ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆବାସିକ ବିଦ୍ୟାଳୟ ଛାତ୍ରାବାସ ରୋଷଶାଳାରେ ଏଣିକି କେବଳ ବ୍ୟବହୃତ ହେବ ଏଲପିଜି, ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ଲକ୍ଷ୍ୟ

ଭୁବନେଶ୍ୱର, ୨୮/୨: ପରିବେଶ ସୁରକ୍ଷା ଦିଗରେ ବଡ଼ ପଦକ୍ଷେପ ସ୍ୱରୂପ ନିଜର ସମସ୍ତ ବିଦ୍ୟାଳୟ ଏବଂ ଛାତ୍ରାବାସରେ କାଠ ଚୂଲାର ରୋଷେଇ ଘରକୁ ଏଲ୍‌ପିଜିରେ ରୂପାନ୍ତରିତ କରିବା ଲାଗି ରାଜ୍ୟ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । 

ବିଭାଗ ଅଧିନରେ ପରିଚାଳିତ ୧,୭୩୬ଟି  ଆବାସିକ ବିଦ୍ୟାଳୟ ଏବଂ ଅନ୍ୱେଷା ଓ ଆକାଂକ୍ଷା କାର୍ଯ୍ୟକ୍ରମ ଅଧିନରେ ପରିଚାଳିତ ସମୁଦାୟ ୬,୦୦୦ ହଷ୍ଟେଲରେ ଥିବା ରୋଷେଇ ଘରକୁ ପରିବେଶ ଅନୁକୂଳ କରାଯିବ । ପର୍ଯ୍ୟାୟକ୍ରମେ ସମସ୍ତ ଛାତ୍ରାବାସରେ କାଠ ଏବଂ କୋଇଲା ଚୁଲା ଉଛେଦ କରି ଏଲପିଜି ସିଲିଣ୍ଡର ବ୍ୟବହାର କରାଯିବ । ଦୁଇ ବର୍ଷ ମଧ୍ୟରେ ଏହି ରୂପାନ୍ତରଣ ଲକ୍ଷ୍ୟ ହାସଲ ପାଇଁ ବିଭାଗ ଲକ୍ଷ୍ୟ ରଖିଛି ।

ବିଭାଗର ଏହି ନିଷ୍ପତ୍ତି ଦ୍ୱାରା ନା କେବଳ ଜଙ୍ଗଲ ସୁରକ୍ଷା ହେବ ବରଂ ୫ ଲକ୍ଷରୁ ଅଧିକ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଦିଗରେ ଜାଗରଣ ସୃଷ୍ଟି କରାଯାଇ ପାରିବ । ଏତେ ସଂଖ୍ୟକ ଛାତ୍ରଛାତ୍ରୀ ବିଦ୍ୟାଳୟ ସ୍ତରରୁ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ ହେଲେ, ସମାଜ ଉପରେ ଏହାର ପ୍ରଭାବ ସୁଦୂର ପ୍ରସାରୀ ହୋଇପାରିବ । ଉପରୋକ୍ତ ବିଦ୍ୟାଳୟର ରୋଷେଇ ଘରେ ପାରମ୍ପାରିକ କାଠ ଚୂଲା ପରିବର୍ତ୍ତେ ଏଲପିଜି ସଂଯୋଗ ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଲାଗି ବିଭାଗୀୟ ଶାସନ ସଚିବ ଶ୍ରୀମତୀ ରୂପା ରୋଷନ ସାହୁ ବୁଧବାର ଦିନ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି । 

"ଇକୋ- ଫ୍ରେଣ୍ଡଲି" ଅଭିଯାନ ଅନ୍ତର୍ଗତ କାଠ ଚୂଲାର ବ୍ୟବହାର ବନ୍ଦ କରି ଏଲ୍‌ପିଜି ବ୍ୟବସ୍ଥା ସୁନିଶ୍ଚିତ କରିବା ଜରୁରୀ ବୋଲି  ଶ୍ରୀମତୀ ସାହୁ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି । ୨୦୨୪-୨୫ ରୁ ୨୦୨୫-୨୬ ମଧ୍ୟରେ ସମସ୍ତ ରୋଷେଇ ଘରେ ଏଲ୍‌ପିଜି ସଂଯୋଗ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଲାଗି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ବିଭାଗ ଅଧିନରେ ପରିଚାଳିତ ସମସ୍ତ ଆବାସିକ ବିଦ୍ୟାଳୟ ତଥା ଛାତ୍ରାବାସରେ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଉନ୍ନତ ଭିତ୍ତିଭୂମି ସୃଷ୍ଟି କରାଯାଇଛି । ଏଥିସହ ଅନ୍ତେବାସୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟର ମାନ ବୃଦ୍ଧି କରାଯିବା ସହ ସେମାନଙ୍କୁ ଶୀତକାଳୀନ ବସ୍ତ୍ର, ସାଧାରଣ ପୋଷାକ ବଣ୍ଟନ କରାଯାଉଛି । 

