ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଷମକଟକରେ ବିଜେପିର ଦୁଇ ଆଶାୟୀଙ୍କ ମଧ୍ୟରେ ଟଣାଓଟରା, ଫାଇଦା ଉଠାଉଛି ଅନ୍ୟ ଦଳ

ରାୟଗଡ଼ା, ୨୨/୧୧ : ରାୟଗଡ଼ା ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ହେଉଛି ବିଷମକଟକ । ଏଠାରେ ବିଜେପି ଆଜି ପର୍ଯ୍ୟନ୍ତ ଖାତା ଖୋଲିପାରିନି । ଗତ ଦୁଇଟି ଯାକ ନିର୍ବାଚନରେ ଏଠି ଦଳ ତୃତୀୟ ସ୍ଥାନରେ ରହିଆସୁଛି । ସଂଗଠନକୁ ମଜଭୁତ କରିବା ପରିବର୍ତ୍ତେ ଦଳରେ ଦୁଇ ଆଶାୟୀଙ୍କ ମଧ୍ୟରେ ଏବେ ଆରମ୍ଭ ହୋଇଯାଇଛି ଟଣାଓଟରା । ଯାହାର ଫାଇଦା ଉଠାଉଛନ୍ତି ଅନ୍ୟ ଦଳର ପ୍ରାର୍ଥୀ । 

ବିଷମକଟକ, ମୁନିଗୁଡ଼ା, କୋଲନରା ଏବଂ କଲ୍ୟାଣସିଂହପୁର ବ୍ଲକକୁ ନେଇ ଗଠିତ ଏହି ଆସନ । ବିଜେପି ପକ୍ଷରୁ ଏଠାରେ ଆଶାୟୀ ପ୍ରାର୍ଥୀ ଦୌଡ଼ରେ ରହିଛନ୍ତି ଶିବଶଙ୍କର ଉଲ୍ଲାକା ଏବଂ ହଳଧର ହିମିରିକା । ୨୦୧୯ ନିର୍ବାଚନରେ ଏଠାରୁ ପ୍ରାର୍ଥୀ ହୋଇଥିଲେ ଶିବଶଙ୍କର । ୨୩ ହଜାର ୬୬୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ଏଥର ପୁନର୍ବାର ଲଢ଼ିବା ପାଇଁ ଆଶାୟୀ ରହିଛନ୍ତି । ଅଥଚ ଦଳ ଭିତରେ ତାଙ୍କୁ ଜୋରଦାର ବିରୋଧ କରାଯାଉଛି । ଜିଲ୍ଲାସ୍ତରୀୟ ନେତୃତ୍ୱ ତାଙ୍କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଗତ ସାଧାରଣ ନିର୍ବାଚନ ପରଠୁ ଶିବଶଙ୍କରଙ୍କ ଆଉ ଦେଖା ମିଳୁନି । ଏବେ କେଉଁ ମୁହଁ ନେଇ ଭୋଟରଙ୍କ ପାଖକୁ ଯିବେ ବୋଲି ପ୍ରଶ୍ନ କରୁଛନ୍ତି ଦଳୀୟ ନେତୃତ୍ୱ । ଏ ସଂପର୍କରେ ରାଜ୍ୟ ନେତୃତ୍ୱଙ୍କୁ ଅବଗତ କରିଛନ୍ତି । ଅଥଚ ଶିବଶଙ୍କର ଜିଲ୍ଲା ରାଜନୀତିରେ ଜଣେ ପୁରୁଣା ଖେଳାଳି । 

