ନୂଆଦିଲ୍ଳୀ.୧୬।୧: ଭାରତର ୭୫ ତମ ଗଣତନ୍ତ୍ର ଦିବସ ଅବସରରେ ଋଷ ଭାରତକୁ ଶୁଭେଚ୍ଛା ଜଣାଇଛି। ଏହି ଅବସରରେ ଭାରତରେ ଥିବା ଋଷ ଦୂତାବାସରେ ମଧ୍ୟ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ଭାରତକୁ ଏକ 'ସ୍ୱାଧୀନ' ବୈଦେଶିକ ନୀତି ଆପଣେଇବା ପାଇଁ ଶ୍ରେୟ ଦେଇଛନ୍ତି, ଯାହା ଆଜିର ଦୁନିଆରେ ସହଜ ନୁହେଁ। ଋଷ ସ୍ଥିତ ମିଡିଆ ନେଟୱାର୍କ ରୁଷିଆ ଟୁଡେ (ଆରଟିଓ) ଏହି ସୂଚନା ଦେଇଛି।
ଗୁରୁବାର ‘ଋଷ ଛାତ୍ର ଦିବସ' ଅବସରରେ ପୁଟିନ କାଲିନଗ୍ରାଡ ଅଞ୍ଚଳର ବିଶ୍ୱବିଦ୍ୟାଳୟ ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେ କହିଛନ୍ତି, “ଭାରତ ହେଉଛି ଏକ ଦେଶ ଯେଉଁଥିରେ ଅର୍ଥନୈତିକ ବିକାଶ ଏବଂ ଅଭିବୃଦ୍ଧିର ସର୍ବାଧିକ ହାର ରହିଛି ଏବଂ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱର ଗୁଣ ଯୋଗୁଁ ସମ୍ଭବ ହୋଇଛି । ତାଙ୍କ ନେତୃତ୍ୱରେ ହିଁ ଭାରତ ଏହି ଗତିରେ ଅଗ୍ରଗତି କରିଛି।
ସେ ଆହୁରି କହିଛନ୍ତି ,ଋଷ ଭାରତ ଏବଂ ଏହାର ନେତୃତ୍ୱ ଉପରେ ବିଶ୍ବାସ କରିପାରିବ କାରଣ ସେ ନିଶ୍ଚିତ ଯେ ଆନ୍ତର୍ଜାତୀୟ ସ୍ତରରେ ନୂଆଦିଲ୍ଲୀ ସେମାନଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିବ ନାହିଁ। ସେ କହିଛନ୍ତି, "ଭାରତ ଏକ ସ୍ବାଧୀନ ବୈଦେଶିକ ନୀତି ଆପଣେଇଛି ଯାହା ଆଜିର ଦୁନିଆରେ ସହଜ ନୁହେଁ, କିନ୍ତୁ ୧.୫ ବିଲିୟନ ଜନସଂଖ୍ୟା ବିଶିଷ୍ଟ ଭାରତର ଏହା କରିବାର ଅଧିକାର ରହିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏହି ଅଧିକାରକୁ ଅନୁଭବ କରାଯାଉଛି। ଏହା କେବଳ ଏକ ବିବୃତ୍ତି ନୁହେଁ, ମିଳିତ ଭାବେ ଆଗକୁ ବଢିବା ପାଇଁ ଏହି ମିଳିତ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ।