ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅର୍ପଣ ରଥ ଚାଉଳର କାନେକା ଓ ଖେଚୁଡ଼ି ଖାଇଲେ ମହାପ୍ରଭୁ, ଆଜିଠୁ ଶ୍ରୀମନ୍ଦିର ୩ ଦ୍ୱାରରେ ପ୍ରତିଦିନ ୩୦ ହାଣ୍ଡି ମହାପ୍ରସାଦ ବଣ୍ଟାଯିବ

ପୁରୀ, ୦୩/୦୨: ମହାପ୍ରଭୁଙ୍କ ନିକଟରେ ଲାଗିଲା ଅର୍ପଣ ରଥ ଚାଉଳରୁ ପ୍ରସ୍ତୁତ କାନେକା, ଖେଚୁଡ଼ି ଓ ସାଦା ଅନ୍ନ । ଯାହାକୁ ଶ୍ରୀମନ୍ଦିର ଭିତରେ ବ୍ରାହ୍ମଣମାନଙ୍କୁ ମାଗଣାରେ ବିତରଣ କରାଯାଇଛି ।  ସୁଆର ମହାସୁଆର ନିଯୋଗ ଗତ ୪ ଦିନ ତଳେ ଗୁଣ୍ଡିଚା ମନ୍ଦିରରେ ମହଜୁଦ୍‌ ଅର୍ପଣ ରଥ ଚାଉଳରୁ ୪ କେଜି ଚାଉଳ ଆଣି ଏହାକୁ  ଶ୍ରୀମନ୍ଦିର ରୋଷଶାଳାରେ ରାନ୍ଧି ମହାପ୍ରଭୁଙ୍କ ନିକଟରେ ସମର୍ପଣ  କରିଛନ୍ତି । 

ଆଜିଠୁ ପ୍ରତିଦିନ ପ୍ରାୟ ୨୦ ବସ୍ତା ଚାଉଳକୁ ଶ୍ରୀମନ୍ଦିର ରୋଷଶାଳାରେ ଖେଚୁଡ଼ି ଓ କନେକା ଭାବେ ରାନ୍ଧି ୩ ଦ୍ୱାର ନିକଟରେ ଭକ୍ତଙ୍କୁ ମାଗଣା ବଣ୍ଟନ କରାଯିବ । ଏନେଇ ଶୁକ୍ରବାର ଅର୍ପଣ ରଥ ଚାଉଳ ବ୍ୟବହାର ନେଇ ବସିଥିବା ନୀତି ସବ୍‌ କମିଟି  ବୈଠକରେ ସୂଚନା ଦେଇଛନ୍ତି  ସୁଆର ମହସୁଆର ନିଯୋଗର  ସମ୍ପାଦକ ନାରାୟଣ ମହାସୁଆର ।  ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ  ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ  ହୋଇଥିବା ବୈଠକରେ ଶ୍ରୀମନ୍ଦିର  ପରିଚାଳନା କମିଟିର ସେବାୟତ ସଦସ୍ୟ, ସୁଆର ମହାସୁଆର ନିଯୋଗର ସମ୍ପାଦକ, ସଭାପତି ଓ ପ୍ରଶାସନିକ ଅନ୍ୟ ଅଧିକାରୀମାନେ ଉପସ୍ଥିତ  ଥିଲେ । ତେବେ ଶ୍ରୀ ବର୍ମା ଗଣମାଧ୍ୟମକୁ ଏବାବଦରେ କୌଣସି  ସୂଚନା ଦେଇନାହାନ୍ତି । 

ସୂଚନା ମୁତାବକ ଏହି ଚାଉଳକୁ ପରୀକ୍ଷା କରି ରୋଷଶାଳାରେ ରାନ୍ଧିବା ନିମନ୍ତେ ଏକ କମିଟି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଏହି କମିଟିରେ  ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ସଦସ୍ୟଙ୍କ ସମେତ  ସୁଆରମହାସୁଆର ନିଯୋଗର ୫ଜଣ ରହିବେ। ସେମାନେ ପ୍ରତିଦିନ ଶ୍ରୀଗୁଣ୍ଡିଚା ମନ୍ଦିରରେ ଗଛିତ ହେଉଥିବା ଅର୍ପଣ  ଚାଉଳକୁ ଆଣି ପରୀକ୍ଷା କରିବେ । ଏହାକୁ କମିଟି ଓ ଅମୁଣିଆ  ପରିଛା ସେବକ ଠିକ୍‌ ବୋଲି କହିଲେ ମହାପ୍ରଭୁଙ୍କ ନିମନ୍ତେ  ରୋଷଶାଳାରେ ରନ୍ଧା ଯାଇ ଭୋଗ ଲଗାଯିବ । 

ତେବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚି ସାରିଥିବା  ପ୍ରାୟ ୫ ହଜାର ପ୍ୟାକେଟ ଚାଉଳର ବିଭିନ୍ନ ପ୍ୟାକେଟରୁ  ଚାଉଳ ବାହାର କରି ସୁଆରମହାସୁଆର ନିଯୋଗ ପରୀକ୍ଷା  କରିଥିଲା । ଏହା ଠିକ୍‌ ଥିବାରୁ ମହାପ୍ରଭୁଙ୍କ ନିମନ୍ତେ ଖେଚୁଡ଼ି  ରାନ୍ଧି ଭୋଗ କରିଥିଲା । ତେଣୁ ରବିବାରଠାରୁ ଖେଚୁଡ଼ି ପ୍ରସ୍ତୁତ  କରି ମହାପ୍ରଭୁଙ୍କ ନିକଟରେ ଲାଗି ପରେ ଶ୍ରୀମନ୍ଦିର ତିନି  ଦ୍ୱାରରେ ଶ୍ରଦ୍ଧାଳୁଙ୍କୁ ବାଣ୍ଟିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ସୁଆରମହାସୁଆର ନିଯୋଗକୁ ଦାୟିତ୍ୱ ଦିଆଯାଇଛି । 

ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ  ମହାସୁଆର କହିଛନ୍ତି, ଗଠିତ ହୋଇଥିବା ଚାଉଳ ଯାଞ୍ଚ  କମିଟିର ବୈଠକ ଆସନ୍ତାକାଲି ବସି ଚୂଡ଼ାନ୍ତ ନିଷ୍ପତ୍ତି ହେବ ।  ନାଟମଣ୍ଡପ ମରାମତି କରିବା ନିମନ୍ତେ ମଙ୍ଗଳବାରଠାରୁ  ଶ୍ରୀମନ୍ଦିରରେ ସମସ୍ତ ନୀତି ସଅଳ ଆରମ୍ଭ କରି ସଅଳ ଶେଷ  କରିବାକୁ ନିଷ୍ପତ୍ତି ହୋଇଛି । ତେଣୁ ଦ୍ୱିତୀୟ ଭୋଗମଣ୍ଡପ  ପରେ ଶେଷ ଭୋଗ ଭାବେ ଅର୍ପଣ ଚାଉଳକୁ ବ୍ୟବହାର କରି  ଖେଚୁଡ଼ି ଓ କାନେକା ରନ୍ଧାଯାଇ ଠାକୁରଙ୍କୁ ସମର୍ପଣ କରାଯିବ  ବୋଲି ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି । ରାତିରେ ପ୍ରସ୍ତୁତ ଏହି  ଖେଚୁଡ଼ି ଶ୍ରୀମନ୍ଦିର ୩ ଦ୍ୱାରରେ ଶ୍ରଦ୍ଧାଳୁଙ୍କୁ ବଣ୍ଟାଯିବ । ବଳିଲେ  ପରଦିନ ପୁଣି ସକାଳୁ ଶ୍ରୀମନ୍ଦିର ତିନି ଦ୍ୱାରରେ ବଣ୍ଟାଯିବ ।  

