ପ୍ରମୂଖ ଖବର

କୃଷକ ଆନ୍ଦୋଳନ କାହିଁକି ?

ଭୁବନେଶ୍ୱର ୨୬/୦୨: କିଛିଦିନ ତଳେ ଉତ୍ତର ପ୍ରଦେଶର କୃଷକ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଓ ସବୁଜ ବିପ୍ଳବର ଜନକ କୃଷି ବୈଜ୍ଞାନିକ ଡ. ଏମ.ଏସ. ସ୍ୱାମୀନାଥନଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯାଇଛି । ଦୁହେଁ କୃଷି ଓ କୃଷକଙ୍କ ପାଇଁ ଥିଲେ ସମର୍ପିତ । ଏହି ଦୁଇ ଉତ୍ତୁଙ୍ଗ ପୁରୁଷଙ୍କୁ ଦେଶର ସର୍ବଶ୍ରେଷ୍ଠ ନାଗରିକ ସମ୍ମାନରେ ସମ୍ମାନିତ କରି କେନ୍ଦ୍ର ସରକାର କୃଷକଙ୍କ ସମସ୍ୟା ସମାଧାନ ଦିଗରେ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିବା ସତ୍ତେ୍ୱ କୃଷକମାନେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇ ଆସିଛନ୍ତି । କୃଷକ ସଂଗଠନ ଗୁଡ଼ିକ ୧୬ ଫେବ୍ରୁଆରୀରେ ‘ଗ୍ରାମୀଣ ଭାରତ ବନ୍ଦ' ଡାକରା ଦେଇଥିଲେ । ସମ୍ଭାବ୍ୟ କୃଷକ ଆନ୍ଦୋଳନ ପାଇଁ ଦିଲ୍ଲୀ ପୋଲିସ ସତର୍କ ରହିଛି । ସେମାନଙ୍କୁ ବିଭିନ୍ନ ସ୍ଥାନରେ ଅଟକାଇବା ପାଇଁ ବ୍ୟବସ୍ଥା କରାଯାଇଛି । ନିର୍ବାଚନ ପୂର୍ବରୁ କୃଷକ ଆନ୍ଦୋଳନ ଜୋରଦାର କରିବାକୁ ବିରୋଧୀ ଦଳମାନେ ମଧ୍ୟ ଉଦ୍ୟମରତ ।

କୃଷି ଓ କୃଷକଙ୍କ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ସରକାର ୨୦୨୦ ମସିହା ଜୁନ ୫ ତାରିଖରେ ତିନିଟି ଅଧ୍ୟାଦେଶ ଜାରି କରିଥିଲେ । ତାହାକୁ ସେପ୍ଟେମ୍ବର ମାସରେ ତିନିଟି କୃଷି ଆଇନ ଭାବେ ରୂପ ଦେଇଥିଲେ । ଏହି ଆଇନ ତିନିଟିକୁ ଅଧିକାଂଶ କୃଷକ ସଂଗଠନ, ଚାଷୀ-ବିରୋଧୀ କହି ଆନ୍ଦୋଳନକୁ ଓହ୍ଲାଇଥିଲେ । ଏଭଳି ଆଇନ ଫଳରେ କୃଷକଙ୍କ ଭାଗ୍ୟ କିଛି ହାତଗଣତି କର୍ପୋରେଟଙ୍କ ଦୟା ଉପରେ ନିର୍ଭୟ କରିବ ବୋଲି ଆଶଙ୍କା ମଧ୍ୟ କରିଥିଲେ ଅଧିକାଂଶ ଅଣଭାଜପା ରାଜନୈତିକ ଦଳ । ସେବେଠୁ, ‘ସର୍ବନିମ୍ନ ସହାୟକ ମୂଲ୍ୟ' ବା ‘ଏମ୍‌.ଏସ୍‌.ପି.'