ଆପଣ କେବେ ଲଟେରୀ ଟିକେଟ କିଣିଛନ୍ତି? କେବେ ଲଟେରୀରେ ଆପଣଙ୍କର ଗାଡ଼ି, ଘର, ଗହଣା, ଟଙ୍କା-ପଇସା କି କିଛି ଦାମୀ ବସ୍ତୁ ଉଠିଛି କି? ପ୍ରାୟ ବହୁ ଜଣଙ୍କର ଲଟେରୀକୁ ନେଇ କିଛି ସକାରାତ୍ମକ ଅନୁଭୂତି ନଥିବ ବୋଲି ମୋର ଅନୁମାନ । କାରଣ, ସାଧାରଣତଃ ଲୋକଙ୍କର ଏହା ଧାରଣା ଯେ ଲଟେରୀ ଭାଗ୍ୟରେ ଥିଲେ ଉଠେ । ଯାହାର ଭାଗ୍ୟ ଭଲ ତାହାର ଲଟେରୀ ଉଠେ ଓ ସେ ପୁରସ୍କୃତ ହୁଏ । ହେଲେ ଏଇ ଭାଗ୍ୟ କ'ଣ? ମଣିଷର ବର୍ତ୍ତମାନ ଓ ଭବିଷ୍ୟତ କ'ଣ ତା'ର ଭାଗ୍ୟ ଉପରେ ନିର୍ଭର? ଯଦି ତାହା ସତ, ତେବେ ମଣିଷ ଜୀବନରେ କର୍ମର ଭୂମିକା କ'ଣ?
ଭାଗ୍ୟ ଉପରେ ନିର୍ଭର କରି କର୍ମ କରିବା ବନ୍ଦ କରିଦେବା କି? ଯାହା ଭାଗ୍ୟରେ ଅଛି ତାହା ଯଦି ହେବ, ତେବେ କର୍ମ କରିବା କ'ଣ ଦରକାର? ଆମ ଗୀତା, ବେଦ, ପୁରାଣ ଓ ଉପନିଷଦରେ କର୍ମର ଗୁରୁତ୍ୱ ଉଲେଖ ଅଛି, ଯାହା ଦର୍ଶାଏ ଯେ କର୍ମ ହିଁ ମଣିଷର ପରିଚୟ, କର୍ମ ହିଁ ଫଳଦାୟକ, କର୍ମ ହିଁ ମଣିଷ ଜୀବନ ଆରମ୍ଭ ଓ ଶେଷର ମଞ୍ଜି । ସତ କଥା କହିବାକୁ ଗଲେ ମଣିଷ ଯେତେବେଳେ ଦୁର୍ବଳ ପଡ଼ିଯାଏ, ଅସହ୍ୟ ହୋଇଯାଏ, ଦିଗହରା ହୋଇଯାଏ, ସେତେବେଳେ ଭାଗ୍ୟ, କର୍ମଠାରୁ ବେଶୀ ବଳବାନ ହୋଇଯାଏ । ଆଉ ବେଳେବେଳେ ମଣିଷ ନିଜ କାମ ହାଲୁକା କରିବା ପାଇଁ ଭାଗ୍ୟର ସାହାଯ୍ୟ ମଧ୍ୟ ନେଇଥାଏ । କରୁଥିବା କାମକୁ ସମସ୍ତେ ଦେଖିପାରନ୍ତି, ହେଲେ ଭାଗ୍ୟର ଲେଖନୀକୁ କେହି ଦେଖିପାରନ୍ତି ନାହିଁ । ସେଥିଲାଗି ସବୁ ଦୋଷ ଭାଗ୍ୟ ନାଁରେ ଗଡ଼େଇଦେଲେ କିଛି ଯାଏଆସେ ନାହିଁ। ଅସୁବିଧା, ଆଶଙ୍କା, ବିପଦରେ ଭାଗ୍ୟଟା ଦୁର୍ଭାଗ୍ୟ ହୋଇଯାଏ ଓ ଐଶ୍ୱର୍ଯ୍ୟ, ସୁନାମ, ସଫଳତାରେ ଭାଗ୍ୟଟା ସୌଭାଗ୍ୟ ହୋଇଯାଏ । ଭାଗ୍ୟ ଲେଖନୀ, ଭାଗ୍ୟର ଖେଳ, ଦୁର୍ଭାଗ୍ୟ ବା ସୌଭାଗ୍ୟ ପର୍ଯ୍ୟନ୍ତ ଭାଗ୍ୟକୁ ବୁଝିହେଉଛି । ହେଲେ ସେଇ ଭାଗ୍ୟ ଯଦି ଜୁଆଖେଳ ହୋଇଯାଏ ବା ଶୁର୍ତ୍ତିଖେଳ ହୋଇଯାଏ, ସେତେବେଳେ ଭାଗ୍ୟ ଫଳାଫଳ ପ୍ରଭାବର କଳନା ଜ୍ଞାନର ପରିସୀମା ବାହାରକୁ ଚାଲିଯାଏ ।
