ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକ୍‌ ଲୋକଙ୍କ ପାଇଁ ପରିବାର ଚଳାଇବା କଷ୍ଟକର ପାଲଟିଛି, ବନ୍ଦ ହୋଇଛି ୧୬ ଶହ କପଡ଼ା ଫ୍ୟାକ୍ଟ୍ରି

ନୂଆଦିଲ୍ଲୀ, ୬।୧୨: ପାକିସ୍ତାନର ଆର୍ଥିକ ସ୍ଥିତି କାହାକୁ ଅଛପା ନାହିଁ । ଦରବୃଦ୍ଧି ଏବଂ ରାଜନୈତିକ ଅସ୍ଥିରତାର ପ୍ରଭାବ ଭୋଗୁଛନ୍ତି ସାଧାରଣ ଲୋକେ । ଆର୍ଥିକ ସଂକଟ ମଧ୍ୟରେ ଅନେକ କଳକାରଖାନା ବନ୍ଦ ହୋଇଗଲାଣି । ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇ ଘରେ ବସିଛନ୍ତି । ଚାକିରି ହରାଇ ଦୁର୍ଦ୍ଦିନର ସାମ୍ନା କରୁଛନ୍ତି । ରାତି ପାହିଲେ ଖାଇବେ କ’ଣ ସେ ଚିନ୍ତା ପ୍ରତିଦିନ ଘାରୁଛି । ସେମିତି ଏକ କାହାଣୀ ହେଉଛି ଆସିଫ୍‌ ମହେଶଙ୍କର । ସକାଳେ ଉଠିବା ବେଳକୁ ଗୋଟିଏ ଚିନ୍ତା, ଆଜି ପରିବାରର ୭ ପ୍ରାଣୀଙ୍କ ପେଟ କେମିତି ପୂରିବ । କେଉଁଠୁ ବନ୍ଦୋବସ୍ତ କରିବେ । 

ପାକିସ୍ତାନର ଏକ କପଡା ୟୁନିଟରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରିଆସିଥିବା ଆସିଫ ଚାକିରି ହାରାଇବା ପରେ ନିଜର ଦୁଃଖ କାହାଣୀ ଗଣମାଧ୍ୟମ ଆଗରେ ବଖାଣିଛନ୍ତି । ଏହି ସମସ୍ୟା କେବଳ ଆସିଫଙ୍କର ନୁହେଁ । ପାକିସ୍ତାନରେ ନିୟୁତାଧିକ ଲୋକ ସମାନ ସ୍ଥିତି ଦେଇ ଗତି କରୁଛନ୍ତି । ଜୀବନ ଆଗକୁ ବଢ଼ାଇବା କଷ୍ଟକର ପାଲଟିଛି । କଷ୍ଟରୁ ବାହାରିବା ଲାଗି ଭଗବାନଙ୍କୁ ପ୍ରତିଦିନ ଡାକୁଛନ୍ତି ଲୋକେ, କିଭଳି ଆଗାମୀ କାଲି ଭଲ ଦିନ ନେଇ ଆସୁ ତାହାକୁ ନେଇ ପ୍ରାର୍ଥନା କରୁଛନ୍ତି । ଦରଦାମ ବୃଦ୍ଧି ଓ ରାଜନୈତିକ ଅସ୍ଥିରତା ଏବେ ପାକିସ୍ତାନ ପାଇଁ କାଳ ପାଲଟିଛି । ସେଠାରେ ସ୍ଥିତି ଏମିତି ବିଗିଡିଛି ଯେ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ । ପାକିସ୍ତାନରେ ମାତ୍ର କିଛି ମାସରେ ୧୬୦୦ କପଡା ଉତ୍ପାଦନ ୟୁନିଟ ବନ୍ଦ ହୋଇଗଲାଣି । ଯାହା ପାକିସ୍ତାନର ମୋଟ ଟେକ୍ସଟାଇଲ ଫ୍ୟାକ୍ଟ୍ରିର ଏକ ତୃତୀୟାଂଶ । କପଡା ଫ୍ୟାକ୍ଟ୍ରିଗୁଡିକ ସେଠାକାର ରପ୍ତାନି ରାଜସ୍ୱକୁ ପ୍ରାୟ ୬୦% ଯୋଗଦାନ ଦେଉଥିଲେ । ଏହି ୟୁନିଟଗୁଡିକରେ ପ୍ରାୟ ୭ ଲକ୍ଷ ଶ୍ରମିକ ନିଯୁକ୍ତି ପାଇଥିଲେ । ଚାକିରି ହରାଇବାରୁ ସେମାନଙ୍କ ପରିବାର ଦୁର୍ଦିନ ସହ କାଳାତିପାତ କରୁଛନ୍ତି । 