କୁ ଆଇନ ପରିସରକୁ ଆଣିବାକୁ ଦାବି ଉଠିଥିଲା । ଆଇନ ବିରୋଧରେ ନଭେମ୍ବର ମାସରେ କୃଷକମାନେ ଦେଶବ୍ୟାପୀ ଧର୍ମଘଟ କରିଥିଲେ । କେନ୍ଦ୍ର କୃଷିମନ୍ତ୍ରୀ ଓ କୃଷକ ସଂଗଠନ ମଧ୍ୟରେ ୧୪ ଅକ୍ଟୋବର ଠାରୁ ୨୨ ଜାନୁଆରୀ ୨୦୨୧ ମଧ୍ୟରେ ୧୧ଥର ଆଲୋଚନା ହୋଇଥିଲା । ୨୦୨୦ ଡିସେମ୍ବର ମାସରେ ସର୍ବୋଚ୍ଚ ନ୍ୟାୟାଳୟରେ କୃଷକଙ୍କ ଦିଲ୍ଲୀ ଅବରୋଧ ବିରୁଦ୍ଧରେ ଆବେଦନ କରାଯାଇଥିଲା । କୃଷକ ନେତାମାନେ ଅଦାଲତଙ୍କ ରାୟ ସେମାନଙ୍କ ସପକ୍ଷରେ ନଗଲେ, ଆଦେଶ ଅମାନ୍ୟ କରିବାକୁ ପ୍ରସ୍ତୁତ ହୋଇଗଲେ । ସାଧାରଣତନ୍ତ୍ର ଦିବସରେ ବିକ୍ଷୋଭକାରୀ ଚାଷୀମାନେ ଦିଲ୍ଲୀରେ ଅରାଜକତା ସୃଷ୍ଟି କରି ଚହଳ ପକାଇଥିଲେ । ତେବେ ୨୦୨୧ ମସିହା ଜାନୁଆରୀ ୧୨ ତାରିଖରେ ସର୍ବୋଚ୍ଚ ଅଦାଲତ ତିନିଟି କୃଷି ଆଇନ୍‌ କାର୍ଯ୍ୟକାରୀ ନକରିବାକୁ ଆଦେଶ ଦେଲେ । ପ୍ରଧାନମନ୍ତ୍ରୀ ପରବର୍ତ୍ତୀ କାଳରେ ତିନିଟିଯାକ କୃଷି ଆଇନ ଉଚ୍ଛେଦ ଓ ପ୍ରତ୍ୟାହାର କରିନେଲେ । କୃଷି ଆଇନ ମାତ୍ର ୨୨୧ ଦିନ ପାଇଁ ବଳବତ୍ତର ରହି ପ୍ରତ୍ୟାହୃତ ହେବା ସତ୍ତେ୍ୱ କୃଷକଙ୍କ ପୁରୁଣା ଦାବି ସମସ୍ତ ଫସଲ ପାଇଁ ‘ଆଇନଗତ ଗ୍ୟାରେଣ୍ଟିଯୁକ୍ତ ସର୍ବନିମ୍ନ ସହାୟକ ମୂଲ୍ୟ' ଆଜିବି କାଏମ ଥିବାର ଦେଖିବାକୁ ମିଳୁଛି । ସେଥିରେ ଏବେ ଯୋଡ଼ି ହୋଇଯାଇଛି କୃଷିଋଣ ଛାଡ଼, ବରିଷ୍ଠ କୃଷକଙ୍କୁ ପେନସନ, ମାମଲା ପ୍ରତ୍ୟାହାର ଭଳି ନୂଆ ଦାବି ଓ ଇତିମଧ୍ୟରେ ଫେବ୍ରୁଆରୀ ମାସ ୮, ୧୨ ଓ ୧୫ ତାରିଖରେ ଦ୍ୱିପାକ୍ଷିକ ବୈଠକ ହୋଇଛି ସତ, କିନ୍ତୁ ସମସ୍ୟାର ସମାଧାନ ହୋଇପାରିନି ।

କୃଷି ବ୍ୟୟ ଓ ମୂଲ୍ୟ ଆୟୋଗ (ସିଏସିପି)ଙ୍କ ସୁପାରିସ କ୍ରମେ କେନ୍ଦ୍ର ସରକାର ପ୍ରତିବର୍ଷ ଖରିଫରେ ୧୪ଟି (ଧାନ, ବାଜରା, ଜୋଆର, ମକା, ମାଣ୍ଡିଆ, ହରଡ଼, ମୁଗ, ବିରି, ତୁଳା, ଚିନାବାଦାମ, ସୂର୍ଯ୍ୟମୁଖୀ ମଞ୍ଜି, ସୋୟାବିନ, ରାଶି ଓ ଅଳସି) ଓ ରବିରେ ୧୦ଟି (ଗହମ, ଯଅ, ବୁଟ, ମସୁର, ସୋରିଷ, ଜଡ଼ା, ତୋରିଆ, କୋପ୍ରା ବା ନଡ଼ିଆର ଶୁଖିଲା ଶସ, ଚୋପାଛଡ଼ା ନଡ଼ିଆ ଓ ଝୋଟ) ଫସଲ ପାଇଁ ଦୁଇ ଦଫାରେ "ଏମ୍‌.