ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ନାରୀ ଓ ତାର ମାନସିକ ଚିନ୍ତାଧାରା

ଭୁବନେଶ୍ୱର ୨୪/୦୨: ଆପଣା ସ୍ୱାର୍ଥର ପଥ ପରିଷ୍କାର ପାଇଁ ବେଳେବେଳେ ମଣିଷ ଭୁଲିଯାଏ ଏପରି କିଛି ସୁନ୍ଦର ସମ୍ପର୍କକୁ, ଯାହାପାଇଁ ସେ ସମାଜରେ ଚିରଦିନ ନିନ୍ଦିତ ହୋଇଥାଏ । ସମୟ ତ ବଦଳି ଯାଉଛି, ମଣିଷର ଚିନ୍ତାଧାରା ସ୍ନେହଶ୍ରଦ୍ଧା ଭଲପାଇବା କେତେବେଳେ ଅବାଟକୁ ଚାଲି ଯାଉଛି ଓ ମନ୍ଦବୁଦ୍ଧି ସବୁ ବୃଦ୍ଧିପାଉଛି ନିଜେ ଜାଣିପାରୁନି । କିନ୍ତୁ ଦୁନିଆରେ ବିନା ସ୍ୱାର୍ଥରେ ଭଲପାଉଥିବା ମଣିଷ ଆଉ କେହି ନୁହଁନ୍ତି, ସେ ହେଉଛି ଆମର ସେହି ଜୀବନ୍ତ ଈଶ୍ୱରରୂପୀ ଜନ୍ମଦାତ୍ରୀ ମାଆ । ଯେ କାହା ସହ ତୁଳନୀୟ ନୁହଁନ୍ତି । ସତରେ ଯେତେବେଳେ ମାଆଟିଏ ଦଶମାସ ଦଶଦିନ ପିଲାକୁ ଗର୍ଭରେ ରଖି ଜନ୍ମ ସମୟର ଯନ୍ତ୍ରଣାକୁ ନିଜ ମଧ୍ୟରେ ଚାପିରଖି ଭୂମିଷ୍ଠ ପରେ ପିଲାର କୁଆଁ କୁଆଁ କାନ୍ଦ ଶୁଣେ, ସ୍ୱର୍ଗ ସୁଖ ଲାଭ କରିଥାଏ, ସେ ହେଉଛି ଆମର ମାଆ । ସେଥିପାଇଁ ତ କୁହାଯାଏ- ମାଆର ଦ୍ୱିତୀୟ ସ୍ଥାନ ବୋଧହୁଏ କେହି ପୂରଣ କରିପାରନ୍ତିନି । ଯେମିତି କଥାରେ ଅଛି- ମାଆ ନାହିଁ ଯାହାର ସାହା ନାହିଁ ତାହାର । ମାଆ ନଥିବା ଛୁଆ ସତରେ ଏହି ସମାଜରେ ଯେପରି ଅନାଥ, ସେହିପରି ସବୁ ସ୍ନେହଶ୍ରଦ୍ଧାରୁ ଅବହେଳିତ ହୁଏ । 

କହିବା ବାହୁଲ୍ୟ, ଆମ ଚତୁଃପାଶ୍ୱର୍ରେ ପରିପୂର୍ଣ୍ଣ ସଂସ୍କୃତି ସଂସ୍କାର ସବୁ କିଛି ଥାଇ ମଧ୍ୟ ଏବେ କିଛି ନାରୀଙ୍କର ଅମାନୁଷିକ ବ୍ୟବହାର ଦେଖି ଅତ୍ୟନ୍ତ ଅତିଷ୍ଠ ଲାଗୁଛି । ସତରେ କ’ଣ ସେମାନଙ୍କ ଠାରେ କୌଣସି ନାରୀସୁଲଭ ଗୁଣ ନାହିଁ! ଦୟା, କ୍ଷମା, ଭଲପାଇବା ସବୁ କ’ଣ ଉଭେଇ ଯାଇଛି ତାଙ୍କ ପାଖରୁ । ଏବେ କିଛି ଦିନ ପୂର୍ବରୁ ଏପରି ଘଟଣା ଘଟିଛି ଯାହା ଗ୍ରହଣୀୟ ହୋଇପାରୁନି । ସାମାଜିକ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ସେହି ରାକ୍ଷସୀ ସାବତ ମାଆର କାର୍ଯ୍ୟକଳାପ, ଯାହାକି ଅତି ନ୍ୟୂନ ସ୍ତରର, ଏହା ଯଦି ସତ ହୋଇଥାଏ ତେବେ ନାରୀ ଶବ୍ଦକୁ ସେ କଳଙ୍କିତ କରୁଛି ନିଶ୍ଚିତ । 