ଚାକିରି ଯିବା ପରେ ଲାହୋରର ୟୋହାନାବାଦ ଶିଳ୍ପାଞ୍ଚଳରେ ରହୁଥିବା ମହେଶ ଅଟୋ ଚଲାଇବା ସହ ଏଣେ ତେଣେ କୁଲି ମଜୁରୀ କାମକୁ ବାଛି ନେଇଛନ୍ତି । ସ୍କୁଲରେ ପଢ଼ୁଥିବା ୩ ଝିଅ ଓ ୨ ପୁଅଙ୍କ ଲାଗି ମହେଶ ଏବଂ ତାଙ୍କ ସ୍ତ୍ରୀ ମସୀମ ଆଶିଫ ବହୁ କଷ୍ଟ କରୁଛନ୍ତି । ପୂର୍ବରୁ ଦିନକୁ ପରିବାର ଚଳାଇବା ପାଇଁ ୫୦୦ ପାକିସ୍ତାନୀ ଟଙ୍କା ଆବଶ୍ୟକ ହେଉଥିବା ବେଳେ ଏବେ ଦରଦାମ ବୃଦ୍ଧି ଯୋଗୁ ଗୋଟିଏ ଥର ପେଟପୁରା ଖାଇବା ଲାଗି ରୋଷେଇ କରିବାକୁ ୧୫୦୦ ଟଙ୍କା ମଧ୍ୟ ନିଅଣ୍ଟ ପଡୁଛି ।  ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌ ) ଦ୍ୱିତୀୟ ଥର ଲାଗି ବେଲ୍‌ଆଉଟ ବା ପୁନରୁଦ୍ଧାର ପ୍ୟାକେଜ ଦେଲାଣି । ଆର୍ଥିକ ସ୍ଥିତିରେ ସୁଧାର ଆସୁ ନ ଥିବାରୁ ଆଉ ଏକ ପ୍ୟାକେଜ ଦେଶ ଲୋଡୁଥିବା ଅନ୍ତରୀଣ ଅର୍ଥମନ୍ତ୍ରୀ ସାମସେଦ ଅଖତର ଗତ ମାସରେ କହିଥିବା ବ୍ଲୁମବର୍ଗରେ ଏକ ରିପୋର୍ଟ ପ୍ରକାଶ ପାଇଛି । ସେଠାରେ ଫେବ୍ରୁଆରୀରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । 

ଅସମ୍ଭାଳ ମୁଦ୍ରାସ୍ଫୀତି ଏବଂ ଶକ୍ତି ଦର ଏବେ ସ୍ୱାଭାବିକ ସ୍ଥିତିକୁ ଫେରିବନି ବୋଲି ଆଶଙ୍କା କରାଯାଉଛି । ଗ୍ୟାସ ଓ ବିଜୁଳି ଦର ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର ନହେଲେ କାରଖାନା ବନ୍ଦ କରିବାକୁ ପାକିସ୍ତାନ ପରିବହନ ହବ୍‌ କୁହାଯାଉଥିବା କରାଚିର ଶିଳ୍ପଗୁଡିକ ଚେତାବନୀ ଦେଇଛନ୍ତି । ଗୁଜୁରାଣ ମେଣ୍ଟାଇବା ଲାଗି ପାକିସ୍ତାନର ଅଧିକାଂଶ ଲୋକଙ୍କୁ ଅତିରିକ୍ତ ଆୟ ପନ୍ଥା ଆପଣାଇବାକୁ ପଡୁଛି । ଜୁନରେ ସେଠାରେ ଦରଦାମ ବୃଦ୍ଧି ୩୮% ଥିବା ବେଳେ ଏହା ନଭେମ୍ବରରେ ୨୯%କୁ ଖସିଛି । ଗହମ, ଅଟା, ଚାଉଳ ସହ ଅନ୍ୟ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ସେଠାରେ ୨ ଗୁଣରୁ ଅଧିକ ବଢ଼ି ଗଲାଣି । କରୋନା ଯୋଗୁ କ୍ଷତିଗ୍ରସ୍ତ ଅର୍ଥନୀତି ଯୁଦ୍ଧ ଯୋଗୁ ସ୍ଥିତାବସ୍ଥାକୁ ଫେରିବା କଷ୍ଟକର ହେଉଛି । 

