ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ନାଗରିକତା ସଂଶୋଧନ ଆଇନକୁ ବିରୋଧ କାହିଁକି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ନଦିଆ, ଉତ୍ତର ଓ ଦକ୍ଷିଣ ଚବିଶପ୍ରଗଣା ଜିଲ୍ଲାରେ ବାସ କରୁଥିବା ପ୍ରାୟ ୩୦ଲକ୍ଷରୁ ଅଧିକ ମତୁଆ ସମ୍ପ୍ରଦାୟର ବାଂଲାଦେଶୀ ଏବେ ଖୁସିରେ ବିଭୋର । ଏମାନେ ୧୯୭୧ ମସିହା ବଙ୍ଗଳାଦେଶ ଗଠନ ବେଳେ ଭାରତରେ ଅନୁପ୍ରବେଶ କରିଥିଲେ । ଭାରତରେ ବାସ କରୁଥିଲେ ମଧ୍ୟ ସେମାନେ ଭାରତର ନାଗରିକ ହେବାପାଇଁ ବାଧକ ସାଜିଥିଲା ଆଇନ । ୨୦୧୯ ମସିହା ଡିସେମ୍ବର ୧୨ ତାରିଖରେ ପ୍ରଣୀତ ସଂଶୋଧିତ ନାଗରିକତା ଆଇନ (ସିଏଏ) କାର୍ଯ୍ୟକାରୀ କରିବାକୁ ଭାରତ ସରକାରଙ୍କ ଘୋଷଣାନାମା ଜାରି ହେବାପରେ ଭାରତୀୟ ନାଗରିକତ୍ୱ ପାଇବାକୁ ସେମାନେ ଆଶ୍ୱସ୍ତ ହୋଇଛନ୍ତି । ଅନ୍ୟପକ୍ଷରେ ସିଏଏ  ବଳରେ ଧର୍ମନିରପେକ୍ଷ ଭାରତକୁ ହିନ୍ଦୁରାଷ୍ଟ୍ରରେ ପରିଣତ କରିବାର ପ୍ରଚେଷ୍ଟା ହେଉଛି ବୋଲି ଅଭିଯୋଗ ଉଠୁଛି ।

ନାଗରିକତା ଆଇନ ୧୯୫୫ ମସିହାରେ ପ୍ରଣୀତ ହେବା ପରଠାରୁ ୧୯୮୬, ୧୯୯୨, ୨୦୦୩, ୨୦୦୫, ୨୦୧୫ ଏବଂ ୨୦୧୯ରେ ଛଅଥର ସଂଶୋଧିତ ହୋଇଛି । ଆଗାମୀ ବର୍ଷମାନଙ୍କରେ ମଧ୍ୟ ପୁନର୍ବାର ସଂଶୋଧନ କରାଯିବାରେ କିଛି ବାଧକ ନାହିଁ । ତେବେ ମାର୍ଚ୍ଚ ୧୧, ୨୦୨୪ ଠାରୁ କାର୍ଯ୍ୟକାରୀ ହେବାକୁ ଯାଉଥିବା ସଂଶୋଧିତ ଆଇନ ବଳରେ ଦେଶରେ ଡିସେମ୍ବର ୩୧, ୨୦୧୪ ପୂର୍ବରୁ ପାକିସ୍ତାନ, ଆଫଗାନିସ୍ତାନ ଓ ବଙ୍ଗଳାଦେଶରୁ ଭାରତ ମଧ୍ୟକୁ ଅନୁପ୍ରବେଶ କରିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ଶୀ ଓ ଖ୍ରୀଷ୍ଟିଆନମାନଙ୍କୁ ନାଗରିକତା ପ୍ରଦାନ କରିବାକୁ ପ୍ରୟାସ ଆରମ୍ଭ ହୋଇଛି ।