ସାମାନ୍ୟ ବିସ୍କୁଟ ପାଇଁ ଏପରି ରାଜକୁମାର ରାଜକୁମାରୀ ପରି ଛୁଆମାନଙ୍କୁ ମରଣାନ୍ତକ ମାଡ଼ ମାରି ଲହୁଲୁହାଣ କରିବା କୌଣସି ମାନସିକ ସ୍ତରରେ ଠିକ୍‌ ଥିବା ନାରୀର କାର୍ଯ୍ୟକଳାପ ବୋଲି ମୁଁ ଅନୁଭବ କରୁନି । ସତରେ କ’ଣ ଜଣେ ସାବତ ମାଆ କେବେ ମାଆର ମମତା ଦେଇପାରେନି । ହେଲେ କାହିଁକି ଏପରି ବ୍ୟବଧାନ । କାହିଁକି ମଣିଷପଣିଆ ହଜିଯାଏ ଏପରି ନାରୀ ଭିତରେ । ନାରୀ କ’ଣ ସତରେ ଏତେ ନୃଶଂସ ହୋଇପାରେ । ଏପରି ପ୍ରଶ୍ନ ମନକୁ ବାରମ୍ବାର ଆନ୍ଦୋଳିତ କରୁଛି । ଏପରି ଚରିତ୍ର ସବୁ ଦୁନିଆରେ କ’ଣ ଅଛନ୍ତି । ଏହା ଶୁଣି ଓ ଦେଖି ବହୁତ କଷ୍ଟ ମଧ୍ୟ ଲାଗୁଛି । ରାସ୍ତାରେ ଯାଉଥିବା ଛୋଟ ଛୁଆଟିକୁ ଆମେ ଅଚିହ୍ନାରେ ମଧ୍ୟ ଗେଲ ଟିକେ କରିଦେଉ । ହାତରେ ଥିବା ଚକଲେଟ୍‌ଟିଏ ମଧ୍ୟ ଦେଇଥାଉ । କାରଣ ଛୋଟ ଛୁଆ ସମସ୍ତଙ୍କ ପାଖରେ ସମାନ ।

ଆମ ଭାରତୀୟ ସଂସ୍କୃତିରେ କୁହାଯାଏ- ନାରୀ ହେଉଛି ଈଶ୍ୱରଙ୍କର ଅନବଦ୍ୟ ସୃଷ୍ଟି । ନାରୀ ସୃଷ୍ଟିକାରିଣୀ ମାଆ । ତ୍ୟାଗର ମୂର୍ତ୍ତିମନ୍ତ ବିଗ୍ରହ । ସ୍ୱତନ୍ତ୍ର ଭାବରେ ମନୁଷ୍ୟର ସର୍ବ କାମନାର ସିଦ୍ଧିଠାରୁ ମୋକ୍ଷ ପର୍ଯ୍ୟନ୍ତ ସବୁହିଁ ନାରୀଶକ୍ତିର କରାମତି କହିଲେ ଅତ୍ୟୁକ୍ତି ହେବନାହିଁ । ନାରୀ ହେଉଛି ନାରାୟଣୀ, ସେ ଶକ୍ତିସ୍ୱରୂପା । ନାରୀ କଲ୍ୟାଣକାରୀ ବିଭିନ୍ନ ରୂପରେ ଆତ୍ମପ୍ରକାଶ କରିଥାଏ । ମହିଷାସୁରର ନିଧନ ଓ ସହସ୍ର ଶିର ରାବଣର ବିନାଶ ପାଇଁ ପୁରୁଷଶକ୍ତି ଯେତେବେଳେ ପରାହତ ହୋଇଛି, ସେତେବେଳେ ନାରୀ ଅସୀମ ଶକ୍ତିଧାରିଣୀ, ଶକ୍ତିସ୍ୱରୂପିଣୀ । ନାରୀ ସତିତ୍ୱ, ପ୍ରତିବ୍ରତା, ସହିଷ୍ଣୁତା, କ୍ଷମାର ଅଧିକାରିଣୀ ଓ ବିଶ୍ୱପାଳିନୀ । ମାଆ ହୋଇ ସତ୍‌ମାର୍ଗ ସଦ୍‌ବୁଦ୍ଧି, ସଦ୍‌ଜ୍ଞାନ, ସତ୍‌ଚିନ୍ତା ପ୍ରଦାନ କରି ସୁପଥରେ ଯିବାପାଇଁ ଅନୁଗାମୀ କରାଏ ପିଲାମାନଙ୍କୁ । ମାଆ ନାମ ଉଚ୍ଚାରଣରେ ପ୍ରତ୍ୟେକ ସନ୍ତାନର ପ୍ରାଣରେ ଆନନ୍ଦ ଉଲ୍ଲାସର ଶିହରଣ ଖେଳିଯାଏ । ମାଆର ଆଶ୍ୱାସନା ଓ କର ସ୍ପର୍ଶରେ ଦୂର ହୁଏ ସନ୍ତାନର ବ୍ୟଥା ଓ ବେଦନା । 

