ଫିରିଙ୍ଗିଆ,୧୯।୯ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଚାଲିଥିବା ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ ସ୍ପାର୍କ-୩ କାର୍ଯ୍ୟକ୍ରମରେ ଅଘଟଣ ଘଟିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମଞ୍ଚ ଭାଙ୍ଗିଯିବାରୁ ୪ ଜଣ ଛାତ୍ରୀ ଆହତ ହୋଇଛନ୍ତି।
ଗୁରୁବାର ସକାଳୁ ଡିଣ୍ଡିରାଗାଁ ଆଦର୍ଶ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା I ବିଦ୍ୟାଳୟର ଅଧ୍ୟକ୍ଷ ଉତ୍ତମ କହଁରଙ୍କ ଅଧକ୍ଷତାରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଡିଗାଲ, ଫିରିଙ୍ଗିଆ ଉନ୍ନୀତ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୁମାରୀ ପୁନମ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅଶୋକ କୁମାର ପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ସହ ଅନ୍ୟମାନେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ସଭାକାର୍ଯ୍ୟ ସରିବା ପରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା I ଦୁଇରୁ ତିନୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିସାରିବା ପରେ ଖଜୁରୀପଡ଼ା ବ୍ଲକ ଦୁତିମେଣ୍ଡି ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ମାନେ ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ। ଏହି ସମୟରେ ହଠାତ ମଞ୍ଚଟି ଭାଙ୍ଗି ଯାଇ ମଞ୍ଚରେ ନୃତ୍ୟ କରୁଥିବା ଛାତ୍ରୀ ମାନଙ୍କ ଉପରେ ପଡିଯାଇଥିଲା I ଫଳରେ ନୃତ୍ୟ କରୁଥିବା ଚାରିଜଣ ଛାତ୍ରୀ ଓ ଜଣେ ଛାତ୍ର ଆହତ ହୋଇଥିଲେ।ବିଦ୍ୟାଳୟ କର୍ତ୍ତୃପକ୍ଷ ଆହତ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ପ୍ରଥମେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣି ପ୍ରାଥମିକ ଚିକିତ୍ସା କରାଇଥିଲେ। ଅନ୍ୟପଟେ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କ ଅବହେଳା ପାଇଁ ଏଭଳି ଏକ ଘଟଣା ଅଭିଭାବକ ମାନେ ମତ ଦେଇଛନ୍ତି I ବିଦ୍ୟାଳୟ ରେ ଘଟିଥିବା ଏଭଳି ଅଘଟଣର ତଦନ୍ତ ଶିକ୍ଷାବିଭାଗ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଅଭିଭାବକମାନେ ଦାବି କରିଛନ୍ତି I