ଏସ୍‌.ପି.' ଘୋଷଣା କରିଥାଆନ୍ତି । ଅନ୍ୟ କୌଣସି ଫସଲ ପାଇଁ "ଏମ୍‌.ଏସ୍‌.ପି.'ର ବ୍ୟବସ୍ଥା ନାହିଁ । କେବଳ ଧାନ ଓ ଗହମ ସଂଗ୍ରହ ପାଇଁ ଆବଣ୍ଟିତ ସମୁଦାୟ ରାଶିର ପ୍ରାୟ ୯୫% ବ୍ୟୟ ହେଉଥିବାରୁ ଅନ୍ୟ ଫସଲଗୁଡ଼ିକ "ଏମ୍‌.ଏସ୍‌.ପି.' ତାଲିକାରେ ଥିଲେ ବି ପ୍ରକୃତପକ୍ଷେ ସେଗୁଡ଼ିକର କେବଳ ନାମକୁ ମାତ୍ର ସଂଗ୍ରହ ହୋଇଥାଏ । ଏହା ସତ୍ତେ୍ୱ ସମୁଦାୟ ଉତ୍ପାଦିତ ଧାନର ମାତ୍ର ୪୩% ଓ ଗହମର ୩୬% "ଏମ୍‌.ଏସ୍‌.ପି.' ଆଧାରରେ ସଂଗୃହୀତ ହୋଇଥାଏ ।

ତାଲିକାରେ ଥିବା ଅନ୍ୟ ଫସଲରୁ ଅଧିକାଂଶର ସଂଗ୍ରହ ସେଗୁଡ଼ିକର ସମୁଦାୟ ଉତ୍ପାଦନର ୧୦% ବି ନୁହେଁ । ପୁଣି ଧାନ ଓ ଗହମ ଯେ ସବୁ ରାଜ୍ୟରୁ ସଂଗୃହୀତ ହେଉଛି, ତାହା ମଧ୍ୟ ନୁହେଁ । ପ୍ରାୟ ୯୨% ଧାନ ପଞ୍ଜାବ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଓଡ଼ିଶା, ହରିଆଣା, ଉତ୍ତରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ ଭଳି ମାତ୍ର ୧୦ଟି ରାଜ୍ୟରୁ ସଂଗ୍ରହ ହୋଇଥାଏ । ଯେଉଁ ୧୦ଟି ରାଜ୍ୟରୁ ଗହମ ସଂଗ୍ରହ ହୋଇଥାଏ ତନ୍ମଧ୍ୟରୁ ପଞ୍ଜାବ (୩୮%) ଓ ହରିଆଣା (୨୭%) ଛଡ଼ା ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନରୁ ସଂଗୃହୀତ ହେଉଥିବା ଗହମର ପରିମାଣକୁ ମିଶାଇଲେ ଏହି ୫ଟି ରାଜ୍ୟରୁ ୯୯%ରୁ ଅଧିକ ଗହମ ସଂଗୃହୀତ ହୋଇଥାଏ । ଅବଶିଷ୍ଟ ଅଧିକାଂଶ ରାଜ୍ୟର ଚାଷୀଙ୍କଠାରୁ ସେମାନଙ୍କ ଉତ୍ପାଦିତ ଶସ୍ୟ ସଂଗୃହୀତ ନହେବା ଯୋଗୁଁ ହେଉ ବା ସେମାନଙ୍କ ଫସଲ "ଏମ୍‌.ଏସ୍‌.ପି.' ଅନ୍ତର୍ଭୁକ୍ତ ହୋଇନଥିବା କାରଣରୁ ହେଉ, ସେମାନଙ୍କ ଲାଗି "ଏମ୍‌.ଏସ୍‌.ପି.' ସମ୍ପୂର୍ଣ୍ଣ ନିରର୍ଥକ ।

