ଭୁବନେଶ୍ୱର, ୧୪/୦୯: ଉତ୍ତର ଓଡ଼ିଶାରେ ଶନିବାର ପ୍ରବଳ ବର୍ଷା ହୋଇପାରେ । ମୟୂରଭଞ୍ଜ ଜିଲ୍ଲାରେ ଅତି ଭୀଷଣ ବର୍ଷା ଆଶଙ୍କା ଅଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୦ରୁ ୨୦୦ମିମି ଯାଏ ବର୍ଷା ହୋଇପାରେ । ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି । ପାଣିପାଗ ବିଭାଗର ପୂର୍ବାନୁମାନକୁ ଦେଖି ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ିକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।
ଉତ୍ତର ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବାଂଲାଦେଶ ଉପକୂଳରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କେନ୍ଦ୍ରୀଭୂତ ହୋଇଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଶନିବାର ସୁଦ୍ଧା ଏହା ପଶ୍ଚିମବଙ୍ଗ ଉପକୂଳ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ । ଏହା ପ୍ରଭାବରେ ଉତ୍ତର ଓଡ଼ିଶା ସହିତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।
କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକରେ ବିଭିନ୍ନ ସ୍ଥାନରେ ୭୦ରୁ ୨୦୦ମିମି ବର୍ଷା ହୋଇପାରେ । କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଯାଜପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ାରେ ମଧ୍ୟ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ୧୫ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।