ସେହିପରି କିଛି ଶୁର୍ତ୍ତିଖେଳ ହାତକୁ ଆମେ ଆମ କୋମଳ ଶିଶୁଙ୍କ ଭବିଷ୍ୟତକୁ ଟେକିଦେଉ ନାହାଁନ୍ତି ତ? ସ୍କୁଲରେ ଦାଖଲ ଲାଗି ଲଟେରୀ ଦ୍ୱାରା ଛାତ୍ରଛାତ୍ରୀ ଚୟନ କେତେ ସ୍ୱଚ୍ଛ ବା କେତେ ଯଥାର୍ଥ ତାହାର ହିସାବ ଆମ ପାଖରେ ରହୁଛି କି? ଭାଗ୍ୟ ଲେଖନୀ ବିରୁଦ୍ଧରେ କେହି କେବେ କିଛି କରିପାରିବ ନାହିଁ ଭଳି ଧାରଣାକୁ ବିଶ୍ୱାସ କରି ଅଧିକାଂଶ ଦରିଦ୍ର ତାଙ୍କର ଦାରିଦ୍ର୍ୟତା ଲାଗି ଭଗବାନ ଓ ଭାଗ୍ୟକୁ ହିଁ ପ୍ରମୁଖ ଭାବରେ ଦାୟୀ କରନ୍ତି । ଗରିବଙ୍କର ଏହି ମନୋଭାବକୁ ଅନୁଧ୍ୟାନ କରିଲେ ଅନୁଭବ ହୁଏ ଦାରିଦ୍ର୍ୟତା ଯେପରି ଏକ ପଞ୍ଜୁରୀ, ସେଇ ପଞ୍ଜୁରୀ ଭିତରେ ଦରିଦ୍ର ଓ ପଞ୍ଜୁରୀ ବାହାରେ ହାତପାଆନ୍ତାରେ ପଡିଛି ପଞ୍ଜୁରୀର ଚାବିକାଠି ଓ କିଛି ମାଗଣା ଖାଦ୍ୟ ବା ଦାରିଦ୍ର୍ୟ ଦୂରୀକରଣ ଯୋଜନା । "ମୁଁ ଗରିବ, ଭଗବାନ ମୋ ଭାଗ୍ୟରେ ଦାରିଦ୍ର୍ୟତା ଲେଖିଛନ୍ତି', ଏହିସବୁ ଉପରେ ଗରିବଙ୍କର ଏତେ ବିଶ୍ୱାସ ଓ ଦାରିଦ୍ର୍ୟତା ହେତୁ ମାଗଣା ଜିନିଷ ପାଇବା/ଖାଇବାକୁ ଏତେ ଅଭ୍ୟାସ ଯେ, ଦରିଦ୍ର ଦାରିଦ୍ର୍ୟ ଉପରେ ନିର୍ଭରଶୀଳ । ସେଥିଲାଗି ପଞ୍ଜୁରୀ ବାହାରେ ପଡ଼ିଥିବା ଚାବିକାଠିକୁ ହାତ ଗଳାଇ ଆଣି ଦାରିଦ୍ର୍ୟତା ରୂପକ ପଞ୍ଜୁରୀକୁ ଫିଟାଇବା ପରିବର୍ତ୍ତେ, ସେ ମାଗଣା ଜିନିଷ ଗୋଟାଇ ପଞ୍ଜୁରୀ ଭିତରେ ରହି ନିଜ ଭାଗ୍ୟକୁ ଦୋଷଦେଇ କହିବ ନା କ'ଣ, ଦାରିଦ୍ର୍ୟତା ସେମାନଙ୍କୁ ଛାଡ଼ି ଯାଉନାହିଁ । ହେଲେ ପ୍ରଶ୍ନ ଏହା ଯେ, ଭାଗ୍ୟ ଉପରେ ନିର୍ଭରଶୀଳ ଦରିଦ୍ର ନିଜେ ଦାରିଦ୍ର୍ୟତାକୁ ଛାଡୁନାହିଁ, ନା ସତରେ ଦାରିଦ୍ର୍ୟତା ଦରିଦ୍ରକୁ ଛାଡ଼ିବାକୁ ଚାହୁଁନାହିଁ?
