ପ୍ରାମାଣିକ ସତ୍ୟତା ମୋ ପାଖରେ ନାହିଁ । ମନେପଡ଼ୁଛି ପଢ଼ିଥିଲି ମାର୍ଟିନ ଲୁଥର ମରିବାର ୫ ମିନିଟ ପୂର୍ବରୁ ଖଟରେ ଉଠି ବସି ନିଦ୍ରିତ ଅବସ୍ଥାରେ ପଚାରିଥିଲେWhat’s the Answer? (ଉତ୍ତର କ’ଣ?) କିନ୍ତୁ ପୁଣି ଶେଯରେ ପଡ଼ିଗଲେ । ତାଙ୍କର ମୃତ୍ୟୁର କିଛି ସେକେଣ୍ଡ ପୂର୍ବରୁ ସେ କହିଥିଲେ- What’s the Question? (ପ୍ରଶ୍ନ କ’ଣ?) ଆମକୁ ଉଚିତ ପ୍ରଶ୍ନ, ସଠିକ୍ ପ୍ରଶ୍ନ ପଚାରିବାକୁ ହେବ, ବଞ୍ଚିବାକୁ ପ୍ରାଣମୟ କରିବା ଲାଗି ।
ମଣିଷ ସଭ୍ୟତାର କ୍ରମବିକାଶ କେବଳ ପ୍ରଶ୍ନରୁ ଆସିଛି । ଭାଷା ସୃଷ୍ଟି ହେଲାଦିନରୁ ଆମେ ପ୍ରଶ୍ନ ହିଁ କରିଥାନ୍ତି । କାହିଁକି ସୂର୍ଯ୍ୟ ଅସ୍ତ ଯାଏ, କାହିଁକି ମଣିଷ ରୋଗବ୍ୟାଧି ଯନ୍ତ୍ରଣାର ଶିକାର ହୁଏ । କାହିଁକି ପ୍ରେମ କରେ, କାହିଁକି ଯୁଦ୍ଧ କରେ, କାହିଁକି ମିଥ୍ୟା କହେ, ଚୋରି କରେ ଇତ୍ୟାଦି ପ୍ରଶ୍ନ ଆମକୁ ଏପର୍ଯ୍ୟନ୍ତ ଅର୍ଥାତ୍ ସଭ୍ୟତା ଆରମ୍ଭରୁ ୨୦୨୪ ପର୍ଯ୍ୟନ୍ତ ଘାରି ରଖିଛି । ଆମର ଉତ୍ତର ଖୋଜା ସରିନାହିଁ । କୌଣସି ଉତ୍ତର ଆମକୁ ସନ୍ତୋଷ ଦେଇନାହିଁ କି ସମସ୍ୟାର ସମାଧାନ ଦେଇନାହିଁ । ଏହା ବ୍ୟତୀତ ଆମେ ଈଶ୍ୱର ବା ସ୍ରଷ୍ଟା ସଂପର୍କରେ ମଧ୍ୟ ପ୍ରଶ୍ନ କରିଛୁ, କରିଚାଲିଛୁ । ଋକବେଦରୁ ଆମର ପ୍ରଶ୍ନ ଆରମ୍ଭ ହୋଇଛି ସ୍ଥିତି ପ୍ରକୃତି ଈଶ୍ୱରଙ୍କୁ ନେଇ । ଦଶମ ମଣ୍ଡଳର ବାସବୀୟ ସୂକ୍ତରେ ଆମେ ବିଶ୍ୱର ପ୍ରଥମ ଜଟିଳ ପ୍ରଶ୍ନ ଦେଖୁ- କିଏ ଜାଣେ ଓ କିଏ କହିପାରେ, କେବେ ଏ ସବୁ ହେଲା, କେମିତି ସୃଷ୍ଟି ଘଟିଲା? ଈଶ୍ୱରମାନେ ତ ସୃଷ୍ଟି ପରେ ଆସିଲେ, ତେଣୁ କିଏ ଜାଣେ ସତରେ କେବେ ଏସବୁ ଘଟିଲା? କେବେ ସମସ୍ତ ସୃଷ୍ଟି ଆରମ୍ଭ ହେଲା, କେଉଁଠୁ ହେଲା? ସେ କ’ଣ ଏସବୁ କଳ୍ପନା କଲା, ନା ସେ କରିନାହିଁ । ସେ ଯେ ସର୍ବୋଚ୍ଚ ସ୍ୱର୍ଗରୁ ସବୁ ଦେଖୁଛି, ସେ କ’ଣ ସବୁ ଜାଣେ- ନା ସେ ବି ଜାଣେନା (୧୦:୧୨୯) ।
