କଟକ,୦୪/୧୧: ଏଇ ମାସ ୧୧ ତାରିଖରେ ଧନ୍ତେରାସ୍ । ଏହି ଦିନରେ ସୁନା କିମ୍ବା ରୁପା କିଣିଲେ ଗୃହକୁ ସମ୍ପତ୍ତି ଓ ସମୃଦ୍ଧି ଆସିଥାଏ ବୋଲି ଲୋକମାନଙ୍କର ବିଶ୍ୱାସ ରହିଛି । ତେଣୁ ରାଜ୍ୟରେ ଥିବା ୨ ହଜାରରୁ ଅଧିକ ଜୁଏଲରୀ ଦୋକାନୀ ଓ କଟକ ସହରରେ ଥିବା ୧୦ ହଜାରରୁ ଅଧିକ ସୁନା ଏବଂ ରୁପା କାରିଗର ଏହି ଦିନକୁ ଅପେକ୍ଷା କରିଥାନ୍ତି । ମାସକ ଆଗରୁ କାମ ଆରମ୍ଭ କରିଦିଅନ୍ତି । ଧନ୍ତେରାସ୍ରେ କୋଟି କୋଟି ଟଙ୍କାର ସୁନା, ରୁପା କିଣାବିକା ହୋଇଥିବାରୁ ଏଥିପାଇଁ କାରିଗର ସମେତ ଜୁଏଲରୀ ଦୋକାନୀମାନେ ଦିନ ରାତିକୁ ଏକ କରି କାର୍ଯ୍ୟ କରିଥାନ୍ତି । ଚଳିତ ବର୍ଷ ଅଧିକ ବେପାର ହେବାକୁ ଜୁଏଲରୀ ଆସୋସିଏସନ୍ ଆଶା କରିଥିବା ବେଳେ କାରିଗରମାନଙ୍କର କିନ୍ତୁ ଏପର୍ଯ୍ୟନ୍ତ ହାତ ଖାଲି ରହିଛି । ପୂର୍ବପରି କାମ ମିଳି ନଥିବା ସଂଘ ପକ୍ଷରୁ କୁହାଯାଇଛି ।
ଓଡ଼ିଶା ଜୁଏଲରୀ ଆସୋସିଏସନ୍ର କହିବା ଅନୁସାରେ ରାଜ୍ୟରେ ଛୋଟ ବଡ଼ ମିଶାଇ ୨ ହଜାରରୁ ଅଧିକ ଜୁଏଲରୀ ଦୋକାନ ରହିଛି । କଟକ ଓ ଭୁବନେଶ୍ୱରରେ ୨ ଶହରୁ ୩ ଶହ ସୁନା, ରୁପା ସୋ’ରୁମ୍ ରହିଛି । ଏହିସବୁ ଦୋକାନ ଓ ସୋରୁମ୍ରେ ପ୍ରତି ବର୍ଷ ଧନତେରସ୍ରେ ପ୍ରାୟ ୮୦ରୁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବେପାର ହେଉଥିବା ବେଳେ ଗତବର୍ଷ ୫୦ କୋଟି ବେପାର ହୋଇଥିଲା । ୨୦୨୦ ଏବଂ ୨୦୨୧ ମସିହାରେ କରୋନା ପାଇଁ ବେପାର ମାନ୍ଦା ରହିଥିଲା । ଲକ୍ଡାଉନ୍ ଓ ସଟ୍ଡାଉନ୍ କାରଣରୁ ଲୋକମାନେ ରୋଜଗାର ହରାଇଥିଲେ । ବଜାରରେ ଅସ୍ଥିରତା ଅବସ୍ଥା ରହିଥିବାରୁ ସୁନା ଦର ମଧ୍ୟ ଉଚ୍ଚା ରହିଥିଲା । ତେଣୁ ଲୋକମାନେ ସୁନା କିଣି ନଥିଲେ ।
ଚଳିତ ବର୍ଷ ଅଧିକ ବେପାର ଆଶା ରହିଥିବା ବେଳେ ୫୦ କୋଟି ଟପିବ ବୋଲି ଓଡ଼ିଶା ଜୁଏଲରୀ ଆସୋସିଏସନ୍ର ସଭାପତି ସଞ୍ଜୟ କୁମାର ସାହୁ କହିଛନ୍ତି । ଏଥିପାଇଁ ବିଭିନ୍ନ ସୋ’ରୁମ୍ ପକ୍ଷରୁ ନୂଆ ନୂଆ ଡିଜାଇନ୍ର ଅଲଙ୍କାର ଅଣାଯାଇଛି । ଆଉ କିଛି ଦିନ ପରେ ଚଳିତ ବର୍ଷ କେତେ ବ୍ୟବସାୟ ହେବ, ତାହାର ଆକଳନ କରାଯିବ ବୋଲି ସଭାପତି ଶ୍ରୀ ସାହୁ କହିଛନ୍ତି । ସେହିପରି କଟକ ସହରରେ ଥିବା ୧୦ ହଜାରରୁ ଅଧିକ ସୁନା,ରୁପା କାରିଗର ରହିଥିବା ବେଳେ ବଣିଆ ଦୋକାନ ଏବଂ ଛୋଟ ଅଳଙ୍କାର ଦୋକାନକୁ ମିଶାଇ ୧ ହଜାରରୁ ୧୨ ଶହ ରହିଛି । ଏହିସବୁ ବଣିଆ ଦୋକାନ ଏବଂ ଛୋଟ ଅଳଙ୍କାରକୁ ମିଶାଇ ସେମାନଙ୍କର ଧନ୍ତେରାସ୍ରେ ୩ରୁ ୫କୋଟି ବେପାର ହୋଇଥାଏ । ମାତ୍ର ଦୁଇ ବର୍ଷ କରୋନା କଟକଣା ପାଇଁ କାରିଗରମାନେ ମଧ୍ୟ ଦୋକାନରେ ରହି କାମ କରିବାକୁ ସୁଯୋଗ ପାଇ ନଥିଲେ । ବହୁ କାରିଗର କାମ ଛାଡ଼ି ଘରକୁ ପଳାଇଥିଲେ । ତେଣୁ ଗତବର୍ଷ ବେପାର ଆଶା କମ୍ ରହିଥିଲା ।
ମାତ୍ର ଗତବର୍ଷ ୨ କୋଟି ଟଙ୍କାର ଅଳଙ୍କାର ଧନ୍ତେରାସ୍ରେ ବିକ୍ରି ହୋଇଥିଲା ବୋଲି ଉତ୍କଳ ସ୍ୱର୍ଣ୍ଣ ରୌପ୍ୟ ଶିଳ୍ପୀ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି । କିନ୍ତୁ ଚଳିତ ବର୍ଷ ଅଧିକ ବେପାର ଆଶା କରାଯାଉଥିବା ବେଳେ ସରକାରଙ୍କର ନୂଆ ପଲିସି ଏବଂ ଜିଏସ୍ଟି ଲାଗୁ ପାଇଁ ଏପର୍ଯ୍ୟନ୍ତ କାମ ହାତକୁ ଆସିନାହିଁ ବୋଲି କହିଥିଲେ । ୨୦୨୦ ମସିହା ପୂର୍ବରୁ ଦୁର୍ଗାପୂଜା ବେଳେ ସିଡ଼ିଏରୁ ବିଦ୍ୟାଧରପୁର ପର୍ଯ୍ୟନ୍ତ ଥିବା ୧୦ ହଜାର କାରିଗରଙ୍କର ହାତ ଖାଲି ପଡ଼ୁନଥିଲା । କିନ୍ତୁ ଏବେ ସରକାରଙ୍କର ନୂଆ ନୀତି ଯୋଗୁଁ ଏମାନଙ୍କର ହାତ ଫାଙ୍କା କରିଦେଇଛି । ଏହାସହ ବଡ଼ ବଡ଼ ଜୁଏଲରୀ ଦୋକାନୀମାନେ କଟକର କାରିଗରଙ୍କ ପାଖରେ କାମ କରାଉଥିଲେ । କିନ୍ତୁ ଏବେ କୋଲକତା ଏବଂ ବମ୍ବେରୁ ଅଳଙ୍କାର ଆଣୁଛନ୍ତି । ସେମାନଙ୍କର ମଧ୍ୟ ୱାର୍କସପ୍ ଖୋଲିଦେଇଛନ୍ତି । ଏଥିପାଇଁ ଏବେ କାରିଗରଙ୍କର ହାତ ଫାଙ୍କା ପଡ଼ିଥିବା ବେଳେ ଚଳିତ ବର୍ଷ ସୁନା ଦର ଗତବର୍ଷଠୁ ୬ ହଜାର ଅଧିକ ରହିଛି । ଧନ୍ତେରାସ୍ ବେଳକୁ ଆଉ ୨ରୁ ୩ ହଜାର ବଢ଼ିଯିବାର ସମ୍ଭାବନା ରହିଛି । ତେବେ ଏଭଳି ସ୍ଥିତିରେ ଗତବର୍ଷରୁ ଅଧିକ ବେପାର ହେବା ଆଶା ମଉଳି ଯାଉଛି ବୋଲି ସଭାପତି ଶ୍ରୀ ମହାରଣା କହିଛନ୍ତି ।