ଦୁବାଇ,୧୯/୦୮: ଆଗାମୀ ୧୯ବର୍ଷରୁ କମ୍ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ର ଦ୍ୱିତୀୟ ସଂସ୍କରଣ ପାଇଁ ଆଜି କ୍ରୀଡ଼ାସୂଚୀ ଓ ଭେନ୍ୟୁ ଘୋଷଣା କରାଯାଇଛି । ମାଲେସିଆରେ ଆଗାମୀ ୨୦୨୫ ଜାନୁଆରୀ ୧୮ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଫେବ୍ରୁଆରୀ ୨ତାରିଖ ଶେଷ ହେବ । ୧୬ଟି ଦଳକୁ ନେଇ ମୋଟ ୪୧ଟି ମ୍ୟାଚ୍ ଖେଳାଯିବ । ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଗ୍ରୁପ୍-ଏ’ରେ ମାଲେସିଆ, ୱେଷ୍ଟଇଣ୍ଡିଜ୍ ଓ ଶ୍ରୀଲଙ୍କା ଦଳ ସହ ସ୍ଥାନ ପାଇଛି । ଜାନୁଆରୀ ୧୯ ତାରିଖରେ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ।
ଯୁବା ବିଶ୍ୱକପ୍ର ଦ୍ୱିତୀୟ ସଂସ୍କରଣରେ ମୋଟ ୧୬ଟି ଦଳ ୪ଟି ଗ୍ରୁପ୍ରେ ଭାଗ ନେବେ । ପ୍ରତି ଗ୍ରୁପ୍ର ଶ୍ରେଷ୍ଠ ପ୍ରଦର୍ଶନକାରୀ ୩ଟି ଲେଖାଏଁ ଦଳ ସୁପର-୬ ପର୍ଯ୍ୟାୟକୁ ଉନ୍ନୀତ ହେବେ । ଏହାପରେ ୨ଟି ଗ୍ରୁପ୍ (୧, ୨)ରେ ୧୨ଟି ଦଳ ପ୍ରତିଦ୍ୱନ୍ଦ୍ୱିତା କରିବେ । ଗ୍ରୁପ୍-ଏ’ରୁ ଯୋଗ୍ୟତା ହାସଲ କରିଥିବା ଦଳ ଗ୍ରୁପ୍-ଡି’ର ୨ଟି ଦଳକୁ ଏବଂ ଗ୍ରୁପ୍-ବି’ ଦଳ ଗ୍ରୁପ୍-ସି’ର ୨ଟି ଦଳକୁ ଭେଟିବେ । ଉଭୟ ଗ୍ରୁପ୍ରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ୨ଟି ଲେଖାଏଁ ଦଳ ସେମି ଫାଇନାଲ୍କୁ ଉନ୍ନୀତ ହେବେ ।
ଆଗାମୀ ଜାନୁଆରୀ ୩୧ତାରିଖରେ ସେମି ଫାଇନାଲ୍ ଏବଂ ଫେବ୍ରୁଆରୀ ୨ତାରିଖ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ସେମି ଫାଇନାଲ୍ ଏବଂ ଫାଇନାଲ୍ ପାଇଁ ଅତିରିକ୍ତ ଦିବସ ରଖାଯାଇଛି । ପ୍ରଥମ ସଂସ୍କରଣରେ ଭାରତ ୭ ୱିକେଟ୍ରେ ଇଂଲଣ୍ଡକୁ ହରାଇ ଚାମ୍ପିଅନ୍ ହୋଇଥିଲା । ଏଥର ମଧ୍ୟ ଦଳ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ରହିବ । ଭାରତ ଜାନୁଆରୀ ୧୯ତାରିଖରେ ୱେଷ୍ଟଇଣ୍ଡିଜ୍କୁ ଭେଟିବାକୁ ଥିବାବେଳେ ୨୧ତାରିଖ ମାଲେସିଆ ଏବଂ ୨୩ତାରିଖ ଶ୍ରୀଲଙ୍କାକୁ ଭେଟିବ । ଏଥର ସାମୁଆ ପ୍ରଥମ ଥର ବିଶ୍ୱକପ୍ ଖେଳିବାକୁ ଯାଉଛି । ସେହିପରି ଆୟୋଜକ ଭାବେ ମାଲେସିଆ ମଧ୍ୟ ପଦାର୍ପଣ କରିବ ।