ପ୍ରକୃତି ଯେ ଈଶ୍ୱର (ଜଣେ ସ୍ରଷ୍ଟାପୁରୁଷ) ସୃଷ୍ଟି କରିଛନ୍ତି ତାହା ବେଦକାର ସ୍ୱୀକାର କରନ୍ତିନାହିଁ । ସତ୍ୟ ପ୍ରଶ୍ନ ଓ ଅବିଶ୍ୱାସର ପ୍ରଶ୍ନ ଭାରତୀୟ ଜ୍ଞାନ ପରମ୍ପରାରେ ଅନସ୍ୱୀକାର୍ଯ୍ୟ । ଏହି ସନ୍ଦେହ ଅବିଶ୍ୱାସ ଋକବେଦ ରଚନା କାଳରୁ ଆଜିପର୍ଯ୍ୟନ୍ତ ରହିଛି । ବିଜ୍ଞାନବିଶ୍ୱ ବିଗ୍ବ୍ୟାଙ୍ଗ୍ ନେଇ ଅନେକ ଗବେଷଣାଲବ୍ଧ ବିବରଣୀ ଦେଇଛିନୋବେଲ ପୁରସ୍କାରପ୍ରାପ୍ତ ଷ୍ଟିଫେନ ୱେଇନବର୍ଗଙ୍କ ‘ପ୍ରଥମ ତିନି ମିନିଟ’ । ଭାରତରେ ଅବିଶ୍ୱାସ ଓ ପ୍ରଶ୍ନ ଭାଷା ସୃଷ୍ଟି ହେଲାଦିନୁ ରହିଛି । ଭାଷାତତ୍ତ୍ୱବିଦମାନେ ଏବେବି ଅନୁସନ୍ଧାନ କରୁଛନ୍ତି ଶବ୍ଦ ଓ ଅର୍ଥର ସଂଯୋଗ କିପରି ହେଲା । ଗଛକୁ ଯଦି ମୂଳରୁ ହାତୀ କୁହାଯାଇଥାନ୍ତା ହୁଏତ ଆଜି ଆମେ ସେୟା କହୁଥାନ୍ତେ । ତେଣୁ ପ୍ରଶ୍ନ ହୁଏ- ମାଟି କହିଲେ ଆମେ ଯାହା ବୁଝୁ ବାସ୍ତବରେ ସେ ପଦାର୍ଥ ମାଟି କି? ଆମର ବିଶ୍ୱ ପରିଚୟ, ସଂସ୍କୃତି ସଭ୍ୟତା ସାହିତ୍ୟ ବିଜ୍ଞାନ ସବୁ ଭାଷାର୍ଥ ବହନ କରେ। ଶବ୍ଦ ହିଁ ବସ୍ତୁ ବା ପଦାର୍ଥ, ଉପାଦାନ ବୁଝାଏ । ତେଣୁ ପ୍ରଶ୍ନ କରିଚାଲିଛି । ଉପନିଷଦମାନଙ୍କରେ ଶ୍ୱେତକେତୁ, ନଚିକେତା କହିଛନ୍ତି । ପରେ ପରେ ନାଗାର୍ଜୁନ (୨ୟ ଶତାବ୍ଦୀ ସିଇ) ବୟଶିରୀ (୮ମ-୯ମ ସିଇ) ଓ ଶ୍ରୀହର୍ଷ (୧୨ଶ ସିଇ) ଏହି ନେତିବାଦୀ ପ୍ରଶ୍ନ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି । କିନ୍ତୁ ମୋ ବିଶ୍ୱାସରେ ଗୌତମବୁଦ୍ଧ ବିଶ୍ୱ ଇତିହାସର ପ୍ରଥମ ବ୍ୟକ୍ତି, ଯିଏ ଅନାତ୍ତ-ଅନାତ୍ମନ ବ୍ୟବହାର କରିଥିଲେ ଅର୍ଥାତ୍ ଆତ୍ମସତ୍ତା ବୋଲି କିଛି ନାହିଁ । ବାଇବେଲ (ଜେନେସିସ) ରେ ଈଶ୍ୱର ବିଭିନ୍ନ ବସ୍ତୁ ଜୀବର ନାମକରଣ କଲାପରି ଆମେ ଭାଷାପ୍ରତୀକ ବ୍ୟବହାର କରିଛୁ । ବୁଦ୍ଧଙ୍କ ଅନାତ୍ମନ- ଅନାତ୍ତ ନାଗାର୍ଜୁନଙ୍କର ନିଃସ୍ୱଭାବ ସହିତ ସମାନ ଅର୍ଥାତ୍ କୌଣସି