ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏପ୍ରିଲ ୧୭ରେ ରାମନବମୀ, ସାହିଯାତ ଆରମ୍ଭ: ଶ୍ରୀକ୍ଷେତ୍ରରେ ଉତ୍ସାହିତ ଜାଗା ଆଖଡ଼ା ମୁରବି

ପୁରୀ, ୨୯/୦୨: ଏପ୍ରିଲ ୧୭ରେ ପବିତ୍ର  ରାମନବମୀ । ଶ୍ରୀକ୍ଷେତ୍ରର ସାଂସ୍କୃତିକ ମହାକୁମ୍ଭ  ‘ସାହିଯାତ’ର ଶୁଭାରମ୍ଭ । ରାମଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ଉତ୍ସବମୁଖର ହେବ  ଶ୍ରୀକ୍ଷେତ୍ର । ରାମଲୀଳାର ପୌରାଣିକ କଥାବସ୍ତୁ ଆଧାରିତ ପାରମ୍ପରିକ ବାଦ୍ୟନୃତ୍ୟରେ କମ୍ପିବ ପୁରୀ ସହର । ବୀରବାଦ୍ୟର ତାଳେ ତାଳେ ଜାଗା  ଯୁଆନମାନେ ସାଥୀ ସାହିରେ ପ୍ରଦର୍ଶନ କରିବେ  ସମରକଳା । ସାହିଯାତକୁ ଆଉ ମାତ୍ର ୪୮ ଦିନ  ରହିଛି । ଏଣୁ ପ୍ରସ୍ତୁତି ନେଇ ଜାଗା ଆଖଡ଼ା  ମୁରବି ଓ ଯୁବପିଢିଙ୍କ ମଧ୍ୟରେ ଦେଖିବାକୁ  ମିଳିଛି ଉତ୍ସାହ । ଲୁହାଗଡ଼ ଜାଗା ପରିସରରେ  ବାଲିସାହିର ୮ ଜାଗାର କମକର୍ତ୍ତାଙ୍କ ବୈଠକ  ଅନୁଷ୍ଠିତ ହୋଇଥିଲା । ରାବଣ ଅଭିନୟର ପ୍ରାର୍ଥୀ  ଚୟନ ପାଇଁ ପୁରୁଖା ସାହିଯାତ କାଳାକାରଙ୍କୁ  ନେଇ ନୂତନ କମିଟି ଗଠନ କରାଯାଇଥିବା  ସୂଚନା ରହିଛି ।   

ବାଲିସାହି ଆଖଡ଼ା ସଭାପତି ତଳୁଛ  ନୀଳକଣ୍ଠ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୁହାଗଡ଼  ଜାଗା ପରିସରରେ ବୈଠକ ଅନୁଷ୍ଠିତ  ହୋଇଥିଲା । ସାହିଯାତରେ ବିଭିନ୍ନ ବିବାଦ ତଥା  ପାରମ୍ପରିକ କଳାର ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ  ଆଲୋଚନା ହୋଇଥିଲା । ଚଳିତ ବର୍ଷ ଲୁହାଗଡ଼  ଜାଗା ଉପରେ ରହିଛି ରାବଣ ଭୁମିକା ସମ୍ପାଦନ  ଦାୟିତ୍ୱ । ଏଥର ଜାଗା ପକ୍ଷରୁ ୪ ଜଣଙ୍କ ନାମ  ଘୋଷଣା କରାଯାଇଥିବା କହିଛନ୍ତି ଲୁହାଗଡ଼ ଜାଗା ସମ୍ପାଦକ ଶ୍ରୀକାନ୍ତ ବେଜ । ରାବଣ  ଚରିତ୍ରରେ ଅଭିନୟର ପ୍ରାର୍ଥୀ ଚୟନ ପାଇଁ  ପୁରୁଖା ତଥା ଅଭିଜ୍ଞ ରାବଣ ନୃତ୍ୟ କଳାକାର  ତଥା ସାହିନାୟକଙ୍କୁ ନେଇ ଏକ କମିଟି ଗଠନ  ହୋଇଛି । ସେମାନେ ନୂତନ ପିଢି କଳାକାରଙ୍କୁ  ନୃତ୍ୟ ଶିକ୍ଷା ଦେବା ସହ ସାହିଯାତର ବିଭିନ୍ନ ପାରମ୍ପରିକ ଦିଗ ପ୍ରତି ଧ୍ୟାନ ଦେବେ । ଜାଗା ପକ୍ଷରୁ  କଳାକାର ପ୍ରାର୍ଥୀ ଘୋଷଣା ପରେ କମିଟି ଏହାର  ଯାଞ୍ଚ କରୁଛି । ସେମାନଙ୍କ ନିର୍ଣ୍ଣୟ ଅନୁସାରେ ଚୂଡ଼ାନ୍ତ  ତାଲିକା ପ୍ରକାଶ କରିବ ଆଖଡ଼ା । ରାବଣ ବାହାରିବା  ପ୍ରକ୍ରିୟା ସରଳ କରିବା ସହ ସାହିଯାତକୁ ଶୃଙ୍ଖଳିତ  କରିବା ନେଇ କମିଟିର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିବ  ବୋଲି ବାଲିସାହି ଆଖଡ଼ା ସମ୍ପାଦକ ନରେନ୍ଦ୍ର ମହାନ୍ତି  କହିଛନ୍ତି  ।   

