ବ୍ଲୋଏମ୍ଫଟନ,୦୩/୦୨: ଚଳିତ ୧୯ବର୍ଷରୁ କମ୍ ବିଶ୍ୱକପ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଆଧିପତ୍ୟ ଜାରି ରଖି ସେମି ଫାଇନାଲ୍ରେ ପ୍ରବେଶ କରିଛି । ଶୁକ୍ରବାର ଅନୁଷ୍ଠିତ ସୁପର ସିକ୍ସ ରାଉଣ୍ଡ୍ର ଏକ ମ୍ୟାଚ୍ରେ ଭାରତ ୧୩୨ ରନ୍ରେ ନେପାଳକୁ ହରାଇଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ୍ ହରାଇ ୨୯୭ ରନ୍ ସଂଗ୍ରହ କରିଥିଲା । ଜବାବରେ ନେପାଳ ୯ୱିକେଟ୍ ହରାଇ ୧୬୫ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହି ବିଜୟ ସହ ଭାରତ ଗ୍ରୁପ୍-୧ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ସେମି ଫାଇନାଲ୍ରେ ଦଳ ଗ୍ରୁପ୍-୨ର ଦ୍ୱିତୀୟ ସ୍ଥାନରେ ରହିଥିବା ଦକ୍ଷିଣ ଆଫ୍ରିକାକୁ ଭେଟିବ ।
ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୫ୱିକେଟ୍ ବିନିମୟରେ ୨୯୭ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଉଦୟ ସହାରନ ୧୦୦(୯ଚୌକା) ଓ ସଚିନ ଧାସ ୧୧୬(୧୧ଚୌକା, ୩ଛକା) ରନ୍ର ଶତକୀୟ ପାଳି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଦର୍ଶ ସିଂହ ୨୧, ଆର୍ସିନ କୁଲକର୍ଣ୍ଣୀ ୧୮ ଓ ପ୍ରିୟାଂଶୁ ମୋଲିଆ୧୯ ରନ୍ କରିଥିଲେ । ଜବାବରେ ନେପାଳ ପ୍ରାରମ୍ଭରୁ ଲଢୁଆ ବ୍ୟାଟିଂ କରିଥିଲା। ଦଳୀୟ ସ୍କୋର ୪୮ ବେଳେ ବ୍ୟକ୍ତିଗତ ୨୨ରନ୍ କରି ଦୀପକ ବୋହରା ଆଉଟ୍ ହୋଇଥିଲେ। ଏହାପରେ ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା ।
ଅନ୍ୟ କୌଣସି ବ୍ୟାଟର କ୍ରିଜ୍ରେ ତିଷ୍ଠି ପାରି ନଥିଲେ । ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ୧୨୦ ରନ୍ରେ ୯ଟି ୱିକେଟ୍ର ପତନ ଘଟି ସାରିଥିଲା । ଶେଷ ଦୁଇ ବ୍ୟାଟର ଆକାଶ ଚାନ୍ଦ ଓ ଦୁର୍ଗେଶ ଗୁପ୍ତା ଶେଷ ପର୍ଯ୍ୟନ୍ତ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୬୫ରେ ପହଞ୍ଚାଇଥିଲେ । ମାତ୍ର ଏହା ଦଳର ବିଜୟ ପାଇଁ ଯଥେଷ୍ଟ ନଥିଲା । ଭାରତ ପକ୍ଷରୁ ସୌମ୍ୟ ପାଣ୍ଡେ ୪ଟି ୱିକେଟ୍ ଅକ୍ତିଆର କରିଥିଲେ ।