ ମୃତ୍ୟୁମୁଖରେ ପଡ଼ିଥିଲେ।

ସମଲେଇଙ୍କ ସହ ସର୍ଲାକାନୀ ଓ ବୁର୍ଲାର ସମ୍ପର୍କ 


ସମ୍ବଲପୁର ସହର ଉପକଣ୍ଠରେ ରହିଛି ୨ଟି ଗାଁ । ଗୋଟିଏ ସର୍ଲାକାନୀ  ଓ ବୁର୍ଲା । ମା’ଙ୍କ ମନ୍ଦିର ନିର୍ମାଣକୁ ନେଇ ଏହି ୨ ଗାଁର ସମ୍ପର୍କ ରହିଛି । ଏହାକୁ ନେଇ ଏକ ଚର୍ଚ୍ଚିତ ଲୋକକଥା ରହିଛି । ଲୋକକଥା  ଅନୁସାରେ, ମା’ ସମଲେଶ୍ୱରୀଙ୍କ ମନ୍ଦିର ମୁଖଦ୍ୱାରକୁ ତିଆରି ବେଳେ ଯେମିତି ଯୋଡିଲେ ମଧ୍ୟ ଭାଙ୍ଗି ଯାଉଥିଲା । ନିୟମିତ ଏଭଳି ହେବା  ପରେ ରାଜା ଚିନ୍ତା ପ୍ରକଟ କରିଥିଲେ । ମନ୍ଦିର ନିର୍ମାଣ କିଭଳି ତାକୁ ନେଇ ଚିନ୍ତିତ ଥିଲେ । ଯାହାକୁ ନେଇ ରାଜାଙ୍କୁ ମା’ ସ୍ୱପ୍ନାଦେଶ  କରିଥିଲେ । ମୋର ଜଣେ ପରମ ଭକ୍ତ ଅଛି । ତାକୁ ନେଇ ଏହି ମନ୍ଦିର ନିର୍ମାଣ କାମ କର । 

ମନ୍ଦିର ସମ୍ପୂର୍ଣ୍ଣ ହେବ । ତେଣୁ ଏହି ପରମଭକ୍ତଙ୍କୁ  ଖୋଜିବା ପାଇଁ ସୌନ୍ୟବାହିନୀ ବାହାରି ପଡିଥିଲେ । ତାଙ୍କୁ ଧମା  ଅଞ୍ଚଳରେ ଠାବ କରିବା ସହ ପତିପତ୍ନୀଙ୍କୁ ଧରି ଆଣିଥିଲେ । ସେମାନେ  ମଧ୍ୟ ମନ୍ଦିର ନିର୍ମାଣ ସ୍ଥଳରେ ପହଞ୍ଚିଥିଲେ । ମନ୍ଦିରର ୨ ପାଶ୍ୱର୍ରେ  ୨ ଜଣ ଠିଆ ହେବା ପରେ ନିର୍ମାଣ କାମ କରିବାକୁ କହିଥିଲେ ।  ସେଠାରେ ତାଙ୍କୁ ଜୀବନ୍ତ ସମାଧି ଦିଆଯାଇଥିବା କୁହାଯାଏ । ହେଲେ  ସମାଧି ପୂର୍ବରୁ ମା’ଙ୍କ ପରମଭକ୍ତ ଜଣକ କହିଥିଲେ ‘ଆଜିଠୁ ସବୁ  ସରିଲା’ ଓ ତାଙ୍କ ସ୍ତ୍ରୀ କହିଲେ ‘ସବୁ ବୁଡିଲା’ । ତେଣୁ ଏହାକୁ ନେଇ  ରାଜା ୨ଟି ଗାଁ ପ୍ରତିଷ୍ଠା କରିଥିଲେ । ଯାହାକି ଆଜି ସର୍ଲାକାନୀ ଓ ବୁର୍ଲା  ନାମରେ ସ୍ଥାନ ପାଇଥିବା କୁହାଯାଉଛି ।