ନାଗରିକତା ଆଇନ ଆମ ସମ୍ବିଧାନରର ଏକ ଅଂଶରୂପେ ରହିଆସିଛି । ଆଇନ ତଥା ସେସବୁର ସଂଶୋଧନ କରାଗଲାବେଳେ ସଂସଦରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କରିଛି । ନୀତି ସମ୍ମତ ଆଇନର କାର୍ଯ୍ୟକାରିତାକୁ ବିରୋଧ କରାଯିବା ଯେ ଅଗଣତାନ୍ତ୍ରିକ ଓ ସମ୍ବିଧାନ ବିରୋଧୀ, ଏହା ଆନ୍ଦୋଳନକାରୀଙ୍କୁ କିଏ ବୁଝାଇ ପାରିବ? ଅତୀତରେ ସିଏଏ ବିରୋଧରେ ଇସଲାମୀୟ ଅନୁପ୍ରବେଶକାରୀ ଓ ଛଦ୍ମ ଧର୍ମନିରପେକ୍ଷ ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ଆସାମଠାରୁ କେରଳ ପର୍ଯ୍ୟନ୍ତ ପ୍ରତିବାଦ କରାଯାଇଥିଲା ଓ ଏବେ ପୁଣିଥରେ ଆରମ୍ଭ ହେବା ଅସମ୍ଭବ ନୁହେଁ ।

ସିଏଏ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୁଦ୍ଧ ଡାକରା ଦେବା ଓ ତାମିଲନାଡୁ ସମେତ କିଛି ରାଜ୍ୟ ବିରୋଧ କରିବା ଦ୍ୱାରା କେନ୍ଦ୍ର-ରାଜ୍ୟ ସମ୍ପର୍କ ଓ ଭାରତର ସଂଘୀୟ ବ୍ୟବସ୍ଥା ପାଇଁ ଆହ୍ୱାନ ସୃଷ୍ଟି ହୋଇଛି । ସିଏଏ କୌଣସି ସଂପ୍ରଦାୟ ବିରୋଧରେ ଉଦ୍ଦିଷ୍ଟ ନୁହେଁ, ଏହା ନାଗରିକତା ଦେବାପାଇଁ ଅଭିପ୍ରେତ । କାହାର ଅଧିକାର ଛଡ଼ାଇ ନେବନାହିଁ ବୋଲି କେନ୍ଦ୍ର ସରକାର ଆଶ୍ୱାସନା ଦେବା ସତ୍ତେ୍ୱ କିଛି ରାଜନେତା ଏହାକୁ ବିରୋଧ କରୁଛନ୍ତି । ଅନେକ ଲେଖକ, କଳାକାର ଓ ବୁଦ୍ଧିଜୀବୀ ମଧ୍ୟ ସିଏଏକୁ ନିନ୍ଦା କରୁଛନ୍ତି । ସେମାନଙ୍କ ଅଭିଯୋଗ ଯେ, ଏହା ମୁସଲମାନମାନଙ୍କୁ ନୀଚା ଦେଖାଇବାର ଅନାବଶ୍ୟକ ପ୍ରଚେଷ୍ଟା ତଥା ସମ୍ବିଧାନ ବିରୋଧୀ!

