ନୂଆଦିଲ୍ଲୀ ୧୧/୦୯: ଅଧ୍ୟୟନରୁ ଜଣାପଡ଼ିଛି, ପୂର୍ବ ଏସୀୟ ଲୋକ ଆମେରିକା ଓ ୟୁରୋପବାସୀଙ୍କ ତୁଳନାରେ କମ୍ ଶୋଉଛନ୍ତି । କିନ୍ତୁ ସେମାନଙ୍କ ନିଦ ଗୁଣବତ୍ତା ଭଲ କି ଖରାପ, ସେ ନେଇ ଜଣା ପଡ଼ିନଥିଲା । ଏହି ସ୍ଥିତିରେ ଲୋକଙ୍କ ନିଦ ଗୁଣବତ୍ତା ଜାଣିବା ପାଇଁ ନ୍ୟାସନାଲ ୟୁନିଭର୍ସିଟି ଅଫ୍ ସିଙ୍ଗାପୁର ଓ ଫିନ୍ଲ୍ୟାଣ୍ଡର ଏକ ସ୍ଲିପ୍-ଟେକ୍ ଷ୍ଟାର୍ଟଅପ୍ ‘ଓରା ହେଲ୍ଥ’ର ଗବେଷକମାନେ ଅଧ୍ୟୟନ କରିଥିଲେ । ଅଧ୍ୟୟନ ସମୟରେ ବିଶ୍ୱ ୩୫ ଦେଶର ଲୋକଙ୍କ ନିଦ ଅଭ୍ୟାସକୁ ବିଶ୍ଳେଷଣ କରାଗଲା ।
ଏଥିଲାଗି ୨୦୨୧ ଓ ୨୦୨୨ ମଧ୍ୟରେ ସ୍ଲିପିଂ ଆପ୍ରୁ ୨.୨ ଲକ୍ଷରୁ ଅଧିକ ଲୋକଙ୍କ ନିଦ ପ୍ୟାଟର୍ନର ତଥ୍ୟ ସଂଗ୍ରହ କରାଗଲା । ତଥ୍ୟରୁ ଜଣାପଡ଼ିଲା, ସମସ୍ତ ଦେଶରେ ନିଦ ପ୍ୟାଟର୍ନ ଖୁବ୍ ଭିନ୍ନ । ଏସୀୟ ଦେଶର ଲୋକଙ୍କ ନିଦ ସବୁଠୁ କମ୍ ଗୁଣବତ୍ତାସମ୍ପନ୍ନ । ଏଠାକାର ଲୋକେ ରାତିରେ ସାଢ଼େ ଛଅ ଘଣ୍ଟାରୁ ମଧ୍ୟ କମ୍ ସମୟ ଶୋଉଛନ୍ତି । ଏହା ବିଶ୍ୱର ଅନ୍ୟ ସ୍ଥାନ ତୁଳନାରେ ପ୍ରାୟ ୩୦ ମିନିଟ୍ କମ୍ । ଏସୀୟ ଲୋକଙ୍କୁ ବିଛଣାକୁ ଯିବା ପରେ ଶୋଇବାକୁ ପ୍ରାୟ ୩୫ ମିନିଟ୍ରୁ ଅଧିକ ସମୟ ଲାଗେ । କଡ଼ ଲେଉଟାଇବାରେ ସେମାନେ ଅଧିକ ସମୟ ବିତାନ୍ତି । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ଏସୀୟମାନେ କେବଳ ବିଳମ୍ବିତ ରାତ୍ରିରେ ଶୁଅନ୍ତି ନାହିଁ, ଅନ୍ୟ ଦେଶ ତୁଳନାରେ କମ୍ ସମୟ ମଧ୍ୟ ଶୁଅନ୍ତି ବୋଲି ଅଧ୍ୟୟନ ଦର୍ଶାଇଛି ।
ଅନ୍ୟପକ୍ଷେ, ଅନ୍ୟ ଦେଶମାନଙ୍କରେ ଲୋକେ ସପ୍ତାହର ନିଦ ପୂରଣ କରିବା ପାଇଁ ସପ୍ତାହାନ୍ତରେ ୫ରୁ ୨୫ ମିନିଟ୍ ଅଧିକ ଶୋଇଥାନ୍ତି । କିନ୍ତୁ ଏସୀୟ ଲୋକେ ସପ୍ତାହାନ୍ତରେ ମଧ୍ୟ କମ୍ ଶୋଇଥାନ୍ତି । ଗବେଷକଙ୍କ କହିବା ଅନୁସାରେ, ବିଶ୍ୱରେ ଲୋକଙ୍କ କାମ ମଧ୍ୟ ନିଦ ପ୍ୟାଟର୍ନକୁ ଆକାର ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ପିଲାଙ୍କ ଦେଖାଶୁଣା, ସାଂସ୍କୃତିକ ପ୍ରଥା-ପରମ୍ପରା ଓ ପର୍ବପର୍ବାଣି ମଧ୍ୟ ଦିନକୁ ପ୍ରଭାବିତ କରୁଛନ୍ତି । ନିଦ୍ରାଭାବରୁ ଚାପ ଓ ମାନସିକ ରୋଗର ଆଶଙ୍କା ଯଥେଷ୍ଟ ବେଶି ବୋଲି ଅଧ୍ୟୟନ ଦର୍ଶାଇଛି । ଶରୀର ପୀଡ଼ା ଓ ଥକାପଣ ଭଳି ସମସ୍ୟା ମଧ୍ୟ ଦେଖାଯାଉଛି । କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବାର କ୍ଷମତା ଦୁର୍ବଳ ହେଉଛି । କମ୍ ଶୋଉଥିବା ଲୋକଙ୍କର ଓଜନ ବୃଦ୍ଧି ଆଶଙ୍କା ବି ଦେଖିବାକୁ ମିଳୁଛି ।