ଦ୍ରବ୍ୟ, ବସ୍ତୁ, ପଦାର୍ଥ ନିଜର ସ୍ୱଭାବ ରଖେନାହିଁ । ଯଦି ଥାଏ ତାହା ବୁଝିବା ସମ୍ଭବ ନୁହେଁ । ତେଣୁ ନାଗାର୍ଜୁନ ଯୁକ୍ତି କରିଥିଲେ ବସ୍ତୁ ଓ ଶବ୍ଦ ମଧ୍ୟରେ କୌଣସି ଯୌକ୍ତିକ ସଂପର୍କ ନାହିଁ । ଜୟରାଶୀ ଆଉ ପାଦେ ଆଗେଇ କହିଲେ ଯେ ଜ୍ଞାନ ଅସମ୍ଭବ ଯେହେତୁ କୌଣସି ପଦାର୍ଥର ସ୍ୱଭାବ ବା ଗୁଣ ଭାଷା ସଂଯୋଗରେ ବୁଝିହୁଏ ନାହିଁ । ଶ୍ରୀହର୍ଷ ନ୍ୟାୟ-ବୈଶେଷିକ ଓ ବେଦାନ୍ତକୁ ନେଇ ସେହି ଅମୂର୍ତ୍ତ କରିଥିଲେ । (ଗୀତାର- ଜଗତ୍ ଅବ୍ୟକ୍ତମୂର୍ତ୍ତିନା) । ବୁଦ୍ଧ ପ୍ରଥମେ ଏହି ଅନାତ୍ତ-ଅନାତ୍ମନ ସୃଷ୍ଟି କରିଥିଲେ । ଶଙ୍କରାଚାର୍ଯ୍ୟ ତାକୁ ଆଗକୁ ନେଇ ‘ଅଦୈ୍ୱତ’ କଳ୍ପନା କରିଥିଲେ ଯାହା ନିରାକାର, ନିର୍ଗୁଣ ଏବଂ ଅମୂର୍ତ୍ତ ।
ଭାରତରେ କୌଣସି ତତ୍ତ୍ୱ ବା ତଥ୍ୟକୁ ବିନା ଯୁକ୍ତିରେ ଗ୍ରହଣ କରାଯାଇନାହିଁ । ଉପନିଷଦମାନଙ୍କରେ ଯୁକ୍ତି ମାଧ୍ୟମରେ ସଂଳାପ ମାଧ୍ୟମରେ ସତ୍ୟ ଆବିଷ୍କାର କରାଯାଏ । କିନ୍ତୁ ସେହି ସତ୍ୟ ସାମୟିକ । ପରେ ସେହି ସତ୍ୟ ଉପରେ ଯୁକ୍ତି ହୁଏ । ଏହା ମାନବ ଧର୍ମ । ନ୍ୟୁଟନ ପରେ ଆଇନଷ୍ଟାଇନ, ଷ୍ଟ୍ରିଙ୍ଗ ତତ୍ତ୍ୱ, ଏମିତି ଚାଲିଥିବ³ କାରଣ ଏ ପ୍ରକୃତିବିଶ୍ୱର ଭାଷା ପଢ଼ିବା ଲାଗି ଆମେ ଏପର୍ଯ୍ୟନ୍ତ ଅସମର୍ଥ । ଆମେ ଯାହା କରୁ ତାକୁ ହିଁ ପ୍ରଶ୍ନ କରୁ । ଯାହା ନକରୁ ତାକୁ ହିଁ ପ୍ରଶ୍ନ କରୁ । ଶଙ୍କରାଚାର୍ଯ୍ୟ, ମୁଣ୍ଡନ ମିଶ୍ରଙ୍କ ତର୍କସ୍ପର୍ଦ୍ଧା, ସକ୍ରେଟିସଙ୍କ ପ୍ରଶ୍ନ, ପ୍ଲେଟୋଙ୍କ ସଂଳାପ ସବୁ ପ୍ରଶ୍ନମୂଳକ । କିନ୍ତୁ ଆଶ୍ଚର୍ଯ୍ୟର କଥା ଅଗଣିତ ମଣିଷ ସତ୍ୟମିଥ୍ୟାର ପ୍ରମାଣ ଖୋଜନ୍ତି ନାହିଁ, ଗ୍ରହଣ କରିଯାନ୍ତି । ପୂର୍ବ ଦିଗ ଆମେ ଯାହାକୁ କହୁଛୁ ସେଇଟାର ପୂର୍ବତ୍ୱ କ’ଣ ଆମେ ପଚାରିନାହୁଁ । ସ୍ଥପତିର ହାତଗଢ଼ା ମୂର୍ତ୍ତିକୁ ଆମେ କାହିଁକି ଫୁଲଚନ୍ଦନ ଦେଇ ପୂଜା କରିବୁ କେହି ପଚାରେ ନାହିଁ । ତୁଳସୀ ଦାସଙ୍କୁ କେହି ପଚାରେନାହିଁ ସଗୁଣ-ଅଗୁଣ କିପରି ସମାନ? ଆମେ ଗ୍ରହଣ କରିଯାଉ । କେବଳ ଚିନ୍ତକ ଦାର୍ଶନିକମାନେ ପଚାରିଛନ୍ତି । ବୈଜ୍ଞାନିକମାନେ ପଚାରିଛନ୍ତି । କିଛି କବି, ଦାର୍ଶନିକ ପଚାରିଛନ୍ତି ଏବଂ ନିଜେ ତାର ଉତ୍ତର ଦେଇଛନ୍ତି । ଏପର୍ଯ୍ୟନ୍ତ କିନ୍ତୁ କୌଣସି ଉତ୍ତର ବିନା ଯୁକ୍ତିରେ ଗ୍ରହଣ କରାଯାଇନାହିଁ । ପ୍ରଶ୍ନ ପଚରା ଚାଲିଛି । ଅନୁସନ୍ଧାନ ଚାଲିଛି । ମାନବ ସମାଜ ବର୍ତ୍ତମାନ ବୋଧହୁଏ ସବୁଠାରୁ ବେଶୀ ଆରାମରେ ଅଛି । କେହି ପ୍ରଶ୍ନ କରୁନାହିଁ: ମଣିଷ ଜନ୍ମବେଳେ କ’ଣ ପିଠିରେ ଜାତିର ମୋହର ଥିଲା? କିଏ ସୃଷ୍ଟିକଲା ଏ ଜାତି- ଛୋଟ, ବଡ଼, ଛୁଆଁ ଅଛୁଆଁ? ଏଇ ମଣିଷ ସୃଷ୍ଟି କରିଛି ଛୋଟ- ନୀଚ, ଅସ୍ପୃଶ୍ୟ ଜାତି କେବଳ ନିଜର ସୁଖଭୋଗ ଲାଗି । ଆମ ରଜା କହୁଥିଲେ ଜାଗିର ଦେବି, ସୁନା ଦେବି ଆସ ଯୁଦ୍ଧ କର । ‘ମୃଗନୟନୀ’ ଉପନ୍ୟାସରେ ସ୍ପଷ୍ଟ ହୋଇଛି ତା’ ପୂର୍ବରୁ ଆମ ଓଡ଼ିଆ ‘ସମର ତରଙ୍ଗ’ (ବ୍ରଜନାଥ ବଡ଼ଜେନା) ଯେ ରାଜା ଦୁର୍ବଳ, ଗରିବ ଲୋକଙ୍କୁ ଲୋଭ ଦେଖାଇବା ପାଇଁ ଅନୁରୋଧ କରୁଥିଲେ । କେହି ପଚାରିନଥିଲା ଯେଉଁ ସୁନା, ଜାଗିର ଦେବ ସେସବୁ କାହାର? ତା’ ଉପରେ ରଜାର ଏକଚାଟିଆ ଅଧିକାର କିପରି ଆସିଲା? ବିଭିନ୍ନ ଆଧୁନିକ ସଭ୍ୟତାର ବ୍ୟକ୍ତିକୁ, ନାଗରିକକୁ, କାହା ଧନରୁ ଏସବୁ ଦିଆଯିବ? ତେବେ ବଢ଼ିଆ ଯୁକ୍ତି ଯେମିତି ଆମ କଲେଜ ପିଲା ଷ୍ଟ୍ରାଇକ କରନ୍ତି- ଆମର ଇଂରାଜୀ ଶିକ୍ଷକ ନାହାଁନ୍ତି, ତେଣୁ ଆମେ କେମିଷ୍ଟ୍ରି-ଫିଜିକ୍ସ ଇତ୍ୟାଦି ପଢ଼ିବୁ ନାହିଁ । ମୁଁ ଜାଣେ ଯେ ମଣିଷର କୌଣସି ସମସ୍ୟାର ଚୂଡ଼ାନ୍ତ, ଶାଶ୍ୱତ ସମାଧାନ ନାହିଁ ।