ଅଗଷ୍ଟ ୨୦୧୯ରେ ପ୍ରକାଶିତ ହୋଇଥିଲା ଆସାମ "ଏନ୍‌ଆରସି' ଚୂଡ଼ାନ୍ତ ତାଲିକା । ୧୯ଲକ୍ଷ ଅନୁପ୍ରବେଶକାରୀ ନିଜର ନାଗରିକତାର ପ୍ରମାଣ ଦେଇପାରିନଥିଲେ । ଏଥିମଧ୍ୟରୁ ଥିଲେ ପ୍ରାୟ ୧୨ଲକ୍ଷ ବଙ୍ଗଳାଦେଶୀ ହିନ୍ଦୁ, ଯେଉଁମାନେ ଧାର୍ମିକ ହିଂସାର ଶିକାର ହୋଇ ଆସାମକୁ ପଳାଇ ଆସିଥିଲେ । ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା କେହିବି ହିନ୍ଦୁ ଯଦି ଧାର୍ମିକ ନିର୍ଯାତନାର ଶିକାର ହୁଅନ୍ତି, ସେ ମୂଳ ଜନ୍ମସ୍ଥାନ ତଥା ହିନ୍ଦୁବହୁଳ ଭାରତକୁ ଆସିବାକୁ ହୁଏତ ବାଧ୍ୟ ହେବେ, ଯାହା ଜଣେ ମୁସଲମାନ ପାଇଁ ପ୍ରଯୁଜ୍ୟ ନୁହେଁ । ଧାର୍ମିକ ନିର୍ଯାତନାର ଶିକାର ମୁସଲମାନ ପରିବାର ବିଶ୍ୱର ବହୁ ଇସ୍ଲାମ ରାଷ୍ଟ୍ରମାନଙ୍କ ମଧ୍ୟରୁ ଯେକୌଣସି ଗୋଟିଏ ଦେଶରେ ଆଶ୍ରୟ ନନେଇ ହିନ୍ଦୁବହୁଳ ଭାରତକୁ ଅବା ଆସିବେ କାହିଁକି? ଭାରତ ହିନ୍ଦୁରାଷ୍ଟ୍ରରେ ପରିଣତ ହେଉଛି ବୋଲି ଯେଉଁ ଧର୍ମନିରପେକ୍ଷମାନେ ଚିତ୍କାର ଛାଡ଼ୁଛନ୍ତି, ସେମାନେ ଏହାର ଉତ୍ତର ଦେବା ଆବଶ୍ୟକ । ତିନିଟି ପଡ଼ାଶୀ ଦେଶରେ ଧର୍ମ ଆଧାରରେ ଅତ୍ୟାଚାରିତ ସଂଖ୍ୟାଲଘୁ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟଙ୍କୁ ମାନବିକ ଆଧାରରେ ସିଏଏ'ରେ ଏହି ସୁବିଧା ଦିଆଯିବାର ବ୍ୟବସ୍ଥା ରଖାଯାଇଛି । ଏହି ଆଇନର ଉହାଡ଼ରେ ହୁଏତ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇନଥିବା କିଛି ଅନୁପ୍ରବେଶକାରୀଙ୍କୁ ଭାରତୀୟ ନାଗରିକତା ମିଳିଯାଇପାରେ । ସେଥିପାଇଁ କ'ଣ ଆନ୍ଦୋଳନ ଜରୁରୀ?

ଯୁକ୍ତି କରାଯାଉଛି ଯେ, ସଂଶୋଧିତ ଆଇନରେ କେବଳ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ନାମ ଉଲ୍ଲେଖ କରାଯାଇଛି, ଅଥଚ ମିଆଁମାର ଓ ଶ୍ରୀଲଙ୍କା ଭଳି ପଡ଼ୋଶୀ ଦେଶ କଥା ବିଚାର କରାଯାଇନାହିଁ । କେଉଁ ଆଧାରରେ ଆଫଗାନିସ୍ତାନକୁ ତାଲିକାରେ ସାମିଲ କରାଗଲା? ଏସବୁର ଉତ୍ତର ଅତ୍ୟନ୍ତ ସରଳ ଓ ମିଆଁମାର ଓ ଶ୍ରୀଲଙ୍କା ମୁଖ୍ୟତଃ ବୌଦ୍ଧ ଧର୍ମାବଲମ୍ବୀଙ୍କ ଦେଶ । ସେଠାରେ ଏହି ପାଞ୍ଚଟି ଧର୍ମର ଲୋକ ଅତ୍ୟାଚାରିତ ହେବାର ଇତିହାସ ନାହିଁ । ମିଆଁମାରରେ ରୋହିଙ୍ଗିଆ ମୁସଲମାନମାନେ ଧର୍ମଦୃଷ୍ଟିରୁ ଅତ୍ୟାଚାରିତ ହୋଇଛନ୍ତି, ସେମାନେ ଇସଲାମ ରାଷ୍ଟ୍ରରେ ଆଶ୍ରୟ ନନେଇ ଭାରତକୁ କ’ଣ ଧର୍ମଶାଳା ଭାବି ଆସିଛନ୍ତି?