୮ ସାହିର ଜାଗା ଆଖଡ଼ା ତତ୍ତ୍ୱାବଧାନରେ  ଅନୁଷ୍ଠିତ ହେବ ସାହିଯାତ । ସାହିଆମାନେ  ମହାପ୍ରଭୁଙ୍କ ଶ୍ରୀରାମ ଲୀଳା ନୀତି ସମ୍ପନ୍ନ କରିବେ । ବଡ଼ଦେଉଳ ଓ ବଡ଼ଦାଣ୍ଡ ଜଗନ୍ନାଥବଲ୍ଲଭ ମଠ  ପରିସରରେ ଠାକୁରଙ୍କ ନୀତି ସମ୍ପାଦନ ହେବ ।  ଶହ ଶହ ବର୍ଷର ଏହି ଅନନ୍ୟ ପରମ୍ପରାକୁ ଶୃଙ୍ଖଳିତ କରିବାକୁ ଆଠସାହି ମୁରବୀଙ୍କ ଘନ  ଘନ ବୈଠକ ବସିବ । ଠାକୁରଙ୍କ ନୀତି ପାଳନ  ସହ ଜାଗା ଆଖଡ଼ାର କଳାକାରମାନେ ନିଜ ନିଜର  ସାଥୀ(ପୂର୍ବରୁ ଥିଲା ବାଦି) ସାହିରେ ନୃତ୍ୟ ପ୍ରଦର୍ଶନ  କରି ପ୍ରଶଂସା ସାଉଁଟିବେ । ପ୍ରଶାସନିକ ଅଧିକାରୀ  ସାହି ମୁରବୀଙ୍କ ସହ ଆଲୋଚନା କରି କିପରି  ସାହିଯାତ ଶୃଙ୍ଖଳିତ ସମ୍ପାଦିତ ହେବ ତାହାର  ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ । ବର୍ତ୍ତମାନ ବିଭିନ୍ନ  ସାହିମାନଙ୍କରେ ବୈଠକ ଚାଲିଥିବା ବେଳେ  ଖୁବ୍‌ଶୀଘ୍ର ୮ ସାହିର ସମନ୍ୱୟ ବୈଠକ ଅନୁଷ୍ଠିତ  ହେବ ବୋଲି ସୂଚନା ରହିଛି ।  

୧୭ ତାରିଖ ବୁଧବାର କାଳିକାଦେବୀ ସାହି  ପକ୍ଷରୁ ରାମଜନ୍ମ ପ୍ରସ୍ତାବ ଆଗତ ହୋଇ ସାଥୀ  ସାହି ମାଟିମଣ୍ଡପ ସାହି ଭ୍ରମଣ କରିବେ । ୧୮  ତାରିଖ ଗୁରୁବାର ହରଚଣ୍ଡୀ ସାହିରୁ ଯଜ୍ଞରକ୍ଷା  ଓ ନାକକାନ ପ୍ରସ୍ତାବ ଆଗତ ହେବ । ୧୯ତାରିଖ  ଶୁକ୍ରବାର ହରଚଣ୍ଡୀ ସାହି ପକ୍ଷରୁ ସୀତାବିବାହ  ଓ ପର୍ଶୁରାମ ପ୍ରସ୍ତାବ ଆଗତ ହୋଇ ସାଥୀସାହି  ବାଲିସାହି ଆସିବ । ୨୦ତାରିଖ ଶନିବାର  ମାର୍କଣ୍ଡେଶ୍ୱର ସାହିଆଙ୍କ ବନବାସ ପ୍ରସ୍ତାବ ।  

୨୨ ତାରିଖ ସୋମବାର ସୀତାଚୋରି ପ୍ରସ୍ତାବ  କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ବାହାରି ସାଥୀ  ସାହି ଦୋଳମଣ୍ଡପ ସାହି ଯିବେ । ୨୩ତାରିଖ  ମଙ୍ଗଳବାର ଚୈତ୍ର ପୂର୍ଣ୍ଣିମାରେ ଦୋଳମଣ୍ଡପ  ସାହି ପକ୍ଷରୁ ଲଙ୍କାପୋଡ଼ି ପ୍ରସ୍ତାବ ଆଗତ  ହୋଇ କୁଣ୍ଢେଇବେଣ୍ଟ ସାହି ଭ୍ରମଣ କରିବେ ।  ୨୪ତାରିଖ ବୁଧବାର ବାଲିସାହିଆଙ୍କ ପକ୍ଷରୁ  ରାବଣଙ୍କ ସେତୁବନ୍ଧ ପ୍ରତିଷ୍ଠା ପ୍ରସ୍ତାବ ଓ ୨୬  ତାରିଖ ଶୁକ୍ରବାର ରାବଣ ବଧ ପ୍ରସ୍ତାବ ସହ  ସାହିଯାତ ହରଚଣ୍ଡୀ ସାହି ପ୍ରଦକ୍ଷଣ କରିବ ।  ସାହିଯାତର ଅନ୍ତିମ ପର୍ବ ଶ୍ରୀରାମାଭିଷେକ ଉତ୍ସବ  ମେ ମାସ ୧ ତାରିଖ ବୁଧବାର ଗୌଡ଼ବାଡ଼ ସାହି  ପକ୍ଷରୁ ସମ୍ପନ୍ନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.