ମୁମ୍ବାଇ: ଆଜି ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ସେମି ଫାଇନାଲ ମ୍ୟାଚ୍ରେ ଭାରତୀୟ ବ୍ୟାଟରଙ୍କ କମାଲ ଦେଖିବାକୁ ମିଳିଛି । ପ୍ରଥମେ ରୋହିତ ଶର୍ମା ଏବଂ ଶୁଭମନ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲା । ୪୭ ରନ୍ କରି ପାଭିଲିୟନ୍ ଫେରିଥିଲେ ରୋହିତ ଶର୍ମା । ଏହା ପରେ ବିରାଟ କୋହଲି ରୋମାଞ୍ଚକର ଶତକ କରିବା ସହ ଏକାଧିକ ରେକର୍ଡ ନିଜ ନାଁରେ କରିଛନ୍ତି । ତେବେ ୧୧୩ ବଲ୍ରେ ୯ ଚୌକା ଏବଂ ୨ଟି ଛକା ସହ ୧୧୭ ରନ୍ କରିଆଉଟ ହୋଇଥିଲେ କୋହଲି ।
ତାଙ୍କ ପରେ ଶ୍ରେୟସ ଆୟର ମଧ୍ୟ ୧୦୫ ରନ୍ କରି ପାଭିଲିୟନ ଫେରିଥିଲେ । ତାଙ୍କ ପରେ ପଡ଼ିଆକୁ ଆସିଥିବା ସୂର୍ଯ୍ୟକୁମାର ଯାଦବ ଏକ ରନ୍ କରିବା ସହ କ୍ୟାଚ୍ ଆଉଟ୍ ହୋଇଥିଲେ । ପରେ କେଏଲ ରାହୁଲ ୫ ଚୌକା ଏବଂ ୨ ଛକା ସହ ୩୯ ରନ୍ କରି ଅପରାଜିତ ଅଛନ୍ତି । ଶୁଭମନ ଗିଲ ୭୯ ରନ୍ରେ ରିଟାୟର୍ଡ ହଟ ହୋଇ ଫେରିଯାଇଥିଲେ । ହେଲେ ସେ ପରେ କେଏଲ ରାହୁଲଙ୍କ ସହ ମିଶି ବ୍ୟାଟିଂ କରିଥିଲେ । ଆଜିର ମ୍ୟାଚ୍ରେ ଶୁଭମନ ଗିଲ ୮୦ ରନ୍ କରି ଅପରାଜିତ ଅଛନ୍ତି ।
ତେବେ ୫୦ ଓଭର ଶେଷ ସୁଦ୍ଧା ଭାରତୀୟ ଟିମ୍ ୪ ଓ୍ବିକେଟ ବିନିମୟରେ ୩୯୭ ରନ୍ କରିଛି । ସେପଟେ ନ୍ୟୁଜିଲାଣ୍ଡ ଆଗରେ ୩୯୮ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚ୍ରେ ନ୍ୟୁଜିଲାଣ୍ଡର ଟିମ୍ ସାଉଥି ସର୍ବାଧିକ ୩ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଓ୍ବିକେଟ ନେଇଛନ୍ତି ।