ଭୁବନେଶ୍ୱର,୧୪/୧୧: ଆବାସ, ମନରେଗା, ପାଇଖାନା, ପାନୀୟଜଳ, ରାସନ, ଭତ୍ତା ପାଇଁ ରାଜ୍ୟର ଗରିବଲୋକଙ୍କ ଉଦ୍ଦେଶ୍ୟରେ ଆସୁଥିବା ଟଙ୍କାକୁ ମିଳିମିଶି ଖାଇଯାଉଛନ୍ତି ବିଜେଡିର ନେତା, ମନ୍ତ୍ରୀ । ଏହା ବ୍ୟତୀତ ଅତୀତରେ "ଆମ ଗାଁ ଆମ ବିକାଶ' ଏବଂ ବର୍ତ୍ତମାନ "ଆମ ଓଡ଼ିଶା, ନବୀନ ଓଡ଼ିଶା' ଯୋଜନା ନାଁରେ ହଜାର ହଜାର କୋଟି ଟଙ୍କା ହଡ଼ପ୍ କରାଯାଇଛି । ଏନେଇ ବିଜେପି ପକ୍ଷରୁ ନଭେମ୍ବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ସବୁ ବ୍ଲକ ଅଫିସ ଘେରାଉ କରାଯିବ ।
ବିଜେପି ରାଜ୍ୟ କାର୍ଯାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଅଭିଯୋଗ କରିଛନ୍ତି, ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ "ପିସି ସଂଗ୍ରହ କେନ୍ଦ୍ର' ପାଲଟିଛି । ଦୁର୍ନୀତିର ପରିମାଣ ଏତେ ବ୍ୟାପକ ହୋଇସାରିଛି ଯେ ଓଡ଼ିଶା ବିକାଶ ପଥରେ ନୁହେଁ ବରଂ ବିନାଶ ପଥରେ ଦ୍ରୁତଗତିରେ ଅଗ୍ରସର ହେଉଛି । ରାଜ୍ୟରେ ବ୍ୟାପକ ଦୁର୍ନୀତି ବିରୋଧରେ ଆସନ୍ତାକାଲିଠୁ ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ବିଜେପିର ଜନ ଆକ୍ରୋଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ତେଜେଶ୍ୱର ପରିଡ଼ା, ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।