ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଚଣ୍ଡ ତାତି ସାଙ୍ଗକୁ ଆର୍ଦ୍ରତା ଘାତକ: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ

ଭୁବନେଶ୍ୱର,୧୯/୦୪: ସାରା ଓଡ଼ିଶା ଗ୍ରୀଷ୍ମ ଲହରୀରେ ୪ ଦିନ ହେଲାଣି ଜଳୁଛି । ଆହୁରି ୩ ଦିନ ଜାଳିବ । ଏବେ ସପ୍ତାହେ ଲମ୍ବିବ ଗ୍ରୀଷ୍ମ ଲହରୀ ।  କେବଳ ଦିନ ନୁହେଁ, ରାତିରେ ବି ନିସ୍ତାର ମିଳୁନି । 

ଗୁରୁବାର ଦେହ ପୋଡ଼ି ଯାଉଥିଲା ସକାଳ ସାଢ଼େ ୮ଟାରେ । ତାପମାତ୍ରା ଥିଲା ୩୩.୪ ଡିଗ୍ରୀ ସେଲସିୟସ୍‌ । କିନ୍ତୁ ଲାଗୁଥିଲା ଯେମିତି ୪୦ ଟପିଯାଇଛି ।ସାଢ଼େ ୧୧ଟା ବେଳକୁ ଆହୁରି ସାଂଘାତିକ, ହୋସ୍‌ ଉଡ଼ିଗଲା ଭଳି । ମନେ ହେଉଥିଲା ଯେମିତି ୪୦.୬ ଡିଗ୍ରୀ ନୁହେଁ, ୫୦ କି ୫୫ ଡିଗ୍ରୀ ତତଲା ବାମ୍ଫ ମାଡ଼ ହେଉଛି । ରାଜଧାନୀ ଭୁବନେଶ୍ୱର ଏମିତି ଭାଜି ହୋଇ ଯାଇଛି ଗୁରୁବାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ।

କେବଳ ନିଆଁ ବର୍ଷା ନୁହେଁ, ବାୟୁ ମଣ୍ଡଳରେ ଅସ୍ୱାଭାବିକ ଉଚ୍ଚ ଆର୍ଦ୍ରତା ବାତାବରଣକୁ ଅତି ବିପଜ୍ଜନକ ସ୍ତରକୁ ଠେଲି ଦେଇଛି । ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା ତାପମାତ୍ରା ଅନୁଭୂତିକୁ ୪୦ ଡିଗ୍ରୀ ଭଳି କରିଦେଇଥିଲା । ସାଢ଼େ ୧୧ଟା ବେଳେ ୫୦% ଆର୍ଦ୍ରତା ତାତି ମାତ୍ରାକୁ ଆହୁରି ଭୟଙ୍କର କରିଥିଲା । 

କେବଳ ଭୁବନେଶ୍ୱର ନୁହେଁ, ସାରା ରାଜ୍ୟରେ ଗୁରୁବାର ଅନୁରୂପ ଘାତକ ସ୍ଥିତି ଉପୁଜାଇଛି । ୧୭ ସହରରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ଉପରେ ଥିଲା । ୪୦ ଡିଗ୍ରୀ ଡେଇଁଥିଲା ୩୨ ସହର । ଏସବୁ ସ୍ଥାନରେ ଆର୍ଦ୍ରତା ବି ବିପଜ୍ଜନକ ସ୍ତରରେ ଥିଲା, ଯାହା ପ୍ରକୃତ ତାତି ଅନୁଭୂତିକୁ ବହୁଗୁଣିତ କରିଛି । ଏଭଳି ସ୍ଥିତିରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ତାଜା ଗବେଷଣା ରିପୋର୍ଟ ଆହୁରି ସାଂଘାତିକ ତଥ୍ୟ ସାମ୍ନାକୁ ଆଣିଛି । ଲମ୍ବା ଗ୍ରୀଷ୍ମ ପ୍ରବାହକୁ ଭୀଷଣ ଗୁଳୁଗୁଳି 

ଡାକି ଆଣୁଛି ଘାତକ (କିଲର୍‌) ହିଟ୍‌ ଷ୍ଟ୍ରେସ୍‌ । ଆଇଏମଡି ବୈଜ୍ଞାନିକ ଡ. ରାଜୀବ ଚଟ୍ଟୋପାଧ୍ୟାୟ କହିଛନ୍ତି, ଗତ ୪ ଦଶନ୍ଧି (୧୯୮୦-୨୦୨୦) ଭିତରେ ଭାରତରେ ହିଟ୍‌ ଷ୍ଟ୍ରେସ୍‌ ୩୦% ବଢ଼ିଛି । ଅତି ଉଚ୍ଚ ତାପମାତ୍ରା ଓ ଅତ୍ୟଧିକ ଆର୍ଦ୍ରତା ଶରୀର ଉପରେ ଗଭୀର ପ୍ରଭାବ ପକାଇଥାଏ । ଆଇଏମ୍‌ଡି ଗବେଷକ ଏସ୍‌.ଲକ୍ଷ୍ମୀଙ୍କ ମତରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଦକ୍ଷିଣ ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁରେ ଅତ୍ୟଧିକ ତାପମାତ୍ରା ସହ ଆର୍ଦ୍ରତା ପରିମାଣ ପ୍ରାୟତଃ ୬୦%ରୁ ଅଧିକ ଥାଏ ।  ଏହା ପ୍ରଭାବରେ ତାପମାତ୍ରା ଯେତିକି ଥାଏ, ତା’ଠାରୁ ଢେର ଅଧିକ ଅନୁଭୂତ ହୋଇଥାଏ ।  ଏଭଳି ସ୍ଥିତି ଅତି ବିପଦଜନକ ।

