ପ୍ୟାରିସ,୦୯/୦୨: ଚଳିତ ବର୍ଷ ପ୍ୟାରିସ୍ ସହରରେ ହେବାକୁ ଥିବା ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତା ପାଇଁ ପଦକ ଉନ୍ମୋଚନ କରାଯାଇଛି । ପ୍ରତ୍ୟେକ କ୍ରିଡ଼ାବିତ୍ ଅଲିମ୍ପିକ୍ସ ପଦକ ପାଇଁ ସ୍ୱପ୍ନ ଦେଖିଥାଏ । କିନ୍ତୁ ଏଥର ପଦକ ପ୍ରତ୍ୟେକ କ୍ରୀଡ଼ାବିତ୍ଙ୍କ ପାଇଁ ସ୍ୱତନ୍ତ୍ର ଅନୁଭୁତି ଆଣିବ । ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ବ୍ୟତୀତ ପ୍ରତ୍ୟେକ ପଦକରେ ସ୍ୱତନ୍ତ୍ର ଧାତୁ ଲଗା ଯାଇଛି । ଏହା ହେଉଛି ଲୌହ ।
ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ଆଇଫିଲ ଟାୱାରରୁ ସଂଗୃହୀତ ଲୁହାକୁ ପ୍ରତ୍ୟେକ ପଦକରେ ସ୍ଥାନ ଦିଆଯାଇଛି । ଏଥର ଅଲିମ୍ପିକ ଓ ପାରାଲିମ୍ପିକ୍ରେ ମୋଟ୍ ୫୦୮୪ଟି ପଦକ ପ୍ରଦାନ କରାଯିବ । ପ୍ରତ୍ୟେକ ପଦକର ଆୟତନ ୮୫ମିଲି ମିଟର ଓ ମୋଟେଇ ୯.୨ ମିଲି ମିଟର ରହିଛି । ପ୍ରତ୍ୟେକ ପଦକ ମଝିରେ ଆଇଫିଲ ଟାୱାରରୁ ସଂଗୃହୀତ ଲୁହା ଲଗାଯାଇଛି । ଏହି ଲୁହାର ଡିଜାଇନ୍ ୬କୋଣ ବିଶିଷ୍ଟ ରହିଛି । ପ୍ରତ୍ୟେକ ପଦକ ମଝିରେ ୧୮ଗ୍ରାମ୍ ଓଜନର ଲୁହା ଲଗାଯାଇଛି । ଏହି ଲୁହା ଭାଗକୁ ଚିକ୍କଣ କରାଯାଇଛି । ଲୁହା ଭାଗର ମଝିରେ ଅଲିମ୍ପିକ୍ ମସାଲର ପ୍ରତିଛବି, ଲୋଗୋ ଖୋଦେଇ ହୋଇଛି । ମଧ୍ୟ ଭାଗରେ ଲେଖାଯାଇଛି ‘ପ୍ୟାରିସ୍ ୨୦୨୪’ । ସ୍ୱର୍ଣ୍ଣ ପଦକର ଓଜନ ୫୨୯ ଗ୍ରାମ୍ ରହିଥିବାବେଳେ ରୌପ୍ୟ ପଦକର ଓଜନ ୫୨୫ଗ୍ରାମ୍ ଓ କାଂସ୍ୟ ପଦକର ଓଜନ ୪୫୫ଗ୍ରାମ୍ ରଖାଯାଇଛି । ଅଲିମ୍ପିକ୍ ଓ ପାରାଲିମ୍ପିକ୍ର ପ୍ରତ୍ୟେକ କ୍ରୀଡ଼ା ପାଇଁ ସ୍ୱତନ୍ତ୍ର ପଦକ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ପଦକରେ ଉକ୍ତ କ୍ରୀଡ଼ାର ନାମ ଖୋଦେଇ ହୋଇଛି ।
ପାରାଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହୋଇଥିବା ପଦକର ଗୋଟିଏ ପାଶ୍ୱର୍ରେ ଆଇଫିଲ ଟାୱାର ଲୁହା ରହିଥିବାବେଳେ ଅନ୍ୟ ପାଶ୍ୱର୍ରେ ଆଇଫିଲ ଟାୱାରର ଚିତ୍ର ଖୋଦେଇ କରାଯାଇଛି । ମଝିରେ ପାରାଲିମ୍ପିକ୍ସର ଲୋଗୋ ରହିଛି । ଅଲିମ୍ପିକ୍ସ ପଦକର ଗୋଟିଏ ପାଶ୍ୱର୍ରେ ଆଇଫିଲ୍ ଟାୱାରରୁ ସଂଗୃହୀତ ଲୁହା ରହିଥିବାବେଳେ ଅନ୍ୟ ପାଶ୍ୱର୍ରେ ଗ୍ରୀକ୍ ଦେବୀଙ୍କ ଚିତ୍ର ରହିଛି ।