ରାୟଗଡ଼, ୦୮/୧୦ : ପୋଖରୀରେ ବୁଡ଼ି ନାବାଳିକାଙ୍କ ମୃତ୍ଯୁ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନ ଗଣ୍ଡାହାତୀ ପଞ୍ଚାୟତ ତାମତରା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ସୁଙ୍କୁ ମଣ୍ଡଳଙ୍କ ଝିଅ ସୁଜାତା ମଣ୍ଡଳ (୯ ବର୍ଷ)ଙ୍କ ପୋଖରୀରେ ବୁଡି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l
ସୂଚନାନୁଯାୟୀ, ସୁଜାତା ମଣ୍ଡଳ ଶନିବାର ଗ୍ରାମ ନିକଟରେ ଥିବା ଗଡ଼ାସିଂ ପୋଖରୀରକୁ ଶୌଚ ପାଇଁ ଏକା ଯାଇଥିବା ବେଳେ ପୋଖରୀରେ ଗୋଡ଼ ଖସି ବୁଡ଼ି ଯାଇଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନଥିବା ବେଳେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ପୋଖରୀ ତୁଠରେ ଚପଲ ଥିବା ଦେଖି ବୁଡ଼ିଯାଇଥିବା ସନ୍ଦେହ କରିଥିଲେ l ପୋଖରୀ ଭିତରେ ପଶି ଗ୍ରାମବାସୀମାନେ ଦୀର୍ଘ ସମୟ ଧରି ଖୋଜାଖୋଜି କରି ସୁଜାତାଙ୍କୁ ପାଣି ଭିତରୁ ଉଦ୍ଧାର କରିଛନ୍ତି l
ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ଏନେଇ ଗାରାବନ୍ଧ ଥାନାରେ କେସ୍ ନଂ ୪/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଏସ୍ ଆଇ ନାରାୟଣ ଦାସ କହିଛନ୍ତି l
ସୂଚନା ଥାଉକି, ସୁଜାତା ମଣ୍ଡଳ ଗୋସାଣି ବ୍ଲକର ଘୋରଣୀ ପଞ୍ଚାୟତର ଧ୍ଵନି ଗାଁ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ରୀ। ଉକ୍ତ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ଖବର ପାଇ ଟିଡ଼ିସିସି ଡାଇରେକ୍ଟର ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ ବରିଷ୍ଠ ବିଜେଡ଼ି ନେତା ଟି. ବିଶ୍ଵନାଥ ପାରଳାଖେମୁଣ୍ଡି ମେଡ଼କାଲରେ ପହଞ୍ଚି ପରିବାରକୁ ସମବେଦନା ଜଣାଇଛନ୍ତି l