ଜାତୀୟ ନମୁନା ସର୍ଭେକ୍ଷଣ ସଂଗଠନ (ଏନଏସଏସଓ)ର ସର୍ଭେ ଅନୁଯାୟୀ ଦେଶର ମାତ୍ର ୬% ଚାଷୀ ନିଜ ଫସଲକୁ ନିର୍ଦ୍ଧାରିତ ଶସ୍ୟ ସଂଗ୍ରହକାରୀ ସଂସ୍ଥାଙ୍କୁ ବିକ୍ରି କରି "ଏମ୍‌.ଏସ୍‌.ପି.' ପ୍ରକ୍ରିୟାରେ ସାମିଲ ହୋଇଥାଆନ୍ତି । ଅର୍ଥାତ୍‌ ପ୍ରାୟ ୯୪ ପ୍ରତିଶତ ଚାଷୀ "ଏମ୍‌.ଏସ୍‌.ପି.' ବ୍ୟବସ୍ଥା ଓ ପ୍ରକ୍ରିୟା ବାହାରେ ଅଛନ୍ତି । ମାତ୍ର ୨୪% ଚାଷୀ ପରିବାର ସେମାନେ ଚାଷ କରୁଥିବା ଫସଲ ପାଇଁ ମିଳୁଥିବା "ଏମ୍‌.ଏସ୍‌.ପି.' ବାବଦରେ ଅବଗତ । ଧାନ ଓ ଗହମକୁ ବାଦ୍‌ ଦେଲେ ଅନ୍ୟ ଫସଲଗୁଡ଼ିକର ସଂଗ୍ରହ ପରିମାଣ ଏତେ ନଗଣ୍ୟ ଯେ, ତାହା "ଏମ୍‌.ଏସ୍‌.ପି.' ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇନଥାଏ । "ନୀତି' ଆୟୋଗ ଅନୁଯାୟୀ ବିଳମ୍ବରେ ଟଙ୍କା ମିଳିବା, ସଂଗ୍ରହ କେନ୍ଦ୍ରରେ ଉପଯୁକ୍ତ ଭିତ୍ତିଭୂମିର ଅଭାବ, ଘରଠାରୁ ସଂଗ୍ରହ କେନ୍ଦ୍ରର ଅତ୍ୟଧିକ ଦୂରତା ଆଦି କାରଣରୁ ପ୍ରାୟ ୭୯% ଚାଷୀ ପ୍ରଚଳିତ "ଏମ୍‌.ଏସ୍‌.ପି.' ବ୍ୟବସ୍ଥାରେ ସନ୍ତୁଷ୍ଟ ନୁହଁନ୍ତି । ଉଲ୍ଲେଖଯୋଗ୍ୟ, ଯେଉଁ ରାଜ୍ୟରେ ସଂଗ୍ରହତନ୍ତ୍ର ଓ ଭିତ୍ତିଭୂମି ଯେତେ ବ୍ୟବସ୍ଥିତ, ସେହି ରାଜ୍ୟର ଚାଷୀଙ୍କ ଠାରୁ ସେତେ ଅଧିକ ଶସ୍ୟ ସଂଗ୍ରହ ହୋଇପାରିଥାଏ । ସୁତରାଂ, ପଞ୍ଜାବ, ହରିଆଣାର ଚାଷୀ ଏଥିରେ ଅଧିକ ଉପକୃତ ଥିବାରୁ ଏହି ଆନ୍ଦୋଳନରେ ଅଧିକ ସଂଖ୍ୟାରେ ସାମିଲ ହୋଇଛନ୍ତି ।

ଦରଦାମ୍‌କୁ ନିୟନ୍ତ୍ରଣରେ ରଖିବା ତଥା ଜରୁରୀକାଳୀନ ଆବଶ୍ୟକତା ପୂରଣ ପାଇଁ ରଖାଯାଉଥିବା "ବଫର୍‌' ଷ୍ଟକ୍‌ର ନିୟମ ଅନୁସାରେ ଦେଶରେ ୨୧୦.୪ ଲକ୍ଷ ଟନ୍‌ ଖାଦ୍ୟଶସ୍ୟ ମହଜୁଦ ରହିବା କଥା । କିନ୍ତୁ ମହଜୁଦ ରଖିବାକୁ ପଡୁଥିବା ଚାଉଳ ଓ ଗହମର ପରିମାଣ ୭୦୦ ଲକ୍ଷ ଟନ୍‌³ ଯାହା ନିର୍ଦ୍ଧାରିତ ପରିମାଣର ତିନି ଗୁଣରୁ ଅଧିକ । ଏତେ ଅଧିକ ପରିମାଣର ଖାଦ୍ୟଶସ୍ୟର ସୁପରିଚାଳନା ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ । ଭଣ୍ଡାର ଅଭାବରୁ ଅନେକ ସମୟରେ ଖାଦ୍ୟଶସ୍ୟ ନଷ୍ଟ ହୁଏ । "ବଫର୍‌' ଷ୍ଟକ୍‌ର ଆକାର ଯେତେ ଅଧିକ ହେବ ସରକାରଙ୍କୁ ଖାଦ୍ୟ ସବସିଡି ବାବଦରେ ଅଧିକ ଅର୍ଥ ବ୍ୟୟ କରିବାକୁ ପଡ଼ିବ । "ବଫର୍‌' ଷ୍ଟକ୍‌ର ଆକାର କମ୍‌ କରିବା