ଭୁବନେଶ୍ୱର, ୧୯/୯ : ଆସନ୍ତା ୨୨ତାରିଖରୁ ସରପଞ୍ଚମାନେ କଲମଛାଡ଼ ଆନ୍ଦୋଳନ କରିବେ । କୌଣସି ସରପଞ୍ଚ ବ୍ଲକ୍ ଅଫିସ୍ ଓ ପଞ୍ଚାୟତ ଅଫିସ୍ ଯିବେନି । କୌଣସି ସରକାରୀ ଫାଇଲରେ ଦସ୍ତଖତ କରିବେନି କି ସାମିଲ ହେବେନି । ବିଧାନସଭା ଆଗରେ ଅନିର୍ଦ୍ଦିଷ୍ଟ ସମୟ ଯାଏ ଆନ୍ଦୋଳନରେ ବସିବେ । ରାଜ୍ୟ ସରପଞ୍ଚ ମହାସଂଘ ଆଜି ଏଭଳି ଚରମ ନିଷ୍ପତ୍ତି ନେଇଛି । ସରକାର ଏବେ ସୁଦ୍ଧା ସରପଞ୍ଚଙ୍କ ଦାବି ସମ୍ପର୍କରେ ନିଷ୍ପତ୍ତି ନେଇନଥିବାରୁ ସେମାନେ କାମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ପଞ୍ଚାୟତ ମହାସଂଘର ସଭାପତି ରୋମାଞ୍ଚ ସାହୁ ଏହି ସୂଚନା ଦେଇଛନ୍ତି । ସୋମବାର ସନ୍ଧ୍ୟାରେ ଅନଲାଇନ୍ ମାଧ୍ୟମରେ ହୋଇଥିବା ସରପଞ୍ଚଙ୍କ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ପଞ୍ଚାୟତର ସବୁ କ୍ଷମତା ଫେରାଇବା ସହ ଆଉ ୧୫ଟି ଦାବି ପୂରଣ ପାଇଁ ସରପଞ୍ଚମାନେ ଗତ ୧୫ ତାରିଖରେ ରାଜଧାନୀରେ ଗର୍ଜନ କରିଥିଲେ । ଦାବି ପୂରଣ ନ କଲେ କାମ ବନ୍ଦ କରିବେ ବୋଲି ସରକାରଙ୍କୁ ଜଣାଇଥିଲେ । ସରପଞ୍ଚ ମହାସଂଘର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ବି ଦେଇଥିଲେ । ତଥାପି ସରକାର ଏ ଯାଏ ଦାବି ଉପରେ ପଦୁଟିଏ ମନ୍ତବ୍ୟ ଦେଲେନି । ଏଥିପାଇଁ ଆଉ ଅପେକ୍ଷା ନ କରି ଦାବି ପୂରଣ ପାଇଁ କଲମଛାଡ଼ ଆନ୍ଦୋଳନ ପାଇଁ ନିଷ୍ପତ୍ତି ହୋଇଛି ।
ରାଜ୍ୟ ପଞ୍ଚାୟତ ମହାସଂଘର ସଭାପତି ଶ୍ରୀ ସାହୁ କହିଛନ୍ତି, ପଞ୍ଚାୟତକୁ କ୍ଷମତା ଫେରାଇବା, ସରପଞ୍ଚଙ୍କ ମାସିକ ଦରମା ବଢ଼ାଇବା, ୱାର୍ଡମେମ୍ବରମାନେ ସରପଞ୍ଚଙ୍କ ବିରୋଧରେ ଆଣୁଥିବା ଅନାସ୍ଥା ପ୍ରସ୍ତାବ ବ୍ୟବସ୍ଥାକୁ ଉଚ୍ଛେଦ କରିବା, ସରପଞ୍ଚଙ୍କୁ ସ୍ୱାସ୍ଥ୍ୟକାର୍ଡ ସହ ମୃତ୍ୟୁ ହେଲେ ୫୦ ଲକ୍ଷ ଟଙ୍କାର ସହାୟତା ଦେବା, ୨୦୧୧ ଜନଗଣନା ଅନୁସାରେ ସିଏଫ୍ସି/ଏସଏଫ୍ସି ଅନୁଦାନ ନ ଦେଇ ବର୍ତ୍ତମାନର ଜନସଂଖ୍ୟାକୁ ବିଚାର କରି ପାଣ୍ଠି ଦେବା, ଆମ ଓଡ଼ିଶା ନବୀନ ଓଡ଼ିଶାରେ ଆସୁଥିବା ଅର୍ଥ ଗ୍ରାମସଭାରେ ପାରିତ ପରେ ପଞ୍ଚାୟତକୁ ତଦାରଖ ଦାୟିତ୍ୱ ଦେବା ଓ ପିଡିଏସ୍ରେ ପୂର୍ବଭଳି ସରପଞ୍ଚ ଏବଂ ପିଇଓଙ୍କ ଯୁଗ୍ମ ପାସବୁକ୍ରେ ଅର୍ଥ ନେଣଦେଣ କରିବା ଭଳି ୧୫ ଦଫା ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛୁ ।
ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବୁ ବୋଲି ଜଣାଇଥିଲୁ । ଏହାସତ୍ତେ୍ୱ ସରକାର କୌଣସି ପଦକ୍ଷେପ ନେଲେନି । ଏଥିପାଇଁ ଆମେ ୨୨ ତାରିଖରୁ କଲମ ଛାଡ଼ ଆନ୍ଦୋଳନ କରିବୁ । ସରପଞ୍ଚମାନେ କୌଣସି ସରକାରୀ କାମ କରିବେନି । ଗାନ୍ଧୀମାର୍ଗରେ ଧାରଣାରେ ବସିବେ । ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ଥିବାରୁ ସେ ଅଞ୍ଚଳର ସରପଞ୍ଚମାନେ ୨୩ତାରିଖରୁ ଗାନ୍ଧିମାର୍ଗ ଆନ୍ଦୋଳନରେ ସାମିଲ ହେବେ ବୋଲି ସେ କହିଛନ୍ତି ।