ଭୋଗ ମଣ୍ଡପ ପୂର୍ବରୁ ପ୍ରସ୍ତୁତ ଏହି ଭୋଗ ପ୍ରସ୍ତୁତ କଲେ ଏହା  ଆନନ୍ଦ ବଜାରରେ ମହାପ୍ରସାଦ ଚାହିଦା ଉପରେ କୁପ୍ରଭାବ  ପକାଇବ । ତେଣୁ ଶେଷରେ ଏହି ଖେଚୁଡ଼ି ଓ କନେକା ଭୋଗ  କରିବାକୁ ପ୍ରଶାସନକୁ କୁହାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରେ  ବସ୍ତା ମରାଯାଇଥିବା ପ୍ରାୟ ୫ ହଜାର ପ୍ୟାକେଟ ଚାଉଳ  ଭିତରୁ କିଛିକିଛି ବାହାର କରି ପରୀକ୍ଷା କରାଯାଇଥିଲା । ଯାହା  ମହାପ୍ରଭୁଙ୍କ ନିକଟରେ ଭୋଗ ଲଗାଇବାକୁ ଯୋଗ୍ୟ ହେବା  ପରେ ୪ ଦିନ ତଳେ ଖେଚୁଡ଼ି କରି ସମର୍ପଣ ହୋଇଥିଲା ।  ତେଣୁ ଆଗକୁ ଚାଉଳ ପରୀକ୍ଷା କରି ମହାପ୍ରସାଦ ରାନ୍ଧିବା ନିମନ୍ତେ ଏକ କମିଟି କରାଯାଇଛି । ଯେଉଁଥିରେ ସୁଆର  ମହାସୁଆର ନିଯୋଗର ସଭାପତି, ସମ୍ପାଦକଙ୍କ ସମେତ  ଅନ୍ୟ ୩ ଜଣ ଓ ପରିଚାଳନା କମିଟିର ସେବାୟତ ସଦସ୍ୟ  ରହିବେ । କମିଟି ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ ।  ପ୍ରଶାସନ ଆସନ୍ତାକାଲି ଭୋଗ କରି ବାଣ୍ଟିବାକୁ କହିଥିଲା,  ମାତ୍ର ସୁଆରମହାସୁଆର ନିଯୋଗ ଏଥିପାଇଁ ଗୋଟିଏ ଦିନ  ସମୟ ମାଗିଥିଲା । ନିଯୋଗ ସ୍ୱଳ୍ପ ପାରିଶ୍ରମିକ ନେଇ ଏହି  ଭୋଗ ରାନ୍ଧି ବାଣ୍ଟିବ । 

ତେବେ ଅର୍ପଣ ରଥକୁ ମିଳିଥିବା ପ୍ରାୟ ୧୨ ହଜାର  କ୍ୱିଣ୍ଟାଲ ଚାଉଳକୁ ରାନ୍ଧି ବାଣ୍ଟିବାକୁ ପ୍ରାୟ ୫ ବର୍ଷ ଲାଗିଯିବ  ଓ ଏଥିପାଇଁ ମିଳିଥିବା ଚାଉଳକୁ ସୁରକ୍ଷିତ ରଖିବା ସମ୍ଭବ  ନୁହେଁ ବୋଲି କହି ଅନ୍ୟ ସେବାୟତ ସଦସ୍ୟମାନେ  କହିଛନ୍ତି । ଚାଉଳକୁ ଶୀଘ୍ର ଭୋଗ ନିମନ୍ତେ ବ୍ୟବହାର  କରି ବିଭିନ୍ନ ଜିଲ୍ଲାରୁ ପୁରୀ ଆସୁଥିବା ବସ୍‌ ଯୋଗେ ଭକ୍ତଙ୍କ  ନିକଟକୁ ପଠାଇ ଦେବାକୁ ମଧ୍ୟ ସେବାୟତ ସଦସ୍ୟମାନେ  ପ୍ରଶାସନକୁ ପ୍ରସ୍ତାବ ଦେଇଛନ୍ତି । ଏଥିସହ ମିଳିଥିବା  ପ୍ରଚୁର ପରିମାଣର ନଡ଼ିଆ ଓ ଗୁଆକୁ କିପରି ଖରାପ  ହେବା ପୂର୍ବରୁ ବ୍ୟବହାର କରାଯିବ ସେନେଇ ପଦକ୍ଷେପ  ନେବାକୁ ମଧ୍ୟ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକଙ୍କୁ  ସେବାୟତ ସଦସ୍ୟମାନେ ନିବେଦନ କରିଛନ୍ତି । ପ୍ରତିଦିନ  ପ୍ରାୟ ୩୦ ହାଣ୍ଡି କାନେକା ଖେଚୁଡ଼ି କିମ୍ବା କାନେକା ରନ୍ଧି  ବାଣ୍ଟିବାକୁ ଯୋଜନା ଥିବାରୁ ଏଥିନିମନ୍ତେ ଆବଶ୍ୟକ ହାଣ୍ଡି  ଓ ଜାଳେଣୀ କାଠ ଯୋଗାଇ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ  ନିବେଦନ କରାଯାଇଥିଲା । ଆବଶ୍ୟକ ପରିମାଣର କାଠ ଓ  ହାଣ୍ଡି ଯୋଗାଇ ଦେବାକୁ ପ୍ରଶାସନ ସମ୍ମତି ପ୍ରକାଶ କରିଥିବା  ସେବାୟତ ସଦସ୍ୟମାନେ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.