ବନ୍ୟା ଯୋଗୁଁ ପାକିସ୍ତାନକୁ ୩୦୦୦ କୋଟି ଡଲାରର କ୍ଷତି ସହିବାକୁ ପଡିଥିବା ବିଶ୍ୱବ୍ୟାଙ୍କ ଆକଳନ କରିଛି । ସେଠାକୁ ନିବେଶକ ମଧ୍ୟ ନିବେଶ କରିବାକୁ ଆସୁନାହାନ୍ତି । ଏପଟେ ଆମଦାନି କରିବାକୁ ପର୍ଯ୍ୟାପ୍ତ ଅର୍ଥ ଏହି ଦେଶ ନିକଟରେ ନାହିଁ । ଏହାର ବିଦେଶୀ ମୁଦ୍ରା ଭଣ୍ଡାର ମାତ୍ର ୩୦୦ କୋଟି ଡଲାର ଥିଲା । ଏହାର ସହଯୋଗୀ ଦେଶ ଯଥା ଚୀନ, ସାଉଦି ଆରବ ଏବଂ ୟୁଏଇ ମଧ୍ୟ ଏହାକୁ ସଙ୍କଟରୁ କାଢ଼ିବାକୁ ଚେଷ୍ଟା କରୁଛନ୍ତି । ବିଜୁଳି ଦର ୨ ଗୁଣ ବଢ଼ିଥିବାରୁ ୟୁନିଟ ଚଳାଇବା କଷ୍ଟକର ବୋଲି ପାକିସ୍ତାନ ଟେକ୍ସଟାଇଲ ମିଲ୍‌ ଆସୋସିଏସନର ଅଧ୍ୟକ୍ଷ କାମରାନ ଅର୍ସଦ କହିଛନ୍ତି । ଅର୍ଥନୀତି ଭୁଷୁଡିଥିବା ବେଳେ ପାକିସ୍ତାନ ସରକାରୀ କଳ ଉପରେ ଲୋକଙ୍କ ଭରସା ନାହିଁ ବୋଲି ଦିଲାୱାରେ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ସହକାରୀ ପ୍ରଫେସର ସାବ୍ରିନ ବେଗ କହିଛନ୍ତି । ବେଲ୍‌ଟ ରୋଡ ଇନିସିଏଟିଭ ଅଧିନରେ ପାକିସ୍ତାନ-ଚୀନ ଅର୍ଥନୈତିକ କରିଡର ବିକାଶ ଲାଗି ଚୀନ ସେଠାରେ ୬୦୦୦ କୋଟି ଡଲାର ନିବେଶ କରିବାକୁ ଯୋଜନା ରଖିଛି । ଏହା ହୁଏତ ପାକିସ୍ତାନ ପାଇଁ ନୂଆ ସୁଯୋଗ ସୃଷ୍ଟି କରିପାରେ । ମାତ୍ର ଚୀନରୁ ୩୦ ବିଲିୟନ ଡଲାର ଋଣ ନେଇ କାର୍ଯ୍ୟକାରୀ ହେଉଥିବା ଏହି ଅର୍ଥ ପାକିସ୍ତାନ ପଇଠ କରିବାକୁ ସକ୍ଷମ ହେବ କି ନାହିଁ ସେ ନେଇ ମଧ୍ୟ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.