ନୀଳଗିରି,୩/୯(ଆ.ପ୍ର): ଜଣେ ସଫଳ କ୍ରିକେଟ ଖେଳାଳି ହେବା ପାଇଁ ସ୍ୱପ୍ନ ଦେଖିଥିଲେ।ତାହା ଆଜି ପୂରଣ ହୋଇଛି। ସେ ହେଉଛନ୍ତି ବଣପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୀଳଗିରି ବ୍ଲକ ସିଆଡିମାଳ ଗାଁର ଶୁଭଲକ୍ଷ୍ମୀ।
ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ସିଆଡିମାଳ ଗାଁର ଶୁଭଲକ୍ଷ୍ମୀ ପିଲାଟି ଦିନରୁ ଭଲ ପାଠ ପଢିବା ସହ ଖେଳ ପ୍ରତି ଦୁର୍ବଳତା ଥିଲା।ବାପା ବାବୁଲା ସିଂ ପ୍ରାଥମିକ ଶିକ୍ଷକ ହୋଇଥିବା ବେଳେ ମାଆ ବାସନ୍ତୀ ଜଣେ ଗୃହିଣୀ । ପିଲାଟି ଦିନରୁ କ୍ରିକେଟ ପ୍ରତି ଶୁଭଲକ୍ଷ୍ମୀର ଦୁର୍ବଳତାକୁ ଅନୁଭବ କରି ବାପା ଗାଁରେ ଥିବା ଛୋଟିଆ ପଡ଼ିଆରେ ଦୈନନ୍ଦିନ ଝିଅକୁ କ୍ରିକେଟ ଖେଳରେ ସହଯୋଗ କରିଥିଲେ। ସେଭଳି ଉନ୍ନତ ମାନର ପ୍ରଶିକ୍ଷଣ ନପାଇ ମଧ୍ୟ ଖେଳପ୍ରତି ତାଙ୍କର ନିଷ୍ଠା ଓ ପରିଶ୍ରମ ପାଇଁ ସେ ଆଜି ଜିଲ୍ଲାରୁ ପ୍ରତିନିଧିତ୍ଵ କରି ରାଜ୍ୟ ତଥା ରାଜ୍ୟ ବାହାରେ ତାଙ୍କର ଶ୍ରେଷ୍ଠତା ପ୍ରଦର୍ଶନ କରି ଲୋକଲୋଚନକୁ ଆସିପାରିଛନ୍ତି। ନୀଳଗିରି ଇଂଲିଶ ମିଡିୟମ୍ ସ୍କୁଲରେ ଅଧ୍ୟୟନ କରୁଥିବା ୧୫ବର୍ଷର କୁନିଝିଅ ଶୁଭଲକ୍ଷ୍ମୀ ବାଲେଶ୍ୱର ଜିଲ୍ଲା ତରଫରୁ ୧୯ବର୍ଷରୁ କମ୍ ମହିଳା ଟି -୨୦ଦଳରେ ସାମିଲ ହୋଇଥିଲେ।
ପରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ ଦ୍ଵାରା କଟକଠାରେ ଆୟୋଜିତ ମ୍ୟାଚରେ ସାମିଲ ହୋଇ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିଥିଲେ। ଉଭୟ ବ୍ୟାଟିଂ ଏବଂ କିପିଂରେ ଗ୍ରୁପ (ବି) ମ୍ୟାଚ୍ ରେ ଭାଗନେଇ ପ୍ରଥମ ୩ଟି ମ୍ୟାଚରେ ଉନ୍ନତ ମାନର ଖେଳ ଖେଳିଥିଲେ। ଗୋଟିଏ ମ୍ୟାଚରେ ୪୩ବଲରୁ ୩୨ରନ ସଂଗ୍ରହ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଗାମୀ ମ୍ୟାଚପାଇଁ ତାଙ୍କ ସହିତ ବାଲେଶ୍ୱରରୁ ଆଉ ଦୁଇଜଣ ଖେଳାଳୀଙ୍କୁ ଚୟନ କରାଯାଇଥିବା ବେଳେ ସେପ୍ଟେମ୍ବର ୫ତାରିଖରେ ଯୋଗଦେବାକୁ ଓସିଏ ଡାକରା ଆସିଛି।ଉତ୍ତମ ଖେଳ ପ୍ରଦର୍ଶନ ପରେ ଫାଇନାଲ ଦଳରେ ଓସିଏ ଚୟନ କରିବ। ଏଥିପାଇଁ ଶୁଭଲକ୍ଷ୍ମୀ ଉତ୍ସାହିତ ଥିବା ବେଳେ ବାପା ବାବୁଲା ସିଂ ଓସିଏକୁ ଧନ୍ୟବାଦ ଦେଇଛନ୍ତି। ଝିଅର ଏଭଳି ସଫଳତା ପାଇଁ ପରିବାର ସମେତ ସମଗ୍ର ନୀଳଗିରିରେ ଖୁସିର ଲହରୀ ଖେଳିଯାଇଛି।