ପିଲାଙ୍କ ଭବିଷ୍ୟତ ଓ ପାଠପଢ଼ା ପରିପ୍ରେକ୍ଷୀରେ ମୋର ଏହି ଦାରିଦ୍ର୍ୟତା ବିଷୟରେ ଉଦାହରଣ ଦେବାର ତାତ୍ପର୍ଯ୍ୟ ଏହା ଯେ, ଭାଗ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଯିବାଟା ମଣିଷର ସାମର୍ଥ୍ୟ ଏବଂ କ୍ଷମତାକୁ ହ୍ରାସ କରିଦିଏ । ପିଲାଦିନରୁ ଯଦି ଆମେ ଆମ ପିଲାମାନଙ୍କୁ କର୍ମ, ଶ୍ରମ, ସମୟ ବିଷୟରେ ଜ୍ଞାନ ଓ ତାଲିମ ଦେବା ପରିବର୍ତ୍ତେ ଭାଗ୍ୟ, ଦୁର୍ଭାଗ୍ୟ ବିଷୟରେ ଜଣାଇବା, ତେବେ ସେମାନେ ଆଗକୁ ଯାଇ ନିଜ କଥା ନିଜେ ବୁଝିବାକୁ ସକ୍ଷମ ହୋଇପାରିବେ ତ? ଜୀବନରେ କେବେ ବଡ଼ ଅସୁବିଧାରେ ପଡ଼ିଲେ ସାହସର ସହିତ ତାହାର ସାମ୍ନା କରିପାରିବେ ତ? ଯଦି ତାହା ସତରେ ହେଉଥାନ୍ତା, ତେବେ ଭାରତରେ ଯୁବ ଆତ୍ମହତ୍ୟା ହାର ସର୍ବାଧିକ ହୋଇନଥାନ୍ତା । ୨୦୨୧ ମସିହା ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନ. ସି.ଆର.ବି)ର ତଥ୍ୟ ଅନୁଯାୟୀ, ୪୦%ରୁ ଅଧିକ ଆତ୍ମହତ୍ୟା ୩୦ବର୍ଷରୁ କମ୍ ଯୁବକମାନଙ୍କ ମଧ୍ୟରେ ହେଉଛି । ଏନସିଆରବି’ର ତଥ୍ୟକୁ ଭିତ୍ତି କରି "ଷ୍ଟୁଡେଣ୍ଟ ସୁଇସାଇଡ: ଆନ୍ ଏପିଡେମିକ ସ୍ୱିପିଙ୍ଗ ଇଣ୍ଡିଆ' ଶୀର୍ଷକ ଏକ ରିପୋର୍ଟ ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଦ୍ୱାରା ମୃତ୍ୟୁ ୪% ବୃଦ୍ଧିପାଇ ଭାରତର ଜନସଂଖ୍ୟା ବୃଦ୍ଧି ହାରକୁ ଟପିଯାଇଛି । ଶିକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ବର୍ଷ ୨୦୧୪-୨୧ ମଧ୍ୟରେ ଆଇଆଇଟି, ଏନଆଇଟି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଅନୁଷ୍ଠାନର ୧୨୨ଜଣ ଛାତ୍ର ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି । ଛାତ୍ରମାନଙ୍କ ଆତ୍ମହତ୍ୟା ଦ୍ୱାରା ମୃତ୍ୟୁ ୨୦୧୭ ମସିହା ପରଠାରୁ ୩୨.୧୫% ବୃଦ୍ଧିପାଇଛି, ଯେତେବେଳେ ୯,୯୦୫ ଛାତ୍ର ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି ।
