ନୂଆଦିଲ୍ଲୀ ୦୬/୧୨: ‘ରିଜ୍’ ଶବ୍ଦକୁ ୨୦୨୩ ମସିହାର ୱର୍ଡ ଅଫ୍ ଦ ଇୟର ଅର୍ଥାତ୍ ବର୍ଷର ଶବ୍ଦ ଭାବେ ଚୟନ କରାଯାଇଛି । ଏହାକୁ ଅକ୍ସଫୋର୍ଡ ଅଭିଧାନରେ ସାମିଲ କରାଯାଇଛି । ୱର୍ଡ ଅଫ୍ ଦ ଇୟର ତାଲିକାରେ ରିଜ୍ ସମେତ ୮ ଶବ୍ଦ- ସିଚୁଏସନ୍ସିପ୍, ସ୍ୱିଫ୍ଟି, ପ୍ରମ୍ପ୍ଟ, ବିଜ୍ ଫ୍ଲାଗ୍, ଡି-ଇନ୍ଫ୍ଲୁଏନ୍ସିଂ, ହିଟ୍ ଡୋମ୍ ଓ ପାରାସୋସିଆଲ୍ ସ୍ଥାନ ପାଇଛି । ୨୨୦୦ କୋଟି ଶବ୍ଦର ବିଶ୍ଳେଷଣ ଆଧାରରେ ଏହି ୮ ଶବ୍ଦ ଚୟନ କରାଯାଇଛି । ଏହି ଶବ୍ଦଗୁଡ଼ିକ ୨୦୨୩ ମସିହାରେ ହୋଇଥିବା ସାମାଜିକ ପରିବର୍ତ୍ତନ ଓ ଟ୍ରେଣ୍ଡ୍କୁ ଦର୍ଶାଏ ।
୨୦୨୨ ମସିହାରେ ଅକ୍ସଫୋର୍ଡ ‘ଗବ୍ଲିନ୍ ମୋଡ୍’କୁ ୱର୍ଡ ଅଫ୍ ଦ ଇୟର ଚୟନ କରିଥିଲା । ହଲିଉଡ୍ ଅଭିନେତା ଟମ୍ ହଲାଣ୍ଡ୍ ଏକ ସାକ୍ଷାତକାରରେ ରିଜ୍ ଶବ୍ଦ ପ୍ରୟୋଗ କରିଥିଲେ । ଏହା ପରେ ଶବ୍ଦଟି ଭାଇରାଲ ହେଲା । ‘ରିଜ୍’ର ଅର୍ଥ ରୋମାଣ୍ଟିକ୍ ଅପିଲ । କୌଣସି ବ୍ୟକ୍ତିଙ୍କ ଷ୍ଟାଇଲ୍, ଶୋଭା, ଆକର୍ଷଣୀୟତାକୁ ଦର୍ଶାଇବା ପାଇଁ ଏହି ଶବ୍ଦ ପ୍ରୟୋଗ କରାଯାଏ । ସେହିପରି ‘ସିଚୁଏସନ୍ସିପ୍’ ଶବ୍ଦ ଅନୌପଚାରିକ ପ୍ରେମ ସମ୍ପର୍କକୁ ଦର୍ଶାଇବା ପାଇଁ ଗଢ଼ାଯାଇଛି । ଅର୍ଥାତ୍ ସାଥୀଙ୍କ ସମ୍ପର୍କକୁ ଔପଚାରିକ ନାମ ନ ଦିଆଯିବା । ‘ବିଜ୍ ଫ୍ଲାଗ୍’ ଶବ୍ଦ ବିରକ୍ତିକର ବ୍ୟକ୍ତିତ୍ୱକୁ ଦର୍ଶାଏ ।
‘ଡି-ଇନ୍ଫ୍ଲୁଏନ୍ସିଂ’ର ଅର୍ଥ ସୋସିଆଲ ମିଡିଆ ଜରିଆରେ ଲୋକଙ୍କୁ ନିର୍ଦ୍ଦିଷ୍ଟ ଉତ୍ପାଦ ନ କିଣିବାକୁ ଓ ନ ବ୍ୟବହାର କରିବାକୁ କହିବା । ‘ସ୍ୱିଫ୍ଟି’ ଶବ୍ଦ ପପ୍ ସିଙ୍ଗର୍ ଟେଲର ସ୍ୱିଫ୍ଟଙ୍କ ଲୋକପ୍ରିୟତାକୁ ଦର୍ଶାଉଛି । ‘ହିଟ୍ ଡୋମ୍’ ଅଧିକ ଚାପଯୁକ୍ତ ପାଣିପାଗ ପ୍ରଣାଳୀକୁ ଦର୍ଶାଏ । ‘ପାରାସୋସିଆଲ୍’ ଶବ୍ଦ ସେଲିବ୍ରିଟିଙ୍କୁ ନେଇ ସେମାନଙ୍କ ଫ୍ୟାନ୍ ଅନୁଭବ କରୁଥିବା ଏକତରଫା ଆକର୍ଷଣକୁ ବୁଝାଏ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରୋଗ୍ରାମ୍ କିମ୍ବା ଆଲ୍ଗୋରିଦମ୍କୁ ଦିଆଯାଇଥିବା ନିର୍ଦ୍ଦେଶକୁ ‘ପ୍ରମ୍ପ୍ଟ’ କୁହାଯାଏ ।