ପାଇଁ ଅର୍ଥନୀତିଜ୍ଞମାନେ ମତ ଦିଅନ୍ତି । ଆଗାମୀ ଦିନରେ ସରକାରୀ ଭାବେ ଶସ୍ୟସଂଗ୍ରହ ପରିମାଣ ହ୍ରାସ ପାଇଲେ, ନିଜ ଆବଶ୍ୟକତାଠାରୁ ଅଧିକ ଧାନ ସଂଗ୍ରହ କରୁଥିବା ଓଡ଼ିଶା ଭଳି ରାଜ୍ୟ ସର୍ବାଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେବ । ଭବିଷ୍ୟତରେ ସରକାର ପ୍ରତିବର୍ଷ "ଏମ୍‌.ଏସ୍‌.ପି.' ବଢ଼େଇ ଚାଲିଥିଲେ ବି ଚାଷୀଙ୍କଠାରୁ ସେମାନଙ୍କ ଉତ୍ପାଦିତ ଫସଲ ଯେ ସଂଗୃହୀତ ହେବ, ତାହାର ଗ୍ୟାରେଣ୍ଟି କେହି ଦେବା ଅସମ୍ଭବ । ସରକାର ସମସ୍ତ ଖାଦ୍ୟଶସ୍ୟ କିଣିବା ସମ୍ଭବ ନୁହେଁ  । ସମୁଦାୟ କୃଷି ଉତ୍ପାଦ ସରକାର ସଂଗ୍ରହ କରିପାରୁନଥିବାରୁ ବେପାରୀମାନେ ଖାଦ୍ୟଶସ୍ୟ ସଂଗ୍ରହ କରନ୍ତି । ଦେଶର ପ୍ରାୟ ୮୭% ଚାଷୀ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ବର୍ଗର । ତେଣୁ ଚାଷୀମାନଙ୍କର ବେପାରୀ ସହ ମୂଲଚାଲ କ୍ଷମତା ରହୁନାହିଁ । ବସ୍ତୁତଃ ସେ "ଏମ୍‌.ଏସ୍‌.ପି.'ଠାରୁ କମ୍‌ ଦାମ୍‌ରେ ବିକିବାକୁ ବାଧ୍ୟ ହେଉଛି । କାଗଜ କଲମରେ "ଏମ୍‌.ଏସ୍‌.ପି.' ଥିଲେ ବି ବେପାରୀମାନେ ଚାଷୀଙ୍କ ଠାରୁ ଉପଯୁକ୍ତ ମୂଲ୍ୟରେ କିଣୁଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିହେବନାହିଁ ।

ସରକାରଙ୍କ ଯୁକ୍ତି ହେଉଛି ଯେ, ଚାଷୀକୁ ସର୍ବନିମ୍ନ ସହାୟକ ମୂଲ୍ୟ ପରିବର୍ତ୍ତେ ସର୍ବାଧିକ ମୂଲ୍ୟ ମିଳିବା ପାଇଁ ବ୍ୟବସ୍ଥା ଦରକାର । ଯେତେବେଳେ ବେପାରୀମାନେ ଚାଷୀଙ୍କ ନିକଟରୁ ଖାଦ୍ୟଶସ୍ୟ ସଂଗ୍ରହ କରିବାକୁ ଆଗେଇ ଆସିବେ, ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ିବ ଏବଂ ତାହା ଚାଷୀଙ୍କୁ ଲାଭବାନ କରିବ । ଏହା ସମ୍ଭବ ହେବ, ଯଦି ସମସ୍ତ ଚାଷୀ ‘ଏମ୍‌.ଏସ.ପି.' ଲାଭରେ କେବଳ ଧାନ ଓ ଗହମ ଭଳି ଖାଦ୍ୟ ଶସ୍ୟ ଉତ୍ପାଦନ ନକରି, ଜମି ଓ ଜଳସେଚନ ସୁବିଧା ଆଧାରରେ ବିଭିନ୍ନ ପ୍ରକାର ଫସଲ ଚାଷ କରିବାକୁ ଆଗେଇ ଆସିବେ । ପକ୍ଷାନ୍ତରେ "ଏମ୍‌.ଏସ୍‌.