ନୂଆଦିଲ୍ଲୀ,୩୦/୦୯ : ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ପହଞ୍ଚିସାରିଛି କ୍ରୁ-ମିଶନର ଡ୍ରାଗନ ସ୍ପେଶକ୍ରାଫ୍ଟ । ଯାହା ଗତ ସେପ୍ଟେମ୍ବର ୨୮ ତାରିଖରେ ଲଞ୍ଚ ହୋଇଥିଲା। ଏଥିରେ ମହାକାଶ ଯାଇଥିବା ଦୁଇ ମହାକାଶଚାରୀ ISSରେ ପହଞ୍ଚି ସାରିବା ପରେ ତାଙ୍କୁ ସ୍ବାଗତ କରିଛନ୍ତି ମହାକାଶରେ ଫସିଥିବା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ବ୍ୟାରି ୱିଲମୋର । ଏହି ୨ ମହାକାଶଚାରୀ ଆସନ୍ତା ବର୍ଷ ୨୦୨୫ ଫେବୃଆରୀରେ ପୃଥିବୀ ଫେରିବେ ।
ସୂଚନା ମୁତାବକ, ଶନିବାର ଭାରତୀୟ ସମୟ ରାତି ପ୍ରାୟ ୧୦ଟା ୪୭ମିନିଟରେ ମହାକାଶକୁ ଯାତ୍ରା ଆରମ୍ଭ କରିଥିଲା କ୍ରୁ-୯ ମିଶନର ସ୍ପେଶକ୍ରାଫ୍ଟ । ଏହି ମିଶନର ଲକ୍ଷ୍ୟ ହେଉଛି ଗତ ଜୁନରୁ ମହାକାଶରେ ଫସିଥିବା ମହାକାଶଚାରୀଙ୍କୁ ପୃଥିବୀ ଫେରାଇ ଆଣିବା । ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ୱିଲମୋର ବୋଇଙ୍ଗର ଷ୍ଟାରଲାଇନର ସ୍ପେଶକ୍ରାଫ୍ଟରେ ୮ଦିନ ପାଇଁ ମହାକାଶକୁ ଯାତ୍ରା କରିଥିଲେ । ମାତ୍ର ଉକ୍ତ ସ୍ପେଶକ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେ ଗତ ୩ମାସ ଧରି ମହାକାଶରେ ଫସିଛନ୍ତି । ସେମାନଙ୍କୁ ଆଣିବାକୁ ଯାଇଥିବା ସ୍ପେଶଏକ୍ସ କ୍ୟାପସୁଲ ରବିବାର ମହାକାଶରେ ସ୍ଥାପିତ ହୋଇଥିବା ISSରେ ପହଞ୍ଚିଛି । ପ୍ରାୟ ୨୬୫ ମାଇଲ ଅର୍ଥାତ ୪୨୬କିମି ଯାତ୍ରା କରି ମହାକାଶରେ ପହଞ୍ଚିଛନ୍ତି ଏହି କ୍ୟାପସୁଲରେ ଯାଇଥିବା ୨ ମହାକାଶଚାରୀ ନିକ୍ ହଗ୍ ଓ ଋଷୀୟ ସ୍ପେଶ ଏଜେନ୍ସିର ଆଲେକଜାଣ୍ଡର ।
ଏମାନେ ମଧ୍ୟ ଆସନ୍ତା ବର୍ଷ ଫେବୃଆରୀ ପର୍ଯ୍ୟନ୍ତ ସ୍ପେଶ ଷ୍ଟେସନରେ ରହିବେ । ସେମାନେ ଯେତେବେଳେ ମହାକାଶରେ ପହଞ୍ଚିଥିଲେ ସେତେବେଳେ ସୁନୀତାଙ୍କ ସମେତ ଅନ୍ୟ ମହାକାଶଚାରୀମାନେ ତାଙ୍କୁ ସ୍ବାଗତ କରିଥିଲେ । ପ୍ରକାଶ ଥାଉକି, ସ୍ପେଶ ଷ୍ଟେସନରେ ସବୁବେଳେ ମହାକାଶଚାରୀମାନେ ରହିଥାନ୍ତି । ସେମାନେ ଏଠାରେ ରହି ବିଭିନ୍ନ ପ୍ରକାର ଗବେଷଣା କରିଥାନ୍ତି । ସେମାନେ ସ୍ବତନ୍ତ୍ର ସ୍ପେଶକ୍ରାଫ୍ଟ ଯୋଗେ ମହାକାଶକୁ ଯିବା ଆସିବା କରିଥାନ୍ତି । ଯେମିତି ସୁନୀତା ୱିଲିୟମ୍ସ ବୋଇଙ୍ଗ ପ୍ରଥମ କ୍ରୁ ସ୍ପେଶକ୍ରାଫ୍ଟ 'ଷ୍ଟାରଲାଇନର'ରେ ମହାକାଶକୁ ଯାଇଥିଲେ । ନାସା ପ୍ରତି ୬ମାସରେ ମହାକାଶରେ ସ୍ଥାପିତ ସ୍ପେଶ ଷ୍ଟେସନରେ ମହାକାଶଚାରୀଙ୍କୁ ଅଦଳ ବଦଳ କରିଥାଏ । ଆଉ ଏଥିଲାଗି ଏଲନ ମସ୍କଙ୍କ ରକେଟ ନିର୍ମାତା କମ୍ପାନୀ ସ୍ପେଶ ଏକ୍ସ ମହାକାଶକୁ ଟାକ୍ସି ସର୍ଭିସ ଯୋଗାଇଥାଏ ।