୨୦୧୪ରେ କଂଗ୍ରେସରୁ ଆସି ସମସ୍ତଙ୍କୁ ଚକ୍‌ମା ଦେଇ କୋରାପୁଟ ଲୋକସଭା ଆସନ ପାଇଁ ବିଜେପିରୁ ଟିକେଟ ହାତେଇଥିଲେ । ତେଣୁ କେତେବେଳେ ସେ କ’ଣ ଅଙ୍କ ବୁଲାଇଦେବେ ତାହା ଅନୁମାନ କରିବା ମୁସ୍କିଲ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟ ଓ କେନ୍ଦ୍ର ନେତୃତ୍ୱଙ୍କ ଗୁଡ୍‌ବୁକରେ ସେ ଏପର୍ଯ୍ୟନ୍ତ ରହିଛନ୍ତି । ଗତ ନିର୍ବାଚନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର. ପି ସିଂ ବିଷମକଟକ ଆସିବା ପରେ ଶିବଶଙ୍କରଙ୍କ ଉପରେ ତାଙ୍କର ଆଶୀର୍ବାଦ ରହିଥିବା କୁହାଯାଉଛି । କୋଲନରା ବ୍ଲକ ଉପାଧ୍ୟକ୍ଷ ହଳଧର ହିମିରିକା ବି ଟିକେଟ ଦୌଡ଼ରେ ରହିଛନ୍ତି । ବିଜେପିରୁ ଟିକେଟ ପାଇଁ ଲବି ଚଳାଇଛନ୍ତି । ଦଳର ଜିଲ୍ଲା ଟିମ୍‌ ବି ତାଙ୍କୁ ସମର୍ଥନ ଜଣାଇ ରାଜ୍ୟ ନେତୃତ୍ୱଙ୍କୁ ଜଣାଇଥିବା ସୂଚନା ମିଳିଛି । ହଳଧର ନିଜ ସଂଗଠନ ପାଇଁ ଲାଗି ପଡିଛନ୍ତି । କୋଲନରା, ବିଷମକଟକ ଏବଂ କଲ୍ୟାଣସିଂହପୁର ବ୍ଳକର ବିଭିନ୍ନ ଅଞ୍ଚଳ ବୁଲିବା ସହ ଜନସମ୍ପର୍କ ସ୍ଥାପନ କରୁଥିବା ଲକ୍ଷ୍ୟ କରାଯାଉଛି । 

ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ମାତ୍‌ଦେଇ ହଳଧର କୋଲନରା ବ୍ଲକ ଉପାଧ୍ୟକ୍ଷ ହେବା କିଛି କମ୍‌ କଥା ନୁହେଁ । ଏହି ଧାରାରେ ତାଙ୍କ ପାଇଁ ବରଦାନ ହୋଇଛି ପୂରା ଜିଲ୍ଲା ଟିମ୍‌ର ଲବି । ଏଥିସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପରିବାରର ଇମ୍ଫା କାରଖାନା କୋଲନରା ବ୍ଲକରେ ଥିବାରୁ ସେହି ଦିଗକୁ ବି ଚିନ୍ତା କରାଯାଉଛି । ମୋଟାମୋଟି ଦୁର୍ବଳ ନେଟୱର୍କ ଲାଗି ଦଳ ଏଠି ଆଗକୁ ବଢିପାରୁନି । ବର୍ଷତମାମ କୌଣସି କାର୍ଯ୍ୟକ୍ରମ ଏହି ନିର୍ବାଚନମଣ୍ଡଳୀରେ ହେଉଥିବା ନଜରକୁ ଆସୁନି । କେବଳ ମୁନିଗୁଡା ବ୍ଲକକୁ ବାଦ୍‌ ଦେଲେ ଅନ୍ୟ ତିନିଟି ବ୍ଲକରେ ଦଳର ସ୍ଥିତି ସେତେଟା ଉତ୍ସାହଜନକ ନଥିବା ଆଲୋଚନା ହେଉଛି । ଏସବୁ କାରଣରୁ ନିର୍ବାଚନ ସମୟରେ ଭୋଟର୍‌ ଦଳୀୟ ପ୍ରାର୍ଥୀଙ୍କୁ ଗ୍ରହଣ କରିପାରୁ ନାହାନ୍ତି । 

ଏବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ହେବାକୁ ଟଣାଓଟରା ଏବଂ ଛକାପଞ୍ଝା ଦଳକୁ ହିଁ କ୍ଷତିରେ ପକାଇବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି । ସୂଚନାଥାଉ କି, ଗତ ଦୁଇଟି ଯାକ ନିର୍ବାଚନରେ ଏଠି ବିଜେଡିର ଜଗନ୍ନାଥ ସାରକା ବାଜି ମାରିଛନ୍ତି । ଗତ ନିର୍ବାଚନରେ ଜଗନ୍ନାଥ ସର୍ବାଧିକ ୬୬ ହଜାର ୧୫୦ ଭୋଟ୍‌ ପାଇଥିବା ବେଳେ ୫୨ ହଜାର ୮୧୮ ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲା କଂଗ୍ରେସ । ବିଜେପିର ଶିବଶଙ୍କର ଉଲ୍ଲାକାଙ୍କୁ ମାତ୍ର ୨୩ ହଜାର ୬୬୫ ଖଣ୍ଡ ଭୋଟ୍‌ରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ବିଜେଡିର ଜଗନ୍ନାଥ ବିଧାୟକ ହୋଇ ଏବେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଏବଂ ଆଇନ ମନ୍ତ୍ରୀ ରହିଛନ୍ତି । ଏଭଳି ସ୍ଥିତିରେ ଏଥର ପଦ୍ମରୁ କିଏ ପ୍ରାର୍ଥୀ ହେଉଛନ୍ତି, ତା ଉପରେ ରହିଛି ନଜର ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.