ଓଡ଼ିଶା ଭଳି ରାଜ୍ୟରେ ତାତି ସାଙ୍ଗକୁ ଅତ୍ୟଧିକ ଗୁଳୁଗୁଳି ଯୋଗୁ ହିଟ୍‌ ଷ୍ଟ୍ରେସ୍‌ ଚିନ୍ତାର କାରଣ ହୋଇଛି । ବିଶେଷଜ୍ଞଙ୍କ ମତରେ ଏହି ହିଟ୍‌ ଷ୍ଟ୍ରେସ୍‌ ଏକ ନୀରବ କିଲର୍‌ । ଠକ୍‌ଠାକ୍‌ ଚାଲିଯାଇପାରେ ଜୀବନ । ହଠାତ୍‌ ବଢ଼ିଯିବ ରକ୍ତଚାପ । ହୋଇପାରେ ବ୍ରେନ୍‌ ଷ୍ଟ୍ରୋକ୍‌ । ହୃଦଘାତ୍‌ ମଧ୍ୟ ହୋଇପାରେ । ଅକାଳ ମୃତ୍ୟୁକୁ ଏହା ଡାକି ଆଣିପାରେ । ଗତବର୍ଷ ଏପ୍ରିଲ ୧୬ରେ ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧୬ ଜୀବନ ନେଇଗଲା ହିଟ୍‌ ଷ୍ଟ୍ରେସ୍‌ ।  

ସାରା ଓଡ଼ିଶା ଗ୍ରୀଷ୍ମ ଲହରୀରେ ୪ ଦିନ ହେଲାଣି ଏମିତି ଜଳୁଛି । ଆହୁରି ୩ ଦିନ ଜାଳିବ । ଏବେ ସପ୍ତାହେ ଲମ୍ବିବ ଗ୍ରୀଷ୍ମ ଲହରୀ ।  କେବଳ ଦିନ ନୁହେଁ, ରାତିରେ ବି ନିସ୍ତାର ମିଳୁନି । ସନ୍ଧ୍ୟା ଯାଏଁ ହୁଳା ବାହାରୁଥିଲା ବାହାରେ । ଘରେ କାନ୍ଥ, ଚଟାଣ, ଛାତ ରାତି ଅଧ ଯାଏଁ ଥଣ୍ଡା ପଡ଼ିନଥିଲା । ଦିନ ତମାମ ପାଇପରୁ ବାହାରୁଥିଲା ଫୁଟନ୍ତା ପାଣି । ପଙ୍ଖା ବୁଲାଇଲେ ଦେହରେ ବାଜୁଥିଲା ଗରମ ହୁଳା । ନା ବାହାରେ ତ୍ରାହି ମିଳୁନଥିଲା ନା ଘରେ । ରାତିର ସର୍ବନିମ୍ନ ତାପମାତ୍ରା ୨୭/୨୮ ଡିଗ୍ରୀ ରହୁଥିବାରୁ ନିଦ ହଜିଯାଇଛି ଚରମ ଗରମରେ । 

  ଚଳିତ ମାସର ଗତ ୫ ଓ ୬ ତାରିଖରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅସ୍ତବ୍ୟସ୍ତ କରିଥିଲା । ଏବେ ଗଲା ୧୫ ତାରିଖରୁ ଚାଲିଛି ଗ୍ରୀଷ୍ମ ଲହରୀ । ୪ ଦିନ ହୋଇଗଲାଣି ଜଳୁଛି ସାରା ଓଡ଼ିଶା । ଏବେ ପାଣିପାଗ ପୂର୍ବାନୁମାନ କହୁଛି, ଆସନ୍ତା ୩ ଦିନ (୨୧ ତାରିଖ ପର୍ଯ୍ୟନ୍ତ) ଏମିତି ଟକଟକ ହୋଇ ଫୁଟିବ ସାରା ରାଜ୍ୟ । କାଳବୈଶାଖୀ ଯୋଗୁ ୨୨ରୁ ସାମାନ୍ୟ ତ୍ରାହି ମିଳିପାରେ । 