ସମାଲୋଚନା ହେଉଛି ଯେ, ପୃଥିବୀରେ ତ ମୁସଲମାନ ରାଷ୍ଟ୍ର ଥିବା ଭଳି ଅନେକ ଖ୍ରୀଷ୍ଟିଆନ ଦେଶ ଅଛନ୍ତି । ତିନିଟି ପଡ଼ୋଶୀ ଦେଶରେ ଅତ୍ୟାଚାରିତ ଖ୍ରୀଷ୍ଟିୟାନମାନଙ୍କୁ ଭାରତ ନାଗରିକତା ଦେଉଛି କାହିଁକି? ସେମାନେ ବୋଧହୁଏ ଯୁକ୍ତି କରିବା ପାଇଁ ଏପରି ଅଭିଯାଗ କରୁଛନ୍ତି । ବାସ୍ତବତା ସହ ସେମାନଙ୍କର ସମ୍ପର୍କ ଥିଲେ ସେମାନେ ଜାଣିଥାଆନ୍ତେ ଯେ ଭାରତର ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ ଅନୁପ୍ରବେଶ କରିଥିବା ସ୍ୱଳ୍ପସଂଖ୍ୟକ ଅତ୍ୟାଚାରିତ ଖ୍ରୀଷ୍ଟିୟାନଙ୍କର ମୂଳ ଭୂଖଣ୍ଡ ଥିଲା ଭାରତ ।

ସିଏଏ ଅନୁସାରେ ଡିସେମ୍ବର, ୨୦୧୪ ପରେ ଭାରତକୁ ଆସିଥିବା ଅନୁପ୍ରବେଶକାରୀଙ୍କୁ ନାଗରିକତା ମିଳିବ ନାହିଁ । ଅଭିଯୋଗ ହେଉଛି ଯେ, ପଡ଼ୋଶୀ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟର ନାଗରିକମାନେ ଭବିଷ୍ୟତରେ ଉତ୍ପୀଡ଼ନର ଶିକାର ହେଲେ ବି ସେମାନେ ଭାରତରେ ଆଶ୍ରୟ ନେବେନାହିଁ । ଯଦି ବି ନିଅନ୍ତି, ସରକାର ନୂଆ "କଟ-ଅଫ' ତାରିଖ ଘୋଷଣା କରିଦେବେ । ସେହି ଆଧାରରେ କିଛି ବୁଦ୍ଧିଜୀବୀ ଆଶଙ୍କା କରୁଛନ୍ତି ଯେ, ଭବିଷ୍ୟତରେ ପଡ଼ୋଶୀ ଦେଶରେ ଧାର୍ମିକ ଉତ୍ପୀଡ଼ନର ନୂଆପର୍ବ ଆରମ୍ଭ ହେବ ।

ସିଏଏ ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ଜନଜାତୀୟ ଅଞ୍ଚଳ ତଥା ସମ୍ବିଧାନର ଷଷ୍ଠ ଅନୁଚ୍ଛେଦ ଅନୁଯାୟୀ "ଇନର ଲାଇନ' ଘୋଷିତ ଅଞ୍ଚଳରେ ଲାଗୁ ହେବନାହିଁ । ତେଣୁ ଏସବୁ ରାଜ୍ୟ ଏ ଆଇନକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ । ଏହା ସତ୍ୟ ଯେ "ଇନର ଲାଇନ' ବ୍ୟବସ୍ଥା ଆଦୌ ଏକ ଅଭେଦ୍ୟ ଦୁର୍ଗ ନୁହେଁ । ତା'ଛଡ଼ା ନାଗାଲାଣ୍ଡ  ଓ ମଣିପୁର ଏ ବିଶେଷ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ନୁହନ୍ତି । ଯଦିଓ ଆସାମର ଆଦିବାସୀ ଅଞ୍ଚଳରେ ସିଏଏ ଲାଗୁ ହେବନାହିଁ, କିନ୍ତୁ ଅବଶିଷ୍ଟ ଆସାମରେ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥହାନି ହେବାର ଓ ଅହମିୟା ଭାଷା ସଂସ୍କୃତି ବିପନ୍ନ ହେବାର ଆଶଙ୍କା କରିହେବ । ଏବେ  ଆସାମରେ ଆଶ୍ରୟ ନେଇଥିବା ଅନୁପ୍ରବେଶକାରୀ ବଙ୍ଗଳାଭାଷୀ ହିନ୍ଦୁମାନଙ୍କୁ ଭାରତୀୟ ନାଗରିକତା ଦିଆଯିବାର ସମ୍ଭାବନା ସୃଷ୍ଟି ହୋଇଥିବାରୁ ସ୍ଥାନୀୟ ଆସାମବାସୀ ସିଏଏ'କୁ ବିରୋଧ କରୁଛନ୍ତି । ସେଠାରେ ଲୋକଙ୍କ ବିଶ୍ୱାସ ଜିଣିବା ପାଇଁ ପ୍ରୟାସ କରାଗଲେ ଓ ବିରୋଧୀମାନେ ସେମାନଙ୍କୁ ଉତ୍ତେଜିତ କରିବାରୁ ନିବୃତ୍ତ ରହିଲେ, ବିରୋଧ କ୍ରମଶଃ ପ୍ରଶମିତ ହୋଇଯିବ ।