ଆଜି ଖାଇବା ରହିବା ହେଲେ ମଣିଷ ବ୍ୟାଙ୍କ ବାଲାନ୍ସ ପାଇଁ ଦାବି କରିବ, କାରଣ ମଣିଷ କେବେହେଲେ ସନ୍ତୋଷ ହୁଏନାହିଁ । ତେଣୁ ପ୍ରଥମେ ପଚାରିବାକୁ ହେବ ମଣିଷ କାହିଁକି ସନ୍ତୋଷ ହୁଏନାହିଁ? ମଣିଷ ସମସ୍ତ ବିଶ୍ୱର ଐଶ୍ୱର୍ଯ୍ୟ, ସମ୍ପଦ, ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟକୁ ଏକା ଉପଭୋଗ କରିବାକୁ ଚାହେଁ ଈଶ୍ୱର ପରି । ତେଣୁ ତାକୁ ସନ୍ତୁଷ୍ଟ କରିହେବନାହିଁ । ସକ୍ରେଟିସ ନିଜେ ଜଣେ ମାଛ କିଣୁଥିବା ଲୋକକୁ ପଚାରିଲେ- କାହିଁକି ମାଛ କିଣୁଛ? ଲୋକଟି କହିଲା ଖାଇବା ପାଇଁ । କାହିଁକି ଖାଇବ? ମାଛ ଖାଇଲେ ଦେହରେ ବଳ ହେବ । ବଳ ହେଲେ କ’ଣ କରିବ? ଆଉରି ପଇସା ରୋଜଗାର କରିବି । ଅଧିକା ରୋଜଗାର ହେଲେ କ’ଣ କରିବ? ଆଉରି ବଡ଼ ମାଛ ଖାଇବି । ଆପଣ ହସିପାରନ୍ତି, କିନ୍ତୁ ଏହା ହିଁ ମଣିଷ । ସେ ସବୁ ପ୍ରଶ୍ନର ଉତ୍ତର ଦିଏ । କିନ୍ତୁ ଉତ୍ତର ମଧ୍ୟ ପ୍ରଶ୍ନ ଡାକେ । ଏହି ପ୍ରଶ୍ନୋତ୍ତରର ସମାପ୍ତି ନାହିଁ, ଯାହା ଉପନିଷଦ ଠାରୁ ସୁପରଷ୍ଟ୍ରିଙ୍ଗ ଥିଓରୀ ପର୍ଯ୍ୟନ୍ତ ଚାଲିଛି ।
ଗୀର୍ଜା, ମସଜିଦ, ମନ୍ଦିର ଭିତରେ ଆମେ କେବଳ ଶୁଣୁ । ପିଲାଦିନୁ ଶ୍ରେଣୀକକ୍ଷରେ ପ୍ରଶ୍ନ ପଚାରିବା ପାଇଁ ଆମେ ସାହସ ସଂଚୟ କରିନାହୁଁ । ଶିକ୍ଷକଙ୍କ ବାଣୀର ବିକଳ୍ପ ନାହିଁ । ପ୍ରଚାରକର ବାଣୀର ବିକଳ୍ପ ନାହିଁ, କାରଣ ଯାହା ପ୍ରଶ୍ନ ଥିଲେ ମଧ୍ୟ ପଚାରିବାର ସାହସ ଆମକୁ ଦିଆଯାଏନାହିଁ । ମଧୁସୂଦନ ଦାସ କଲେଜିଏଟ ସ୍କୁଲରେ ପ୍ରଶ୍ନ ପଚାରିଥିଲେ ବୋଲି ତଡ଼ା ଖାଇଥିଲେ । କିନ୍ତୁ ପରେ ସର୍ବୋଚ୍ଚ କର୍ତ୍ତା ତାଙ୍କ ପ୍ରତିଭାରେ ମୁଗ୍ଧ ହୋଇ ପୁଣି ନାମ ଲେଖାଇ ଦେଇଥିଲେ । ପ୍ରଶ୍ନ ପ୍ରାୟ ସବୁବେଳେ ସନ୍ଦେହରୁ ଆସେ । ବକ୍ତାର ବକ୍ତବ୍ୟର ବିକଳ୍ପ ଯେହେତୁ ପ୍ରଶ୍ନକର୍ତ୍ତାର ମନରେ ଉଙ୍କିମାରେ ସେ ପ୍ରଶ୍ନ କରେ । ଗୋଟିଏ ଉଦାହରଣ ଦେଖନ୍ତୁ: ଅନେକ ବର୍ଷ ତଳେ ଜଣେ ଆଫ୍ରିକୀୟ ବାଳକକୁ ଖ୍ରୀଷ୍ଟିଆନ କଲାବେଳେ କୁହାଗଲା, (Pray God, your Father) ଈଶ୍ୱରଙ୍କୁ ପ୍ରାର୍ଥନା କର, ସେ ତୁମର ପିତା । ବାଳକଟି କହିଲା- ମାତା କାହିଁକି ନୁହେଁ? ମୋ ମାଆ ମତେ ବେଶୀ ଭଲପାଏ, ତେଣୁ ଈଶ୍ୱର ମାତା ହେବା ଉଚିତ । ଏହାର ଉତ୍ତର ନଥିଲା, କିନ୍ତୁ ପ୍ରଶ୍ନରେ ଥିବା ଗୂଢ଼ ଅର୍ଥର ତର୍ଜମା ହେଲାନାହିଁ । ଯେ ପ୍ରଶ୍ନ କରେ ତା’ ମନରେ ଉତ୍ତର ଥାଏ ପ୍ରଚ୍ଛନ୍ନ ଭାବେ ।
