ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଟକ ମଇଦାନରେ ଓହ୍ଲାଇବେ ନୂଆ ଜେନେରେସନ, ବାପାଙ୍କ ଫିଲ୍ଡରେ ପୁଅ ନେତା

କଟକ, ୦୪/୦୪ : ରାଜନୀତିରେ ବାପ ପରେ ପୁଅ ନେତା । କଟକ ଜିଲ୍ଲାରେ ଏ ଟ୍ରେଣ୍ଡ୍‌ ବହୁତ ପୁରୁଣା, ଯାହା କ୍ରମାଗତ ଚାଲି ଆସିଛି । ବାପାଙ୍କ ପରେ ପୁଅ ବିଧାୟକ ହେବା ତାଲିକାରେ ଚନ୍ଦ୍ରସାରଥି ବେହେରା, ପ୍ରଶାନ୍ତ ବେହେରା, ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ ପ୍ରମୁଖ ବିଧାୟକ ହୋଇସାଇଥିବା ବେଳେ ଚଳିତ ନିର୍ବାଚନରେ ଆଉ ଏକ ଚେହେରା ସାମ୍ନାକୁ ଆସିଛି । ମାହାଙ୍ଗାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ବିଜେଡି ଏଥର ବିଧାୟକ ପ୍ରାର୍ଥୀ କରିଛି । ଅନ୍ୟପକ୍ଷରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁଅ ଆଦିତ୍ୟ ପ୍ରତାପ ସ୍ୱାଇଁ ଓ ଦେବୀପ୍ରସାଦ ମିଶ୍ରଙ୍କ ପୁଅ ସବ୍ୟସାଚୀ ମିଶ୍ର ମଧ୍ୟ ଆଗକୁ ମଇଦାନକୁ ଓହ୍ଲାଇବେ । 

ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ବସାଇ ତାଙ୍କ ପୁଅ ଅଙ୍କିତ ପ୍ରତାପଙ୍କୁ ଦଳୀୟ ପ୍ରାର୍ଥୀ କରିଛି ବିଜେଡି । ରାଜନୈତିକ ଅଭିଜ୍ଞତା ତଥା ସାଙ୍ଗଠନିକ କ୍ଷମତା ନଥିବା ସତ୍ତ୍ଵେ ମଧ୍ୟ ଅଙ୍କିତଙ୍କୁ ଦଳ ପ୍ରାର୍ଥୀ କରିବା ପରୋକ୍ଷରେ ପ୍ରତାପ ଜେନାଙ୍କୁ ଦୁର୍ଗ ରକ୍ଷା କରିବାକୁ ସୁଯୋଗ ମିଳିଛି । ଡବଲ୍‌ ମର୍ଡର ଘଟଣାରେ ଫସିଥିବା ପ୍ରତାପଙ୍କ ବିକଳ୍ପ ପ୍ରାର୍ଥୀ ସୃଷ୍ଟି କରିବାକୁ ଦଳ ପାଖରେ ସୁଯୋଗ ରହିଥିଲା । ପୂର୍ବତନ ବାଚସ୍ପତି ଶରତ କରଙ୍କ ପୁଅ ଶୋଭନ କର ବିଜେଡିରେ ମିଶିବା ନେଇ ଅନେକ ଦିନରୁ ଶୁଣାଯାଉଥିଲେ ମଧ୍ୟ ଏବେ ଯାଏ ସେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇନାହାନ୍ତି । ଏଭଳି ସ୍ଥିତିରେ ପ୍ରତାପଙ୍କୁ ନେଇ ବିବାଦ ଥାଇ ସତ୍ତେ୍ୱ ଦଳ ମାହାଙ୍ଗାରେ ବିଜେଡି ସଙ୍ଗଠନକୁ ଦେଖି ପ୍ରତାପଙ୍କ ପୁଅ ଅଙ୍କିତଙ୍କୁ ଟିକଟ ଦେଇଛି । ଫଳରେ ବାପାଙ୍କ ପରେ ପୁଅ ବିଧାୟକ ଭାବେ ନିର୍ବାଚନ ଲଢ଼ିବାର ପରମ୍ପରା କଟକରେ ବଜାୟ ରହିଛି । ଜିଲ୍ଲା ବିଜେଡିରେ ଏ ଧାରା ବେଶ୍‌ ପୁରୁଣା । ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କାଳିନ୍ଦୀ ବେହେରାଙ୍କ ସଙ୍ଗଠନରେ ପୁଅ ଚନ୍ଦ୍ରସାରଥିଙ୍କୁ ଲିଫ୍ଟ ମିଳିଥିଲା । ବାପା କାଳିନ୍ଦୀଙ୍କ ଅସନ ସାଲେପୁରରୁ ନିର୍ବାଚନ ଲଢ଼ି ୨୦୦୯ ମସିହାରେ ପ୍ରଥମଥର ବିଧାୟକ ହୋଇଥିଲେ ଚନ୍ଦ୍ରସାରଥି । ବାପା-ପୁଅ ଦୁଇ ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ । କାଳିନ୍ଦୀ ବେହେରାଙ୍କ ଅନ୍ତେ ୨୦୧୪ରେ ଚନ୍ଦ୍ରସାରଥି କଟକ ସଦର ଆସନକୁ ବାଛିଥିଲେ । ଏଠାରୁ ସେ କ୍ରମାଗତ ଦୁଇଥର ଟିକଟ ପାଇ ବିଜୟୀ ହେବା ସହ ତୃତୀୟଥର ପାଇଁ ଚଳିତବର୍ଷ ବିଜେଡିର ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ଯେତେବେଳେ ଚନ୍ଦ୍ରସାରଥି ସାଲେପୁର ଆସନ ଛାଡ଼ିଲେ ସେତେବେଳକୁ ଟାଙ୍ଗୀଚୌଦ୍ୱାର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରାଙ୍କ ପୁଅ ପ୍ରଶାନ୍ତ ବେହେରାଙ୍କୁ ବିଜେଡି ଏଠାରୁ ପ୍ରାର୍ଥୀ କରିଥିଲା । ୨୦୧୪ରେ ପ୍ରଥମଥର ଲାଗି ପ୍ରଶାନ୍ତ ବିଧାନସଭା କ୍ଷେତ୍ର ନିର୍ବାଚନକୁ ଓହ୍ଲାଇ ଫେଲ୍‌ ମାରିଥିଲେ । ତତ୍‌କାଳୀନ କଂଗ୍ରେସ ପ୍ରାର୍ଥୀ ପ୍ରକାଶ ବେହେରାଙ୍କଠାରୁ ପରାସ୍ତ ହୋଇଥିଲେ । କିନ୍ତୁ ୨୦୧୯ରେ ସାଙ୍ଗଠନିକ କ୍ଷମତା ବଳରେ ସାଲେପୁର ବିଧାୟକ ଭାବେ ବିଧାନସଭାରେ ବସିବାକୁ ସୁଯୋଗ ପାଇଲେ ।  

ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଚିଟ୍‌ଫଣ୍ଡ କେଳେଙ୍କାରୀର ସାମ୍ନା କରି ଟିକଟ ରେସ୍‌ରୁ ପଛରେ ପଡ଼ିଥିଲେ । କିନ୍ତୁ ସେତେବେଳକୁ ପୁଅ ଦେବୀରଞ୍ଜନ ତ୍ରିପାଠୀ ମଇଦାନକୁ ଓହ୍ଲାଇ ପଡ଼ିଥିଲେ । ଛାତ୍ର ରାଜନୀତିରେ ସକ୍ରିୟ ଥିବା ଦେବୀଙ୍କୁ ବାପାଙ୍କ ଆସନ ଦଖଲ କରିବା ଏତେ କଷ୍ଟସାଧ୍ୟ ହୋଇନଥିଲା । ବାଙ୍କୀରେ ବାପା ପ୍ରଭାତଙ୍କ ଦଳୀୟ ସଙ୍ଗଠନକୁ ମାଧ୍ୟମ କରି ଦେବୀ ସହଜରେ ଜିତିଥିଲେ । ଚଳିତ ବର୍ଷ ପୁନର୍ବାର ଦ୍ୱିତୀୟଥର ଲାଗି ଦେବୀଙ୍କୁ ବିଜେଡି ବାଙ୍କୀରୁ ପ୍ରାର୍ଥୀ କରିଛି । ସମାନ ଚିତ୍ର ଚୌଦ୍ୱାରରେ ମଧ୍ୟ ଦେଖିବାକୁ ମିଳିଥିଲା । ଚିଟ୍‌ଫଣ୍ଡ୍‌ ଲିଙ୍କ୍‌ ଯୋଗୁଁ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ବାଦ୍‌ ଦିଆଯାଇ ଛାତ୍ର ରାଜନୀତିରେ ସକ୍ରିୟ ଥିବା ସୌଭିକ ବିଶ୍ୱାଳଙ୍କୁ ଦଳ ପ୍ରାର୍ଥୀ କରିଥିଲା । ବାପାଙ୍କ ସଙ୍ଗଠନ ଶକ୍ତି ତାଙ୍କୁ ମଧ୍ୟ ସହାୟକ ହୋଇଥିଲା । ୨୦୧୯ରେ ବିଧାୟକ ଭାବେ ୫ ବର୍ଷ କାର୍ଯ୍ୟକାଳରେ ରହି ଏବେ ଆସନ୍ତା ନିର୍ବାଚନ ଲାଗି ସୌଭିକ ପ୍ରାର୍ଥୀ ହୋଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.