ଗୁରୁବାର ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା । ଭୁବନେଶ୍ୱର ତଳକୁ ଅନୁଗୁଳ ତାପମାତ୍ରା ୪୩.୩, ବୌଦ୍ଧ ୪୩.୫ ଡିଗ୍ରୀ ଥିଲା । ରାଜ୍ୟର ୧୭ଟି ସହରରେ ତାପମାତ୍ରା ୪୨ ଡିଗ୍ରୀ ପାର୍‌ କରିଥିଲା । 

ପାଣିପାଗ ବିଭାଗ ଚେତାଇ ଦେଇଛି, ଗୁରୁବାର ଭଳି ଶୁକ୍ରବାର ବି ସିଭିୟର ହିଟ୍‌ ୱେଭ୍‌ (ସାଂଘାତିକ ଗ୍ରୀଷ୍ମ ଲହରୀ) ଅନୁଭୂତ ହେବ । କଟକ, ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ସିଭିୟର ହିଟ୍‌ ୱେଭ୍‌ ଆଶଙ୍କା ଅଛି ।

ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି, ଗଞ୍ଜାମରେ ହିଟ୍‌ ୱେଭ୍‌ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାବାଦ୍‌ ସୋନପୁର, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, କଳାହାଣ୍ଡିରେ ହିଟ୍‌ ୱେଭ୍‌ ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କଟକ, ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ପୁରୀ, ନୟାଗଡ଼, ଗଜପତିରେ ଗରମ ସହ ଗୁଳୁଗୁଳି ନାକେଦମ କରିପାରେ ।  

୨୦ ତାରିଖ ପାଇଁ ଉପକୂଳ ଓଡ଼ିଶା ସମେତ ୧୫ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ନେଇ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଦକ୍ଷିଣ ଓ ପଶ୍ଚିମର ୫ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର କିଛି ଜାଗାରେ ହାଲୁକା ବର୍ଷା ସହ ଘଡ଼ଘଡ଼ି ଏବଂ ୩୦-୪୦ କିମି ବେଗରେ ପବନ ହୋଇପାରେ । ୨୧ରୁ କାଳବୈଶାଖୀ ବର୍ଷା ବଢ଼ିପାରେ । ୩ ଦିନ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍‌ କମିବା ସମ୍ଭାବନା ଅଛି । 

୧୯ ତାରିଖରେ ଟିଟିଲାଗଡ଼, ନୟାଗଡ଼, ଭବାନୀପାଟଣା, ପାରଳାଖେମୁଣ୍ଡି, ନୂଆପଡ଼ା ସହ କେତେକ ଜାଗାରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ । ଭୁବନେଶ୍ୱର ତାପମାତ୍ରା ୪୪ ପହଞ୍ଚିବା ସମ୍ଭାବନା ଅଛି । ୨୦ ତାରିଖରେ ଅନୁଗୁଳ, ଟିଟିଲାଗଡ଼, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ଝାରସୁଗୁଡ଼ାରେ ତାପମାତ୍ରା ୪୫ ଛୁଇଁପାରେ । 

ଚିନ୍ତାର ବିଷୟ ହେଲା, ୨୧ ପରେ ସାମୟିକ ହାଲୁକା ଆଶ୍ୱସ୍ତି ମିଳିବ ତାତିରୁ । ମାତ୍ର ତା’ପରେ ପୁଣି ନିଆଁ ବର୍ଷିବ । ୨୫ ପରେ ପୁଣି ତାତି ବଢ଼ିବ । ଓଡ଼ିଶାରେ ତାତି ଜଳାଇବ । ଏଭଳି ସୂଚନା ମିଳିଛି ପାଣିପାଗ ବିଭାଗର ପରିବର୍ଦ୍ଧିତ ପୂର୍ବାନୁମାନରେ । 

ଗୁରୁବାର ରାଜ୍ୟର ଅନ୍ୟ ସହର ଭିତରେ ଝାରସୁଗୁଡ଼ା ତାପମାତ୍ରା ୪୨.୮, ବାରିପଦା ୪୨.୨, ବାଲେଶ୍ୱର ୪୨.୨, ସମ୍ବଲପୁର ୪୨.୨, ତାଳଚେର ୪୨.୨, ଟିଟିଲାଗଡ଼ ୪୨.୫, ମାଲକାନଗିରି ୪୨.୫, ଖୋର୍ଦ୍ଧା ୪୨.୫, ଜଗତସିଂହପୁର ୪୨.୩, ନୂଆପଡ଼ା ୪୨.୨, ଭବାନୀପାଟଣା ୪୨, ବଲାଙ୍ଗୀର ୪୨, ନୟାଗଡ଼ ୪୨, ଢେଙ୍କାନାଳ ୪୨ ଡିଗ୍ରୀ ସେଲସିୟସ୍‌ ରହିଛି ।

  • PrameyaOdia
  • prameya
  • Weather
  • Heat Wave
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.