ବହିଯାଏ ଶାନ୍ତି ଶୀତଳତାର ଗଙ୍ଗାଧାର, ତାର ତ୍ୟାଗ ଓ ସେବା ନିକଟରେ ଜଗତର ସମସ୍ତ ମହାର୍ଘ ବସ୍ତୁ ତୁଚ୍ଛ । ମାତା ସର୍ବତ୍ର, ସର୍ବଦା ପୂଜନୀୟା ଓ ନମସ୍ୟା । ମାଆ ଶବ୍ଦଟି କ୍ଷୁଦ୍ର ହେଲେ ମଧ୍ୟ ଏହାର ଅର୍ଥ ଅତି ବ୍ୟାପକ । ମାଆର ସାହାରା, ପରିଚର୍ଯ୍ୟା ଓ ପୋଷଣରେ ଶିଶୁ ବଡ଼ ହୁଏ । ମାଆ ଜୀବନ ସଂଗ୍ରାମରେ କେବେ ଭାଙ୍ଗିନପଡ଼ି ସବୁ ଦୁଃଖ କଷ୍ଟକୁ ମଥାପାତି ସହିନିଏ । ଯନ୍ତ୍ରଣାର ଗରଳ ପାନ କରି ସେ ନୀଳକଣ୍ଠ ସାଜେ, ଯାହା ଜଗତରେ ଦୁର୍ଲଭ । ଶିଶୁ ମନକୁ ବୁଝିପାରି ତାରି ସେବାରେ ନିଜକୁ ହଜେଇଦିଏ । ନାରୀ ଯେ ଧରିତ୍ରୀ ପରି ସର୍ବଂସହା, ଜାୟା-ଜନନୀ-ଭଗିନୀ ଏମିତି ଅନେକ ସମ୍ପର୍କରେ ସେ ବନ୍ଧା ।

