ମୁମ୍ବାଇ: ୨୦୨୩ ବିଶ୍ବକପ୍ ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ । ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ରୋହିତ ବାହିନୀ ଫାଇନାଲରେ ପ୍ରବେଶ କରିଥିବା ବେଳେ ଏହାକୁ ସହଜରେ ହଜମ କରିପାରିନାହାନ୍ତି ପାକିସ୍ତାନୀ । ପାକିସ୍ତାନର କେତେକ ପୂର୍ବତନ ଖେଳାଳି ଭାରତ ବିରୋଧରେ ବିଷ ଓଗାଳିଛନ୍ତି ।
ରୋହିତ ଶର୍ମା ଭୁଲ ଉପାୟରେ ଟସ୍ ପକାଇଥିଲେ ବୋଲି ଅଭିଯୋଗ କରିଛନ୍ତି ପାକିସ୍ତାନର ପୂର୍ବତନ ଖେଳାଳି ଆକିବ ଜାଭେଦ ଏବଂ ସିକନ୍ଦର ବଖ୍ତ । ରୋହିତ ଶର୍ମା ଜାଣିଶୁଣି ଟସ୍କୁ ଦୂରକୁ ଫିଙ୍ଗୁଛନ୍ତି । ଏହା ଦ୍ବାରା ପ୍ରତିପକ୍ଷ ଟିମ୍ କଏନକୁ ଦେଖିପାରୁନାହାନ୍ତି ଏବଂ ନିଷ୍ପତ୍ତି ରୋହିତଙ୍କ ସପକ୍ଷରେ ଯାଉଛି ବୋଲି ସେମାନେ କହିଛନ୍ତି । ଏହା ସହ ଭାରତୀୟ ବୋର୍ଡ(ବିସିସିଆଇ) କ୍ରିକେଟକୁ ନିୟନ୍ତ୍ରଣ କରୁଛି ବୋଲି ପାକିସ୍ତାନର ଏହି ପୂର୍ବତନ ଖେଳାଳି ଅଭିଯୋଗ କରିଛନ୍ତି ।
ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସିକନ୍ଦର ବଖ୍ତ ସ୍ଥାନୀୟ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ‘ରୋହିତ ଶର୍ମା ଟସ୍ କଲା ବେଳେ ଜାଣିଶୁଣି କଏନକୁ ଦୂରକୁ ଫିଙ୍ଗୁଛନ୍ତି । ଫଳରେ ଅନ୍ୟ ଟିମ୍ର ଅଧିନାୟକ ଜାଣିପାରୁନାହାନ୍ତି ପ୍ରକୃତରେ କେଉଁ ଟିମ୍ ପକ୍ଷରେ ଟସ୍ ଯାଇଛି । ଏହା ଦ୍ବାରା ରୋହିତଙ୍କ ପକ୍ଷରେ ନିଷ୍ପତ୍ତି ଚାଲିଯାଉଛି ।’
ଅନ୍ୟପଟେ ଆକିବ ଜାଭେଦ ଅଭିଯୋଗ କରିଛନ୍ତି ଯେ, ରୋହିତ ଶର୍ମା କଏନକୁ ସଠିକ୍ ଢ଼ଙ୍ଗରେ ବୁଲାଉନାହାନ୍ତି । ବିପକ୍ଷ ଦଳର ଅଧିନାୟକ ଯଦି କଏନର ସାଇଡ୍ ଦେଖିପାରିବେ ନାହିଁ ତେବେ ଟସ୍ର କଣ ଫାଇଦା ? ବିସିସିଆଇ କ୍ରିକେଟକୁ କଣ୍ଟ୍ରୋଲ କରୁଛି ଏବଂ ଆଇସିସି ଚୁପ ରହୁଛି । ସମ୍ପୂର୍ଣ୍ଣ ଯୋଜନା ତିଆରି ହୋଇଛି ଯେ ଭାରତ ହିଁ ଫାଇନାଲ ଜିତିବ । ୨୦୧୧ ବିଶ୍ବକପ ଜିତିବା ବି ଭାରତ ପାଇଁ ବିବାଦୀୟ ଥିଲା । ବିଶ୍ବକପ ପାଇଁ ସ୍ଥିର କରାଯାଇଥିବା ପିଚ ମଧ୍ୟ ବିସିସିଆଇର ଏକ ବିବାଦୀୟ ନିଷ୍ପତ୍ତି ଥିଲା ।’