ଯଦି ନାହିଁ ତାହା ପ୍ରଶ୍ନ ନୁହେଁ । ପ୍ରତ୍ୟେକ ବିଦ୍ରୋହ ଏକ ବିକଳ୍ପ ବିଶ୍ୱଚିତ୍ର ମନରେ ରଖେ । ମାର୍ଟିନ ଲୁଥର, ଗାନ୍ଧି ଓ ସେମାନଙ୍କ ପୂର୍ବରୁ ବୁଦ୍ଧ ସମସ୍ତେ ବିକଳ୍ପ ବିଶ୍ୱଚିତ୍ର ମନରେ ଧାରଣ କରି ଉପସ୍ଥିତ ବାସ୍ତବ ଜୀବନ, ପୃଥିବୀକୁ ପ୍ରଶ୍ନ କରିଥିଲେ । ରାଜନୀତିରେ ଏପରି ପ୍ରଶ୍ନ ସ୍ୱାଭାବିକ । ଯଦି ମତଦାତାକୁ ପଚରାଯାଏ କିପରି ଭାରତ ଚାହଁ? ପ୍ରତ୍ୟେକ ମତଦାତା ଅଲଗା କହିବେ । ତେଣୁ ସେମାନଙ୍କ ପାଇଁ ଗୋଟିଏ ନେତା (ଦଳ) ପ୍ରଶ୍ନ ପଚାରେ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ତେଣୁ ବିରୋଧ ଏକ ଆଦୃତ ପରମ୍ପରା । ଶାସକ ଓ ବିରୋଧୀଙ୍କ ଯୁକ୍ତିତର୍କରେ ଲୋକଙ୍କର ମଙ୍ଗଳ ଲାଗି ବାଟ ଖୋଲେ । ନୀତି ଗ୍ରହଣ କରାଯାଏ ଓ କାର୍ଯ୍ୟ ସମ୍ପାଦିତ ହୁଏ । ଶାସକ ଓ ବିରୋଧୀ ପରସ୍ପରର ଶତ୍ରୁ ନୁହଁନ୍ତି³ ସେ ଦୁହେଁ ପରିପୂରକ ନୀତି ନିର୍ଦ୍ଧାରଣର ଆଙ୍ଗିକରେ । ତେଣୁ ପ୍ରଶ୍ନକୁ ସମ୍ମାନ ଦେବାକୁ ହେବ ।
ଅର୍ଜୁନ ଯଦି ବିକଳ୍ପ ଧରଣର ପ୍ରଶ୍ନ ମନକୁ ନଆଣି ଯୁଦ୍ଧ କରିଥାନ୍ତା ଅନ୍ୟମାନଙ୍କ ପରି ଭଗବଦ୍ ଗୀତା ସୃଷ୍ଟି ହୋଇନଥାନ୍ତା । ଅର୍ଜୁନର ପ୍ରଶ୍ନ ମଣିଷର ଅସ୍ତିତ୍ୱର ପ୍ରଶ୍ନ କେବଳ ନୁହେଁ, ଅସ୍ମିତାର ପ୍ରଶ୍ନ ମଧ୍ୟ । ସେଥିପାଇଁ କୃଷ୍ଣ ବିଶଦ ଭାବେ ବୁଝାଇ ଅର୍ଜୁନକୁ ପୁଣି ଯୁଦ୍ଧକ୍ଷେତ୍ରରେ ସ୍ୱଧର୍ମ ପାଳନ ପାଇଁ ଫେରାଇ ଆଣିଛନ୍ତି । ବିଶ୍ୱର ସବୁ ଉଦ୍ଭାବନ ପ୍ରଶ୍ନରୁ ହିଁ ଆସେ । ଆତ ଫଳ ଉପରକୁ ନଯାଇ ତଳକୁ କାହିଁକି ଖସିଲା- ପ୍ରଶ୍ନ ନ୍ୟୁଟନ ପଚାରିଥିବା ହେତୁ ପଦାର୍ଥ ବିଜ୍ଞାନରେ ମାଧ୍ୟାକର୍ଷଣ ଶକ୍ତି