ଏଠି ଆଲୋଚନା କରିବା, ସାବତ ମାଆ କ’ଣ ମାଆର ସ୍ନେହ ଦେଇପାରିବନି, କାହିଁକି ନୁହେଁ? ସେ ଯଦି ମାନସିକ ସ୍ତରରେ ମାଆ ଭଳି ସେତିକି ନିଜକୁ ଉପସ୍ଥାପିତ କରିପାରିବ ସେ ନିଶ୍ଚିତ ଜଣେ ଭଲ ମାଆ ମଧ୍ୟ ହୋଇପାରିବ । ସେ ପରା ଜଣେ ନାରୀ, ଦୟା, କ୍ଷମା, ସ୍ନେହ ମମତା ପ୍ରତ୍ୟେକ ଜିନିଷ ତା’ ମଧ୍ୟରେ ଖୁନ୍ଦି ହୋଇ ରହିଛି । ଯେଉଁ ସ୍ୱାମୀ ନିଜ ପ୍ରଥମ ସ୍ତ୍ରୀର ଅନୁପସ୍ଥିତିରେ ପଛରେ ବିବାହ କରି ସ୍ତ୍ରୀ ରୂପେ ତାକୁ ଗ୍ରହଣ କରେ, ତେବେ ସେ ନାରୀଟି ପ୍ରଥମେ ଜାଣିବା ଦରକାର ସବୁପ୍ରକାର ମାନବିକତା ସହ ସେ କାର୍ଯ୍ୟ କରିବା ଉଚିତ । ପୂର୍ବେ ରାମାୟଣରେ ଭାରତୀୟ ନାରୀ ସମାଜର ମଉଡ଼ମଣି, ସେବା, ତ୍ୟାଗ, ଶ୍ରଦ୍ଧା, ଦୟା, କ୍ଷମାର ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି ଜନକନନ୍ଦିନୀ ମାଆ ସୀତା । ଏପରି ବହୁତ ଉଦାହରଣ ଅଛି ଆମ ସମାଜରେ, ନିଜ ରକ୍ତର ନହୋଇ ମଧ୍ୟ ମାଆର ସ୍ନେହ ଦେଇ ପିଲାଙ୍କୁ ବଡ଼ କରିଛନ୍ତି । ସମାଜ ଆଗରେ ଜଣେ ପ୍ରତିଷ୍ଠିତ ନିଜ ଜନ୍ମିତ ଛୁଆ ପରି ଠିଆ କରାଇଛନ୍ତି । ତେଣୁ ସେ ସବୁକୁ ଆମେ ନିଶ୍ଚିତ କରିପାରିବା ।

ସଂକୀର୍ଣ୍ଣ ମାନସିକତା କିପରି ମନ ଭିତରୁ ଧ୍ୱଂସ ପାଉ, ଏହା ହିଁ ଭଗବାନଙ୍କୁ ଡାକିବା । ପୃଥିବୀରେ ସବୁଠୁ ସୁନ୍ଦର ଓ ମୂଲ୍ୟବାନ ସମ୍ପତ୍ତି ହେଉଛି କିଛି ଭଲ କାମ କରି ଟିକେ ପ୍ରଶଂସା ପାଇବା । ତେଣୁ ଆମେ ସେହି ଅଧିକାରୀ ହେବାପାଇଁ ନିଶ୍ଚିତ ଚେଷ୍ଟା କରିବା । ସର୍ବଦା ସକାରାତ୍ମକ ଚିନ୍ତାଧାରା ରହିଲେ ହିଂସା, ଅତ୍ୟାଚାର, କ୍ରୋଧ ଦୂରେଇଯିବ । ସାବତ ମାଆର କଳଙ୍କିତ ଚରିତ୍ର ଶବ୍ଦକୁ ଦୂରକୁ ଠେଲିଦେବା । ସବୁ କଷ୍ଟ ସହି ଯିଏ ହୃଦୟରୁ କ୍ଷମା କରି ଆଶୀର୍ବାଦ କରିଥାଏ ସେ ହେଉଛି ମାଆ । କ୍ରୋଧକୁ ବଶ କଲେ ସବୁ ଅହଂ ଭାଙ୍ଗି ଧୂଳିସାତ ହୋଇପାରିବ । ମନରେ ଥିବା ବିଷ ଅମୃତରେ ପରିଣତ ହୋଇପାରିବ । ମୋର ଅନୁରୋଧ ଏହି କଳଙ୍କିତ ସାବତ ମାଆର ପରିଚୟ ନଦେଇ ସମସ୍ତଙ୍କର ମଙ୍ଗଳ କାମନା ଓ ଭଲ କାମ କରି ପ୍ରଶଂସା ସାଉଣ୍ଟିବା । କାହିଁକିନା ବିବେକ ମନୁଷ୍ୟ ପାଖରେ ଥିବାରୁ ତାକୁ ଶ୍ରେଷ୍ଠ ଜୀବର ମାନ୍ୟତା ମିଳିଛି, ଯାହାକୁ ପ୍ରମାଣ କରି ଦେଖାଇଦେବା । ଯଦ୍ୱାରା କିଛି ମାଆ ନଥିବା ପିଲାଙ୍କର ସାହା ମିଳିଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.