ଆମ ପିଲାମାନେ ପରୀକ୍ଷାରେ ଭଲ ପରସେଣ୍ଟେଜ୍ ରଖିଲେ ଭାଗ୍ୟ ବହୁତ ଭଲ ଭାବି ବାପାମାଆ ପିଲାକୁ ମେଡିକାଲ ନହେଲେ ଆଇଆଇଟିରେ ପଢ଼ାଇବାକୁ ମନ ବଳାନ୍ତି । ସେଥିପାଇଁ ବହୁତ ଅଭିଭାବକ ନିଜ ପିଲାଙ୍କର ତାଲିମ ଓ ପ୍ରଶିକ୍ଷଣ ନିମନ୍ତେ ରାଜସ୍ଥାନରେ ଥିବା ‘କୋଟା' ଅନୁଷ୍ଠାନରେ ଛାଡ଼ିଦିଅନ୍ତି । କୋଟାରେ ପଢ଼ୁଛି ମାନେ, ପିଲାଟା ବହୁତ ଭଲ ପଢ଼ୁଥିବ ଓ ଭଲ ମାର୍କ ନିଶ୍ଚୟ ରଖୁଥିବ ବୋଲି ଜଣାଶୁଣା । ହେଲେ ଇଞ୍ଜିନିୟରିଂ ଏବଂ ମେଡିକାଲ ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ପାଇଁ ଭାରତର କୋଟା'ଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ବଢ଼ିବାରେ ଲାଗିଛି । ବର୍ଷ ୨୦୨୨ରୁ ଜାନୁଆରୀ ୨୦୨୩ ସୁଦ୍ଧା କୋଟା ଠାରେ ୨୨ଜଣ ଛାତ୍ର ଏବଂ ୨୦୧୧ ମସିହାରୁ ପ୍ରାୟ ୧୨୧ଜଣଙ୍କର ଆତ୍ମହତ୍ୟାରୁ ମୃତ୍ୟୁ ହୋଇଛି । ତେବେ ଆତ୍ମହତ୍ୟା କ'ଣ ଭାଗ୍ୟରେ ଲେଖା ଥିଲା? ପିଲାଟିର ଆତ୍ମହତ୍ୟା ବାପାମା’ଙ୍କର ଦୁର୍ଭାଗ୍ୟ ନା ଭାଗ୍ୟରେ ଦୁର୍ଭାଗ୍ୟ ଲେଖାଥିଲା? ଏଥିସହିତ ପୁନଃ ଏକ ପ୍ରଶ୍ନ ଯେ, ଯଦି ଆମେ ଆମ ପିଲାଙ୍କୁ ଭଲ ଶିକ୍ଷାନୁଷ୍ଠାନରେ ପାଠ ପଢ଼ାଉଛନ୍ତି, ଏତେ ପଇସା ସେମାନଙ୍କ ପାଠପଢ଼ାରେ ଖର୍ଚ୍ଚ କରୁଛନ୍ତି, ସେମାନଙ୍କର ଇଚ୍ଛା ଆଗରେ ନିଜର ଇଚ୍ଛାକୁ ବଳି ପକାଇ ଦେଉଛନ୍ତି, ତେବେ ଆମ ପିଲାମାନେ ଜୀବନରେ ବା ଜୀବନରୁ ହାରିଯାଉଛନ୍ତି କାହିଁକି?
ଆମେ ଯେତେବେଳେ ପିଲାଙ୍କ ପାଠ ଆରମ୍ଭ କରିବା ଆଗରୁ ସେମାନଙ୍କର ସୃଜନଶୀଳତା ଓ ଯୋଗ୍ୟତାର ନିରୀକ୍ଷଣ ବଦଳରେ ସେମାନଙ୍କର ଭାଗ୍ୟର ପରୀକ୍ଷା ନେଉଛନ୍ତି, ସେତେବେଳେ ଆମ ପିଲା ଭାଗ୍ୟ ଉପରେ ନିର୍ଭର କରି ଜୀବନରେ ଘଟୁଥିବା ସମସ୍ୟା ଲାଗି ନିଜର ଦୁର୍ଭାଗ୍ୟକୁ ଦାୟୀ କରି ପ୍ରତିକୂଳ ପରିସ୍ଥିତି ସହିତ ଲଢ଼ିବା ବନ୍ଦ କରିଦେବାଟା କ'ଣ ସ୍ୱାଭାବିକ ନୁହେଁ କି? ଛୋଟ ପିଲାଙ୍କ ମନ ହେଲା ଖାଲି ସିଲଟ ଓ ଭାବନା ହେଲା କଞ୍ଚା କାଦୁଅ । ଯାହା ଲେଖିଦେବା