ସିଏଏ ସମ୍ବିଧାନର ମୂଳ ଆଧାରର ବିରୋଧାଚରଣ କରୁଛି ବୋଲି ଅଭିଯୋଗ ହେଉଛି । ସମ୍ବିଧାନ ଅନୁଯାୟୀ କେବଳ ନାଗରିକ ନୁହେଁ, ଭାରତୀୟ ଭୌଗୋଳିକ ସୀମା ମଧ୍ୟରେ ରହିଥିବା କୌଣସି ବ୍ୟକ୍ତିକୁ ଆଇନ ଆଗରେ ସମାନତା ଓ ଆଇନର ସମାନ ସୁରକ୍ଷାରୁ ବଞ୍ଚିତ, ଭେଦଭାବ କରାଯାଇ ପାରିବନାହିଁ ବୋଲି ସେମାନଙ୍କ ଯୁକ୍ତି । ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ହନନ ଅଧିକାର କାହାର ନାହିଁ ବୋଲି ଅତୀତରେ ସମ୍ବିଧାନ ବେଞ୍ଚ କହିଥିବାରୁ ସିଏଏକୁ ଅସାମ୍ବିଧାନିକ ବୋଲି ଯୁକ୍ତି ହେଉଛି । ସର୍ବୋଚ୍ଚ ନ୍ୟାୟାଳୟରେ ସିଏଏ ବିରୋଧରେ ମାମଲା ଦାୟର ହୋଇସାରିଥିବାରୁ, ଆମକୁ ପ୍ରତୀକ୍ଷା କରିବାକୁ ହେବ । ଦ୍ୱିତୀୟ ପାଳି ଆରମ୍ଭରୁ ନିଜର ନିର୍ବାଚନ ଇସ୍ତାହାର କାର୍ଯ୍ୟକାରୀ କରିବାକୁ ମୋଦି ସରକାର ଯେପରି ଉତ୍ସାହ ଓ ଉଦ୍ଦୀପନା ପ୍ରଦର୍ଶନ କରିଚାଲିଛନ୍ତି, ଆନ୍ଦୋଳନକାରୀ ଓ ଛଦ୍ମ-ଧର୍ମନିରପେକ୍ଷବାଦୀଙ୍କର ଭୟ ହେଉଛି ଯେ ଭାରତ କ୍ରମଶଃ ହିନ୍ଦୁରାଷ୍ଟ୍ରରେ ପରିଣତ ହେବାକୁ ଯାଉଛି । ସେମାନଙ୍କୁ ଉତ୍କଳମଣି ଗୋପବନ୍ଧୁଙ୍କ କବିତାର ଏକ ଅଂଶ "ନିଜ ସୁଖ ଲାଗି ଜାତ ନୁହେଁ ହିନ୍ଦୁ, ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତ ବିନ୍ଦୁ’ ମନେ ପକାଇଦେବା ଉଚିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.