ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡ଼ିକୁ ତାଗିଦ କରିଛନ୍ତି । ପୋଷ୍ଟର କିମ୍ବା ଲିଫଲେଟ୍ ଲାଗି ପିଲାମାନଙ୍କ ବ୍ୟବହାର କରିବାକୁ ନିର୍ବାଚନ ଆୟୋଗ ବାରଣ କରିଛନ୍ତି । ନିର୍ବାଚନୀ ପ୍ରଚାରରେ ପିଲାମାନଙ୍କୁ କୌଣସି କାର୍ଯ୍ୟରେ ନଲଗାଇବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେବା ସହ ଏଭଳି କାର୍ଯ୍ୟକୁ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି । ରାଜନେତା ହୁଅନ୍ତୁ ଅବା ପ୍ରାର୍ଥୀ, କେହି ପିଲାମାନଙ୍କୁ କୌଣସି କାର୍ଯ୍ୟରେ ଲଗାଇପାରିବେ ନାହିଁ । କୌଣସି ନେତା ଏଣିକି ପିଲାମାନଙ୍କୁ ହାତରେ ଉଠାଇବେ ନାହିଁ କିମ୍ବା ଛୋଟ ପିଲାଙ୍କୁ ରାଲିରେ ସାମିଲ କରିବେ ନାହିଁ ବୋଲି ନିର୍ବାଚନ କମିଶନ କହିଛନ୍ତି ।
ରାଜନୀତି ଉଦ୍ଦେଶ୍ୟରେ ତିଆରି କବିତା ପିଲାମାନଙ୍କୁ ଆବୃତ୍ତି କରିବାକୁ ଦିଆଯିବ ନାହିଁ । ସେପଟେ ଯଦି ଜଣେ ନେତା କୌଣସି ଦଳର ପ୍ରଚାର କରୁଥାନ୍ତି ଏବଂ ତାଙ୍କ ପାଖରେ ଜଣେ ପିଲା ନିଜର ଅଭିଭାବକଙ୍କ ସହ ଛିଡ଼ା ହୋଇଥାଏ ତେବେ ଏହାକୁ ନିୟମର ଉଲ୍ଲଂଘନ ବୋଲି ଧରାଯିବ ନାହିଁ । ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ସୋମବାର ନିର୍ବାଚନ ଆୟୋଗ, ନିର୍ବାଚନ ପ୍ରଚାରରେ ଶିଶୁ ଏବଂ ନାବାଳକଙ୍କୁ ସାମିଲ ନକରିବାକୁ ପରାମର୍ଶ ଦେଇଛନ୍ତି ।
ଆୟୋଗଙ୍କ ଦ୍ବାରା ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ, ସାଧାରଣ ନିର୍ବାଚନରେ ପିଲାମାନେ ପ୍ରଚାରପତ୍ର, ପୋଷ୍ଟର, ନାରା ଲଗାଇବା କିମ୍ବା ପାର୍ଟିର ପତାକା ଧରି ବୁଲିପାରିବେ ନାହିଁ । ଆୟୋଗ କହିଛନ୍ତି ଯଦି କୌଣସି ଦଳ ନିଜର ନିର୍ବାଚନ ପ୍ରଚାରରେ ପିଲାଙ୍କୁ ସାମିଲ କରିବାର ଦେଖାଯାଉଛି, ତେବେ ସଂଶୋଧିକ ଶିଶୁ ଶ୍ରମ ଆଇନ ୧୯୮୬ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏସମ୍ପର୍କରେ ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଙ୍ଗ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବାର ଦାୟିତ୍ବ ଦିଆଯାଇଛି ।