ଚିହ୍ନିତ ହେଲା । ମଣିଷ କାହିଁକି ମରେ, ପ୍ରଶ୍ନ ଯୋଗୁଁ ବିଶର ସବୁ ରାଷ୍ଟ୍ରରେ ଗବେଷଣା ଚାଲିଥିବା ହେତୁ ଏତେପ୍ରକାର ଔଷଧ ଓ ଯୋଗତତ୍ତ୍ୱ ଇତ୍ୟାଦି ସୃଷ୍ଟି ହେଇଛି ଜୀବନର ପ୍ରଲମ୍ବନ ପାଇଁ । ମୁଁ ଜନ୍ମବେଳେ ଲୋକେ କହୁଥିଲେ ‘କଳିଷଠା ଷାଠିଏ’ କିନ୍ତୁ ମୁଁ ଷାଠିଏକୁ ଗୋଟିଏ ଯୌବନ ତଳେ ଛାଡ଼ି ଆସିଛି । ଦାର୍ଶନିକ ଚିନ୍ତକମାନେ ମଧ୍ୟ ଏ ପ୍ରଶ୍ନ ପଚାରି ବିଭିନ୍ନ ଉତ୍ତର ଦେଇଛନ୍ତି । ପ୍ରଶ୍ନ ଯେତେ ଗମ୍ଭୀର ହେବ ଉତ୍ତର ସେତେ ସହଜ, ସରଳ ଓ ପ୍ରତ୍ୟକ୍ଷ ହେବ ।
ଧର୍ମବିରୋଧୀ ବା ହେରେଟିକମାନଙ୍କୁ ଚର୍ଚ୍ଚରେ ଯେଉଁ ପ୍ରଶ୍ନ କରାଯାଏ ତାକୁ ‘ଇନକ୍ୟୁଜିସନ’ କହନ୍ତି, ଗୂଢ଼ ପ୍ରଶ୍ନ ପଚାରି ଦଣ୍ଡିତ କରନ୍ତି । ଭାରତରେ ସେପରି ପରମ୍ପରା ନାହିଁ । କିନ୍ତୁ ସନାତନ ସଭ୍ୟତା ଆରମ୍ଭରୁ ମନୀଷୀମାନେ ପ୍ରଶ୍ନ କରିଛନ୍ତି- ମୁଁ କିଏ, କାହିଁକି ଓ କ’ଣ କରିବା ପାଇଁ ଏବଂ ନିଜ ପ୍ରଶ୍ନ ଅନେକ ଉତ୍ତର ଦେଇଛନ୍ତି । ଫ୍ରାନ୍ସରେ ୧୭ଶ ଶତକରେ ଡେକାର୍ଟ ପଚାରିଥିଲେ- ମୁଁ ମୁଁ ବୋଲି କେମିତି ଜାଣିବି ଏବଂ କବି ଆଲେଜାଣ୍ଡାର ପୋପ୍ ମଧ୍ୟ ଲେଖିଲେ ‘ନିଜକୁ ଚିହ୍ନ’ । ଭଗବାନଙ୍କୁ ପ୍ରଶ୍ନ କରନାହିଁ । ମଣିଷକୁ ଜାଣିବା ପାଇଁ ମଣିଷକୁ ହିଁ ବୁଝିବା ଚେଷ୍ଟାକର । ସଭ୍ୟତାରେ ଅନେକ ପ୍ରଶ୍ନ ସବୁବେଳେ ଉଠିଛି । କଳା ଲୋକଙ୍କର ମେଧାଶକ୍ତି ଅଛି କି? ଏମାନେ ସ୍ୱାଧୀନ ହେଲେ ନିଜକୁ ଶାସନ କରିପାରିବେ କି? ଇତ୍ୟାଦି ପ୍ରଶ୍ନ ପଚରା ଯାଇଛି ଯାହାର ଭବ୍ୟ ଉତ୍ତର ଦିଆଯାଇଛି ଭାରତୀୟମାନଙ୍କ ଦ୍ୱାରା । ପଞ୍ଚସଖାମାନେ ଶୂନ୍ୟ ଓ ବ୍ରହ୍ମପୂର୍ଣ୍ଣତା ନେଇ ପ୍ରଶ୍ନ କରିଛନ୍ତି ।
