ନୂଆଦିଲ୍ଲୀ ୧୫/୧୧ : ମଧୁମେହ ଏକ ଜୀବନଶୈଳୀ ବିକାର, ଯାହା ବିଶ୍ୱର ଲକ୍ଷାଧିକ ଲୋକଙ୍କୁ ପ୍ରଭାବିତ କରୁଛି । ଶରୀରରେ ଶକ୍ତିର ମୁଖ୍ୟ ସ୍ରୋତ ରକ୍ତରେ ଥିବା ଗ୍ଲୁକୋଜ୍ର ମାତ୍ରା ଅତ୍ୟଧିକ ହେଲେ ମଧୁମେହ ହୁଏ । ମଧୁମେହର ଶିକାର ହେଲେ, ଶରୀରର କୋଷିକାରେ ଗ୍ଲୁକୋଜ୍ ପ୍ରବେଶ କରିବାରେ ସାହାଯ୍ୟ କରୁଥିବା ଇନ୍ସୁଲିନ୍ ନାମକ ହରମୋନ କମିଯାଏ କିମ୍ବା ଅଗ୍ନାଶୟ ଦ୍ୱାରା ଉତ୍ପନ୍ନ ହୁଏ ନାହିଁ । ଏହି କାରଣ ପାଇଁ ରକ୍ତରେ ଗ୍ଲୁକୋଜ ମାତ୍ରା ବଢ଼ିଯାଏ, ଯାହା ଶରୀରର କୋଷିକା ପର୍ଯ୍ୟନ୍ତ ପହଞ୍ଚି ପାରେନାହିଁ । ଏଥିରୁ ଆଖି, କିଡ୍ନୀ, ସ୍ନାୟୁ ଓ ହୃତ୍ପିଣ୍ଡକୁ କ୍ଷତି ଆଶଙ୍କା ବଢ଼େ । ଟାଇପ୍-୧, ଟାଇପ୍-୨ ଓ ଜେଷ୍ଟାସନାଲ ଡାଇବେଟିସ୍ ହେଉଛି ସବୁଠୁ ସାଧାରଣ ମଧୁମେହ ପ୍ରକାର । ଶରୀରରେ ଖୁବ୍ କମ୍ କିମ୍ବା ଆଦୌ ଇନ୍ସୁଲିନ ନ ଥିଲେ, ଟାଇପ୍-୧ ମଧୁମେହ ହୋଇଥାଏ । ଏହା ସବୁ ବୟସ୍କଙ୍କୁ ହୋଇପାରେ, କିନ୍ତୁ ସାଧାରଣତଃ ପିଲା ଓ ଯୁବପିଢ଼ିଙ୍କଠାରେ ଦେଖାଯାଏ ।
ଇଣ୍ଡିଆନ୍ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର) ଅନୁସାରେ, ୨୦୨୨ ମସିହାରେ ଭାରତରେ ୧୪ ବର୍ଷରୁ କମ୍ ବୟସ୍କ ୯୫,୬୦୦ ପିଲା ଟାଇପ୍-୧ ମଧୁମେହରେ ପୀଡ଼ିତ । ପୁନେର ରୁବି ହଲ୍ କ୍ଲିନିକ୍ର ପେଡିଆଟ୍ରିକ୍ ଏଣ୍ଡୋକ୍ରାଇନୋଲୋଜିଷ୍ଟ୍ ଡା. ମେଘନା ଚାୱଲା କହିଛନ୍ତି, ଟାଇପ୍-୧ ମଧୁମେହ ଏକ କ୍ରନିକ୍ ଅଟୋଇମ୍ୟୁନ ବିକାର, ଯେଉଁଥିରେ ପ୍ରତିରକ୍ଷା ପ୍ରଣାଳୀ ଅଗ୍ନାଶୟରେ ଇନ୍ସୁଲିନ ଉତ୍ପନ୍ନକାରୀ ବେଟା କୋଷିକା ଉପରେ ଆକ୍ରମଣ କରି ନଷ୍ଟ କରିଦିଏ । ଏଥିଯୋଗୁ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଇନ୍ସୁଲିନ ଉତ୍ପନ୍ନରେ ବାଧା ଉପୁଜେ । ଟାଇପ୍-୧ ମଧୁମେହର ଦୀର୍ଘକାଳୀନ ସ୍ୱାସ୍ଥ୍ୟ ଜଟିଳତା ଯୋଗୁ ପିଲାଙ୍କ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ ବୋଲି ମେଘନା କହିଛନ୍ତି ।
ଅଧ୍ୟୟନ ଅନୁସାରେ, ଖାସ୍କରି ୬ରୁ ୧୨ ବର୍ଷୀୟ ପିଲାଙ୍କ ମଧ୍ୟରେ ଟାଇପ୍-୧ ମଧୁମେହ ହାରରେ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ହୋଇଛି । କୋଭିଡ୍-୧୯ ମହାମାରୀ ଓ ସେ ସମ୍ପର୍କିତ ଲକ୍ଡାଉନ୍ ସହିତ ଏହାର ଗୁରୁତ୍ୱପୂର୍ଣ୍ଣ ସାମଞ୍ଜସ୍ୟ ରହିଛି । ଶାରୀରିକ ଗତିବିଧି ହ୍ରାସ, ଖାଦ୍ୟପେୟ ଅଭ୍ୟାସରେ ପରିବର୍ତ୍ତନ ସହିତ ପରିବେଶଠାରୁ ଦୂରରେ ଚାରିକାନ୍ଥ ମଧ୍ୟରେ ଆବଦ୍ଧ ରହିବା ଦ୍ୱାରା ପ୍ରତିରକ୍ଷା ପ୍ରଣାଳୀର ବିପରୀତ ପ୍ରତିକ୍ରିୟା ଯୋଗୁ ଭୂତାଣୁ ଜନିତ ସଂକ୍ରମଣ ବୃଦ୍ଧି ପାଇଛି । ଏହା ଟାଇପ୍-୧ ମଧୁମେହ ଭଳି ଅଟୋଇମ୍ୟୁନ ରୋଗ ପ୍ରତି ସମ୍ବେଦନଶୀଳତା ବୃଦ୍ଧି କରିଛି । ପ୍ରତି ବର୍ଷ ୭୫,୦୦୦ରୁ ଅଧିକ ପିଲା ଟାଇପ୍-୧ ମଧୁମେହର ଶିକାର ହେଉଛନ୍ତି ବୋଲି ମେଘନା କହିଛନ୍ତି ।