ଲିପିବଦ୍ଧ ଓ ଯେମିତି ଗଢ଼ିଦେବା ସେଇ ଆକାର । ହେଲେ ବହୁ ସମୟରେ ଛୋଟ ପିଲାଙ୍କର ବୟସକୁ ନେଇ ଆମେ ଗମ୍ଭୀର ହୁଅନ୍ତିନାହିଁ । ଛୋଟ ପିଲା ତ କିଛି ବୁଝିବେନି ଭାବି, ଆମକୁ ସୁହାଇଲା ଭଳି ଯାହା ଯେମିତି କାମ କରି ନେଇଗଲେ ଚଳିବ ବୋଲି ଆମେ ନିଜର ଓ ଆମ ପିଲାଙ୍କର ଭବିଷ୍ୟତ ସହିତ ଖେଳି ଦେଉଛୁ, ଯାହାର ପରିଣାମ ଆଗାମୀ ସମୟରେ ଭୟାବହ ହୋଇଯାଉଛି । ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଦାଖିଲାରେ ଆମେ ଲଟେରୀ କରି ପିଲାଙ୍କ ନାମ ଚୟନ କରୁଛନ୍ତି । ଏହି ପ୍ରକ୍ରିୟାରେ କିଏ ଦାଖିଲା ପାଉଛି, ତ କିଏ ଦୁର୍ଭାଗ୍ୟବଶତଃ ଦାଖିଲାରୁ ବାଦ୍ ପଡ଼ିଯାଉଛି । ବିଦ୍ୟାଳୟରେ ନାମ ଲେଖାଇବା ଲାଗି ଲଟେରୀ ବ୍ୟବସ୍ଥା ଏଥିପାଇଁ କରାଯାଇଛି, ଯେମିତି କୋମଳ ପିଲାଙ୍କ ଉପରେ ଚାପ ପଡ଼ିବନାହିଁ । କିନ୍ତୁ ଯେଉଁମାନଙ୍କର ଏହି ପ୍ରକ୍ରିୟାରେ ଚୟନ ହେଲାନାହିଁ, ସେମାନଙ୍କ ଉପରେ ନିଶ୍ଚୟ ଚାପ ପଡ଼ିବ ।
ଆଗାମୀ ଦିନରେ ଆମ ପିଲାମାନେ ସେଇ ଚାପ ନେଇପାରିବେ ତ! ଏହି ପଦ୍ଧତିରେ ଯେଉଁ ପିଲାମାନଙ୍କର ପାଠ ପ୍ରତି ଆଗ୍ରହ ଅଛି, ଯେଉଁମାନେ ପିଲାଦିନରୁ ହିଁ ସୃଜନଶୀଳ, ସେମାନେ ସ୍କୁଲରେ ଦାଖିଲାରୁ ବାଦ୍ ପଡ଼ିଯାଉ ନାହାଁନ୍ତି କି? ଯଦି ଯାହାର ଭାଗ୍ୟରେ ଅଛି, ତା'ର ନାଁ ଲଟେରୀରେ ଉଠିବ, ତେବେ ପିଲାଟି ଦିନରୁ ହିଁ ପିଲାମାନେ କାହିଁକି ପାଠ ପଢ଼ିବେ, କାହିଁକି ଅଧ୍ୟୟନ ବିଷୟରେ ଏତେ ଗମ୍ଭୀର ହେବେ । ଚୟନ ପ୍ରକ୍ରିୟାରେ ପିଲାଟିର ନାମ ନଉଠିଲେ ବାପାମା' ହତାଶ ହୋଇ କୁହନ୍ତି- ଆମ ଛୁଆର ଭାଗ୍ୟ ଖରାପ! ଆମ ଛୁଆକୁ ଯାହା ପଚାରିଲେ ଆସୁଛି, ଲେଖି ମଧ୍ୟ ପାରୁଛି, ହେଲେ ଦୁର୍ଭାଗ୍ୟବଶତଃ ସ୍କୁଲରେ ଦାଖିଲା ଲାଗି ତା’ ନାଁ ଲଟେରୀରେ ଉଠିଲାନାହିଁ । ଆଉ କିଛି ଅଭିଭାବକ କହିବେ- ଆମ ପିଲାଟିର ଭାଗ୍ୟ ବହୁତ ତେଜ! ପାଠ ପଚାରିଲେ କିଛି କହିବନି, ଲେଖ ବୋଲି କହିଲେ ପେନ୍ସିଲ୍ ଧରିବ ନାହିଁ, ଗୋଟିଏ ଜାଗାରେ ଶାନ୍ତ ହୋଇ ବସିବ ନାହିଁ, ହେଲେ ଲଟେରୀ ପ୍ରକ୍ରିୟାରେ ତା’ ନାଁ ଚୟନ ହେବାରୁ ସେ ଭଲ ସ୍କୁଲରେ ଦାଖିଲା ପାଇଗଲା । ଦୁଇଟିଯାକ ପରିସ୍ଥିତିରେ କିନ୍ତୁ ସମାନ କଥା । ଭାଗ୍ୟ ଯାହା ଭାଗରେ ରହିଲା ସେ ଆଉ କର୍ମ କରିବନି, କାରଣ ତା’ ଭାଗ୍ୟ ବହୁତ ତେଜ ।
ଆମେ କ'ଣ ଆମ ପିଲାମାନଙ୍କୁ ଏହା ଶିଖାଇବାକୁ ଚାହୁଁଛୁ କି? ଯଦି କଅଁଳ ବୟସରୁ ପିଲାଙ୍କର ପ୍ରବେଶିକା ପରୀକ୍ଷା କରାଗଲେ ତାହା ସେମାନଙ୍କ ଉପରେ ମାନସିକ ଚାପ ପକାଉଛି, ତେବେ କ'ଣ ସ୍କୁଲରେ ଦାଖିଲା ଲାଗି ପିଲାଙ୍କର ପ୍ରତିଭା, ସୃଜନଶୀଳତା, ଜ୍ଞାନ ଓ ବୁଦ୍ଧିକୁ ମାପିବାକୁ ଆଉ କୌଣସି ପନ୍ଥା ନାହିଁ? ତଥାକଥିତ ଭଲ ସ୍କୁଲ, ଯେଉଁମାନେ ପିଲାଙ୍କ ଉପରେ ମାନସିକ ଚାପ ନପକାଇବାକୁ ଲଟେରୀ ମାଧ୍ୟମରେ ଦାଖିଲା କରାଉଛନ୍ତି, କ'ଣ ସେଇ ଭଲ ସ୍କୁଲ ଏତିକି ପ୍ରତିଶ୍ରୁତି ଦେଇପାରୁଛନ୍ତି ଯେ, ସେଇ ସ୍କୁଲରେ ପଢ଼ିଲେ ପିଲାଙ୍କର ଆଉ ଟ୍ୟୁସନ ବା "କୋଟା' ଯିବା ଦରକାର ପଡ଼ିବନାହିଁ ବୋଲି? ଯଦି ଭଲ ସ୍କୁଲରେ ପଢ଼ିବା ପରେ ମଧ୍ୟ ପିଲାମାନେ ଟ୍ୟୁସନ ଯିବାକୁ ବା ସ୍କୁଲ ଶେଷ କରିବା ପରେ କୋଟାରେ ପ୍ରଶିକ୍ଷଣ ନେବାକୁ ବାଧ୍ୟ ହୋଇଯାଉଛନ୍ତି, ତେବେ ସେଇ ସ୍କୁଲକୁ କ'ଣ ଆମେ ଭଲ ସ୍କୁଲ ବୋଲି କହିପାରିବା କି?
ଏଇସବୁ କ'ଣ ପିଲା ଉପରେ ଚାପ ସୃଷ୍ଟି କରୁନାହିଁ କି? ଯଦି ଏହାର ଉତ୍ତର ଆମକୁ ମିଳୁନାହିଁ, ତେବେ କେଉଁ ଅଧିକାରରେ ଆମେ ଆମ ପିଲାଙ୍କ ଭବିଷ୍ୟତକୁ ନେଇ ଶୁର୍ତ୍ତିଖେଳ କରୁଛୁ? କାହିଁକି ଆମେ ଆମ ପିଲାଙ୍କର ଶିକ୍ଷାର ପ୍ରାଥମିକ ବୟସରୁ ହିଁ ଯତ୍ନବାନ ହେଉନାହାଁନ୍ତି? ପ୍ରାଥମିକ ଶିକ୍ଷା ହେଉଛି ଉଚ୍ଚଶିକ୍ଷାର ମୂଳଦୁଆ, ଯାହାକୁ ଶୁର୍ତ୍ତିଖେଳରୁ ବଞ୍ଚାଇବା ଆମ ସମସ୍ତଙ୍କ ଦାୟିତ୍ୱ । ଗୁଣାତ୍ମକ ଶିକ୍ଷାଦାନ ସବୁ ସ୍କୁଲର ଦାୟିତ୍ୱ ଓ ଗୁଣାତ୍ମକ ଶିକ୍ଷା ପାଇବା ସବୁ ପିଲାଙ୍କର ଅଧିକାର । ଅଧିକାରକୁ ଭାଗ୍ୟର ଦାସତ୍ୱ କରିଦେଲେ ଦେଶର ଭବିଷ୍ୟତ ସଂକଟରେ ପଡ଼ିଯାଇପାରେ ।