ଓଡ଼ିଆମାନେ କାହିଁକି ବିଦେଶୀ ଶାସକ ପରି ହୋଇନପାରିବେ ପ୍ରଶ୍ନ ମଧୁ ବାରିଷ୍ଟର କରି ଓଡ଼ିଆଙ୍କ ପାଇଁ ଜାଗରଣ ପର୍ବର ଉଦ୍ଘାଟନ କରିଯାଇଛନ୍ତି । ଅନେକ ପଚାରିଛନ୍ତି କାହିଁକି କୁସଂସ୍କାରୀ? କାହିଁକି ଓଡ଼ିଆମାନଙ୍କର ଏତେ ହୀନମନ୍ୟତା, ଏତେ ଆତ୍ମବିଶ୍ୱାସହୀନ କାହିଁକି ଏ ଜାତି? ଏପରି ପ୍ରଶ୍ନର ସୁଫଳ ବର୍ତ୍ତମାନର ଓଡ଼ିଶା ପାଉଛି । ଆମକୁ ଆଉରି ପ୍ରଶ୍ନ ପଚାରିବାକୁ ହେବ । ଜୀବନ ଓ ସଭ୍ୟତାର ସବୁ ବିଭାଗ, ବିଭାବ ଉପରେ ଆମର ପ୍ରଶ୍ନ ଯଦି ଉଠେ ଆମେ ଆଉରି ଉଚ୍ଚତର ପ୍ରଶ୍ନ କରିପାରିବା । କିନ୍ତୁ ମନେରଖିବାକୁ ହେବ ଯେ, ପ୍ରଶ୍ନର ଅର୍ଥ ବିରୋଧୀ ମନୋଭାବ ନେଇ ଆଘାତ ଦେବାଲାଗି ନୁହେଁ । ଅନୁସନ୍ଧିତ୍ସା ଓ ଜ୍ଞାନଚର୍ଚ୍ଚାରୁ ଗୂଢ଼ ତତ୍ତ୍ୱମାନଙ୍କର ସମାଧାନ ପାଇଁ ପ୍ରଶ୍ନ କରିବାକୁ ହେବ । ମୁଁ କାହିଁକି ପାରିବିନି? ପ୍ରଶ୍ନରୁ ହିଁ ହଁ ମୁଁ ପାରିବି ଆସେ । Yes, I can- ଓବାମାଙ୍କ ସ୍ଳୋଗାନ ଥିଲା । ଏହା ପ୍ରତ୍ୟେକ ବ୍ୟକ୍ତିର ସ୍ଳୋଗାନ ହେବା ଉଚିତ ।
ପ୍ରାମାଣିକ ସତ୍ୟତା ମୋ ପାଖରେ ନାହିଁ, କିନ୍ତୁ ମନେପଡ଼ୁଛି ପଢ଼ିଥିଲି ମାର୍ଟିନ ଲୁଥର ମରିବାର ୫ ମିନିଟ ପୂର୍ବରୁ ଖଟରେ ଉଠି ବସି ନିଦ୍ରିତ ଅବସ୍ଥାରେ ପଚାରିଥିଲେ- What’s the Answer? (ଉତ୍ତର କ’ଣ?) କିନ୍ତୁ ପୁଣି ଶେଯରେ ପଡ଼ିଗଲେ । ତାଙ୍କର ମୃତ୍ୟୁର କିଛି ସେକେଣ୍ଡ ପୂର୍ବରୁ ସେ କହିଥିଲେWhat’s the Answer? (ପ୍ରଶ୍ନ କ’ଣ?) ଆମକୁ ଉଚିତ ପ୍ରଶ୍ନ, ସଠିକ୍ ପ୍ରଶ୍ନ ପଚାରିବାକୁ ହେବ, ବଞ୍ଚିବାକୁ ପ୍ରାଣମୟ କରିବା ଲାଗି ।
ପ୍ରାମାଣିକ ସତ୍ୟତା ମୋ ପାଖରେ ନାହିଁ । କିନ୍ତୁ ମନେପଡ଼ୁଛି ପଢ଼ିଥିଲି ମାର୍ଟିନ ଲୁଥର ମରିବାର ୫ ମିନିଟ ପୂର୍ବରୁ ଖଟରେ ଉଠି ବସି ନିଦ୍ରିତ ଅବସ୍ଥାରେ ପଚାରିଥିଲେ- What’s the Answer? (ଉତ୍ତର କ’ଣ?) କିନ୍ତୁ ପୁଣି ଶେଯରେ ପଡ଼ିଗଲେ । ତାଙ୍କର ମୃତ୍ୟୁର କିଛି ସେକେଣ୍ଡ ପୂର୍ବରୁ ସେ କହିଥିଲେWhat’s the Answer? (ପ୍ରଶ୍ନ କ’ଣ?) ଆମକୁ ଉଚିତ ପ୍ରଶ୍ନ, ସଠିକ୍ ପ୍ରଶ୍ନ ପଚାରିବାକୁ ହେବ, ବଞ୍ଚିବାକୁ ପ୍ରାଣମୟ କରିବା ଲାଗି ।