ନୀଳଗିରି,୭/୧୧(ଆ.ପ୍ର):ବରମପୁର ପଂଚାୟତ ପରେ ପୁଣି ସଜନାଗଡ଼ ପଂଚାୟତରେ ଆବାସ ଯୋଜନାରେ ଦୁର୍ନୀତିର। ଉଭୟ ଦମ୍ପତ୍ତିଙ୍କ ନାମରେ ଆସିଛି ଏହି ସଙ୍ଗିନ ଅଭିଯୋଗ।ସରକାରୀ ବାବୁଙ୍କୁ ହାତବାରିସୀ କରି ହାତେଇଛନ୍ତି ଆବାସ ଯୋଜନା। ସଜନାଗଡ଼ ପଞ୍ଚାୟତ ତେଣ୍ଡା ଗ୍ରାମର ଆଇଡି ନମ୍ବର ଓଆର୧୫୪୫୮୩୫୫୮ ନମ୍ବରରେ ବ୍ରଜକିଶୋର ସିଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହାତେଇଥିବା ବେଳେ ତାଙ୍କର ସ୍ତ୍ରୀ ଆଇଡ଼ି ନମ୍ବର ଓଆର୧୫୩୮୮୮୧୮୫ ନମ୍ବରରେ ଆବାସ ଘର ହାତେଇଥିବା ଅଭିଯୋଗ ଆସିଛି।ପିଇଓଙ୍କ ଜାଣତରେ ଏଭଳି ହେଉଥିବା ଅଭିଯୋଗ ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ଠାରେ ଆସିବା ପରେ ସେ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି।ଏପରିକି ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ମଧ୍ୟ ଏକ ପତ୍ର ଲେଖିଥିବା ଜଣାପଡିଛି।
ପୂର୍ବରୁ ବରମପୁର ପଂଚାୟତରେ ଉଭୟ ଦମ୍ପତି ଏହି ଯୋଜନାରେ ଦୁଇଟି ଗୃହ ହାତେଇଥିବା ବେଳେ ଏହାର ତଦନ୍ତ ହୋଇ କାର୍ଯ୍ୟରତ ପିଇଓ ନିଲମ୍ବିତ ହୋଇଥିଲେ। ସୂଚନାଯୋଗ୍ୟ ନୀଳଗିରି ଗୋଟିଏ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଅନେକ ଆଦିବାସୀ ପରିବାର ଆଜିବି ସରକାରୀ ଯୋଜନାରେ ଘର ଟିକକ ପାଇଁ ସଂଘର୍ଷ କରୁଛନ୍ତି। କିଏ ପଲିଥିନ ଟାଙ୍ଗି ରହୁଛି ତ ଆଉ କିଏ ପର ଓଳିରେ ମୁଣ୍ଡ ଗୁଞ୍ଜିଥିବା ଦେଖିବାକୁ ମିଳୁଛି।ପ୍ରଧାନମନ୍ତ୍ରୀ ଅବାସରେ ଘର ପାଇବା ପାଇଁ ପଞ୍ଚାୟତ ଅଫିସ ଦୌଡ଼ି ଦୌଡ଼ି ହତାଶ ହେଉଥିବା ବେଳେ ପ୍ରକୃତ ହିତାଧିକାରୀଙ୍କୁ ଘର ନଦେଇ ବେଆଇନ ଭାବେ ଏହି ଯୋଜନା ସବୁ ହଡ଼ପ ହୋଇଛି। କୋଠା,ଚାରିଚକିଆ ଯାନ, ଦୁଇ ଚକିଆଯାନ ଥିବା ଲୋକ ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହାତେଇ ଦୁଇ ମହଲା କୋଠା ନିର୍ମାଣ କରିବା ନଜିର ମଧ୍ୟ ରହିଛି।