ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜି ସୁନା, ବଜାର ମୂଲ୍ୟ ୭୦ଲକ୍ଷରୁ ଅଧିକ

ପୁରୀ, ୨୯/୦୫ : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ରେକର୍ଡ ପରିମାଣର ସୁନା । ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ହୁଣ୍ଡି ଗଣତିରୁ ଶ୍ରୀମନ୍ଦିର ପ୍ରଶାସନ ପ୍ରାୟ ୧ କେଜି ୮୦୦ ମିଲିଗ୍ରାମ ଓଜନର ସୁନା ପାଇଛି । ଅତୀତରେ କେବେ ବି ଏତେ ପରିମାଣର ସୁନା ହୁଣ୍ଡିରୁ ମିଳିନାହିଁ ଯାହା ଚର୍ଚ୍ଚାର ବିଷୟ ହୋଇଛି । ହୁଣ୍ଡିରୁ ମିଳିଥିବା ଏହି ୧ କେଜିରୁ ଅଧିକ ପରିମାଣର ସୁନାକୁ ଶ୍ରୀମନ୍ଦିର ପ୍ରଶାସନ ନିଜ ଷ୍ଟ୍ରଙ୍ଗ ରୁମ୍‌ରେ ରଖିଛି । ବୁଧବାର ଏହା ଶ୍ରୀମନ୍ଦିର ପ୍ରଶାସନର ବ୍ୟାଙ୍କ ଲକରକୁ କଡ଼ା ସୁରକ୍ଷା ଭିତରେ ସ୍ଥାନାନ୍ତର ହେବ । ବର୍ତ୍ତମାନର ବଜାର ଦର ଅନୁସାରେ ଏହି ସୁନାର ମୂଲ୍ୟ ପାଖାପାଖି ୭୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । 

ପ୍ରାୟ ୯ ମାସ ତଳେ ଶ୍ରୀମନ୍ଦିର ହୁଣ୍ଡିରୁ ସାଢେ ସାତଶହ ଗ୍ରାମର ସୁନା ମିଳିଥିଲା । ଏହା ପରେ ମଙ୍ଗଳବାର ସବୁଠାରୁ ବଡ଼ ପରିମାଣର ସୁନା ହୁଣ୍ଡିରୁ ମିଳିଛି । ଦାତାମାନେ ଅଧିକ ପରିମାଣରେ ସୁନା ରୂପା କିମ୍ବା ଟଙ୍କା ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଦାନ କଲେ ତାହାକୁ ଡୋନେସନ୍‌ ସେଲ୍‌ରେ ଦେଇଥାନ୍ତି । ମାତ୍ର ଦାନ ଗୁପ୍ତରେ କରାଯାଏ । ଦାନ ବିଷୟରେ କେହି ଜାଣିଲେ ତାହାର ପୂଣ୍ୟ ଦାନ ଦେବା ଲୋକକୁ ମିଳିନଥାଏ । ତେଣୁ କେହି ଦାତା ନିଜର ପରିଚୟକୁ ଗୁପ୍ତ ରଖି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୁଣ୍ଡିରେ ବଡ଼ ପରିମାଣରେ ଏହି ଦାନ ଦେଇଥିବା ଆଲୋଚନା ହେଉଛି । ଚନ୍ଦନଯାତ୍ରା ପରଠୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିଛି । ଭକ୍ତଙ୍କ ସଂଖ୍ୟା ବଢ଼ିବା ସହ ସୁନା ରୂପା ଓ ଟଙ୍କା ଦାନ ପରିମାଣ ମଧ୍ୟ ବଢୁଛି । ଚନ୍ଦନ ଯାତ୍ରା ପୂର୍ବରୁ ହୁଣ୍ଡିରେ ପ୍ରତିଦିନ ୨ରୁ ୩ ଲକ୍ଷ ଟଙ୍କା ପଡ଼ୁଥିବା ଗଣତିରେ ଜଣା ପଡୁଥିଲା । ମାତ୍ର ଚନ୍ଦନ ଯାତ୍ରା ପରଠାରୁ ପ୍ରତ୍ୟେକ ଦିନ ୫ରୁ ୭ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ସମେତ ବହୁ ପରିମାଣରେ ସୁନା ରୂପା ମିଳୁଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.