ପି.' ଗ୍ୟାରେଣ୍ଟି ପାଇଁ ଆଇନ ପ୍ରଣୀତ ହେଲେ ଚାଷୀଙ୍କ ଠାରୁ କମ୍‌ ଦାମ୍‌ରେ କୃଷିଜାତ ପଦାର୍ଥ କିଣିବା ଧର୍ତ୍ତବ୍ୟ ଅପରାଧ ହେବ । ଖାଦ୍ୟଶସ୍ୟ ବେପାରୀମାନେ ଚାଷୀଙ୍କ ଠାରୁ ସେସବୁ କ୍ରୟ ନକଲେ ଚାଷୀ କ୍ଷତିରେ ରହିବେ । ଏଣୁ ଚାଷୀ ସଙ୍ଗଠନ ଓ ବିରୋଧୀ ଦଳମାନେ ଏଭଳି ସମସ୍ୟାଗୁଡ଼ିକୁ ଦେଶ କିପରି ବିକଳ୍ପ ରାସ୍ତାରେ ସମାଧାନ କରିବ, ସେଥିପାଇଁ ଆନ୍ଦୋଳନ ନୁହେଁ, ଗଠନମୂଳକ ସୂତ୍ର ଦେବା ଦରକାର ।

କୃଷି ଓ କୃଷକମାନଙ୍କ କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାର ଅନେକ କଲ୍ୟାଣକର ଯୋଜନା ପ୍ରବର୍ତ୍ତନ କରିଛନ୍ତି । ଭାରତ ଏକ କୃଷିଭିତ୍ତିକ ରାଷ୍ଟ୍ର ଏବଂ କୃଷି ଓ କୃଷକଙ୍କ ଉନ୍ନତି ବିନା ଦେଶର ଉନ୍ନତି କଦାପି ଚିନ୍ତା ସୁଦ୍ଧା କରାଯାଇ ପାରିବନାହିଁ । ତେଣୁ ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ସକାଶେ ସରକାର ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ସେଥିରେ କୃଷି କ୍ଷେତ୍ରକୁ ଅଗ୍ରାଧିକାର ପ୍ରଦାନ କରାଯାଇଛି । ଅତଏବ, କୃଷକମାନଙ୍କ ଦାବିକୁ ସରକାର ଯେତିକି ସହାନୁଭୂତିର ସହ ବିଚାର କରିବା ଆବଶ୍ୟକ, ସରକାରଙ୍କ କଥାକୁ ମଧ୍ୟ ଅନ୍ନଦାତାମାନେ ସେତିକି ହୃଦୟର ସହ ବୁଝିବା ଉଚିତ । ତେଣୁ ଆଲୋଚନା ମାଧ୍ୟମରେ ହିଁ ଯେକୌଣସି ବିବାଦର ସମାଧାନର ପନ୍ଥା ବାହାରି ପାରିବ ଏବଂ ଆନ୍ଦୋଳନରୁ ଓହରି କୃଷକମାନେ ପୁଣି ନିଜର କ୍ଷେତକୁ ଲେଉଟିଯିବେ । ଏଥିରେ ସମସ୍ତଙ୍କର ସହଯୋଗ ଏବଂ ସମର୍ଥନ ରହିବା ଉଚିତ । କୃଷକମାନଙ୍କ ଉପାର୍ଜନକୁ ଦ୍ୱିଗୁଣିତ କରିବା ନିମନ୍ତେ ସରକାର ଦେଇଥିବା ପ୍ରତିଶ୍ରୁତି ଯଥାଶୀଘ୍ର ପୂରଣ କରିବା ଦିଗରେ ମଧ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିବା ବାଞ୍ଛନୀୟ । ତାହା ସମସ୍ତଙ୍କ ମୁହଁରେ ଆନନ୍ଦ ଓ ଆଶ୍ୱସ୍ତିର ହସ ଫୁଟାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.