କାୟା ବଦଳାଇଲା ସମଲେଇ ପ୍ରକଳ୍ପ  


ସମଲେଶ୍ୱରୀ ମନ୍ଦିର ପୂର୍ବରୁ ମାତ୍ର ୪ ଏକର ଜାଗାରେ  ଥିବାବେଳେ ଏବେ ୪୦ ଏକରରେ ପହଞ୍ଚିଛି । ଏହା ଫଳରେ  ନିୟମିତ ଭାବେ ଏବେ ଭକ୍ତଙ୍କ ଆଗମନ ହେଉଛି । ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ସମଲେଶ୍ୱରୀ ମନ୍ଦିର ଆସି ମାଆଙ୍କୁ ଦର୍ଶନ  କରୁଛନ୍ତି । ଯାହାକି କେବଳ ମନ୍ଦିର ପୂଜକ ନୁହଁନ୍ତି, ଆଖପାଖ  ଅଞ୍ଚଳରେ ବ୍ୟବସାୟର ନୂଆ ରାସ୍ତା ଖୋଲିଛି । ଲୋକଙ୍କ ଆର୍ଥିକ  ସ୍ଥିତିକୁ ମଜବୁତ କରୁଛି । ପାଖରେ ବିକ୍ରି ହେଉଥିବା ଉଖୁଡା,  ନଡିଆ, ଧୁପକାଠି, ସିନ୍ଦୁର ଦୋକାନୀ ଏବେ ଲକ୍ଷ ଲକ୍ଷ ଟଙ୍କାର  ବ୍ୟବସାୟ କରୁଛନ୍ତି । ଏହାସହ ମହାନଦୀ ପଠାରେ ମଧ୍ୟ ଅନେକ  ଦୋକାନ ଖୋଲିଗଲାଣି । ଯାହାକି ସମଲେଇ ପ୍ରକଳ୍ପ ଦ୍ୱାରା ସମ୍ଭବ  ବୋଲି କୁହାଯାଉଛି।

ବଦଳିଛି  ପୂଜକଙ୍କ ଆର୍ଥିକ ସ୍ଥିତି 

ସମଲେଇ ପ୍ରକଳ୍ପ ନିର୍ମାଣ କିଛି ବର୍ଷ ପୂର୍ବରୁ ପୂଜକଙ୍କ ଆର୍ଥିକ ସ୍ଥିତିରେ ବିଟାର ପରିବର୍ତ୍ତନ ଆସିଛି । ନଚେତ ପୂର୍ବ ସମୟରେ ମା’ଙ୍କୁ ନିୟମିତ ଭୋଗ ଦେବା ସମ୍ଭବ ହେଉନଥିଲା । ତାଙ୍କର ଆର୍ଥିକ ଅନଟନ ଏଥିରେ ବହୁ  ସମସ୍ୟା ସୃଷ୍ଟି କରୁଥିଲା । ଏହାସତ୍ତେ୍ୱ ପୂଜକଙ୍କ ମା’ଙ୍କ ପ୍ରତିଥିବା ସେବା ଓ ବଳିଦାନ ଆଜି ଫଳବତୀ ହୋଇଛି ।  ୨୦୦୦ ମସିହା ପରେ ଧୀରେ ଧୀରେ ମା’ଙ୍କ ମନ୍ଦିରକୁ ଭକ୍ତଙ୍କ ଆଗମନ ହୋଇଛି । ବହୁ ସଂଖ୍ୟାରେ ଭକ୍ତ  ଆସିବାରୁ ସେମାନଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ  ହୋଇଛି । ଏବେ ସମଲେଇ ପ୍ରକଳ୍ପ ଶେଷ ହେବା ପରେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି।

ପର୍ଯ୍ୟଟକଙ୍କ ହବ୍‌ ପାଲଟିବ ସମ୍ବଲପୁର

ନଦୀ କୂଳରେ ଗଢ଼ିଉଠିଥିବା ସହର ସମ୍ବଲପୁର  ଆଗକୁ ପର୍ଯ୍ୟଟକଙ୍କ ପାଇଁ ହବ୍‌ ପାଲଟିବ । କାରଣ  ଗୋଟିଏ ଅଞ୍ଚଳରେ ମା’ଙ୍କ ମନ୍ଦିର ସହ ହୀରାକୁଦ  ଡ୍ୟାମ୍‌, ଡେବ୍ରିଗଡ ଅଭୟାରଣ୍ୟ ଏବଂ ପ୍ରାକୃତିକ  ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ଇତିହାସ ସୃଷ୍ଟି  କରିବ । ନୀଳ ଜଳରାଶିରେ ଜଳକ୍ରୀଡା ସାଙ୍ଗକୁ  ପାରାସେଲିଂ, ପାରାଗ୍ଲାଇଡିଂ, ରୋପ୍‌ ୱେ’ର ମଜା  ନେବାକୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ ।  ଏହାକୁ ନେଇ ଏବେ ରାଜ୍ୟ ସରକାର ବିସ୍ତୃତ  ଯୋଜନା ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ହୀରାକୁଦ  ଡ୍ୟାମର ବୁର୍ଲା ଜିରୋ ପଏଣ୍ଟରେ ଜଳକ୍ରୀଡା  କେନ୍ଦ୍ର କରାଯାଇଛି । ଜମାଦାରପାଲି ପଟରେ  ଇକୋରିଟ୍ରିଟ୍‌ କରାଯାଇ ପର୍ଯ୍ୟଟକଙ୍କ ପାଇଁ ନୂଆ  ସମ୍ଭାର ସୃଷ୍ଟି ହୋଇଛି।


  • prameyanews
  • PrameyaOdia
  • prameya
  • Samalei Project
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.