ବିଭାଗୀୟ ଶାସନ ସଚିବ ଶ୍ରୀମତୀ ସାହୁ ଜିଲ୍ଲାପାଳମାନଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି ଯେ ବିଭାଗ ଅଧିନରେ ଥିବା ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ବିଭିନ୍ନ ପଦକ୍ଷେପ ସ୍ୱରୂପ ଉନ୍ନତ ପରିବେଶ ସୁନିଶ୍ଚିତ କରାଯାଇଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହି କ୍ରମରେ ଆଉ ଏକ ପଦକ୍ଷେପ ସ୍ୱରୂପ ପାରମ୍ପାରିକ ରୋଷେଇ ପଦ୍ଧତ୍ତିକୁ ପର୍ଯ୍ୟୟକ୍ରମେ ବନ୍ଦ କରି ଏଲ୍‌ପିଜି ବ୍ୟବହାର ଆରମ୍ଭ କରିବା ଲାଗି ନିଷ୍ପତ୍ତି ହୋଇଛି । ଏହା ଦ୍ୱାରା ଛାତ୍ରାବାସ ନିକଟରେ ସବୁଜ ଓ ସ୍ୱାସ୍ଥ୍ୟ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିବ । ପରିବେଶ ସୁରକ୍ଷା ସହିତ ପିଲାମାନଙ୍କୁ କାଠ ଚୂଲାର କୁପ୍ରଭାବରୁ ସୁରକ୍ଷା ମିଳିପାରିବ । ନିର୍ଦ୍ଧାରିତ ସମୟ ଭିତରେ କାମ ଶେଷ କରିବା ଲାଗି ଶ୍ରୀମତୀ ସାହୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।

ନିଷ୍ପତ୍ତି ଅନୁସାରେ ଉକ୍ତ "ଇକୋ-ଫ୍ରେଣ୍ଡଲି" ରୋଷେଇ ଘର ଅଭିଯାନ ଅଧିନରେ ୨୦୨୪-୨୫ରେ ସମସ୍ତ ୪୨୨ଟି ଉଚ୍ଚ ବିଦ୍ୟାଳୟ, ୬୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଟିଏ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ, ୫ଟି କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ, ୯୩ଟି ଅନ୍ୱେଶା ହଷ୍ଟେଲରେ କାଠ ଚୂଲାର ବ୍ୟବହାର ବନ୍ଦ କରାଯାଇ ଏଲ୍‌ପିଜି ଜରିଆରେ ରୋଷେଇ ଆରମ୍ଭ ହେବ । ଅର୍ଥାତ୍ ଚଳିତ ବର୍ଷ ୧,୨୨୨ଟି ହଷ୍ଟେଲରେ ପରିବେଶ ଅନୁକୂଳ ରୋଷେଇ ବ୍ୟବସ୍ଥା ଆରମ୍ଭ ହେବ ଯେଉଁଠାରେ ୧,୭୬,୦୦୦ ଜଣ ଛାତ୍ରଛାତ୍ରୀ ରହୁଛନ୍ତି । ଅବଶିଷ୍ଟ ବିଦ୍ୟାଳୟ ଓ ହଷ୍ଟେଲରେ ରୂପାନ୍ତରଣ କାର୍ଯ୍ୟ ୨୦୨୫-୨୬ରେ ସମ୍ପାଦନ କରାଯିବ ।


ଏହି ଯୋଜନାର କାର୍ଯ୍ୟାନ୍ୱୟନ ଲାଗି ୨୦୨୪-୨୫ ବାର୍ଷିକ ବଜେଟରେ ଅତିରିକ୍ତ ପାଣ୍ଠି ବ୍ୟବସ୍ଥା କରାଯାଇଛି । ଏହି ପାଣ୍ଠିରେ ଗ୍ୟାସ୍ ଚୂଲା, ଏଲପିଜି ସିଲିଣ୍ଡର, ଗ୍ୟାସ୍ ଭରଣା ଖର୍ଚ୍ଚ ବହନ କରାଯିବ । ଏଗୁଡିକୁ ଆବଶ୍ୟକ ସାମଗ୍ରୀ ମାର୍ଗଦର୍ଶୀକାରେ ସାମିଲ କରାଯାଇଛି । ୨୦୨୪-୨୫ ବର୍ଷର ପ୍ରଥମ ପର୍ଯ୍ୟାୟରେ ୫୦ଟି ଉଚ୍ଚ ବିଦ୍ୟାଳୟ, ୨୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୫ଟି କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ, ଗୋଟିଏ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ଓ ୨୫ଟି ଅନ୍ୱେଶା ହଷ୍ଟେଲର ରୋଷେଇ ଘର ଗୁଡିକୁ ପରିବେଶ ଅନୁକୂଳ କରାଯିବ । ଚଳିତ ବର୍ଷ ଜୁନ୍ ୩୦ ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଜିଲ୍ଲା ସ୍ତରରେ ହଷ୍ଟେଲ ଚିହ୍ନଟ କରାଯାଇ ବିଭାଗର ଅନୁମୋଦନ ନିମନ୍ତେ ପଠାଇବା ନିମନ୍ତେ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।



 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.